ମହାନଦୀ ବାଲିରୁ ମିଳୁଛି ମୂଲ୍ୟବାନ ରତ୍ନପଥର, ସନ୍ଧାନରେ ଲାଗିପଡ଼ିଛନ୍ତି ନଇକୂଳିଆ ବାସିନ୍ଦା

ବୌଦ୍ଧ: ହୀରା, ନୀଳା, ମାଣିକ, ବୈଦୁଯ୍ୟ, ପାନା, ପୋଖରାଜ । ମହାନଦୀ ବାଲିରୁ ମିଳୁଛି କେତେ କ’ଣ ମୂଲ୍ୟବାନ ରତ୍ନପଥର । ସନ୍ଧାନରେ ଲାଗି ପଡ଼ିଛନ୍ତି ନଇକୂଳିଆ ବାସିନ୍ଦା । ସକାଳ ହେଲେ ସାଙ୍ଗରେ କୋଡ଼ି ଝୁଡ଼ି ଚାଲୁଣି ପମ୍ପ ଧରି ନଦୀ ମୁହାଁ ହେଉଛନ୍ତି ଲୋକେ । ବୌଦ୍ଧ ଜିଲ୍ଲାକୁ ଲାଗି ମନମୁଣ୍ଡାଠାରୁ ମାରଡା ପର୍ଯ୍ୟନ୍ତ ପ୍ରାୟ ୧୦୦ କିଲୋମିଟର ପର୍ଯ୍ୟନ୍ତ ମହାନଦୀ ପ୍ରବାହିତ ହେଉଛି । ମୁଖ୍ୟତଃ ଖରା ଦିନ ହେଲେ ମହାନଦୀର ପାଣି ସୁଖି ଯାଉଛି । ଆଉ ପାଣି ଶୁଖିଲା ପରେ ମହାନଦୀ ଗର୍ଭରେ ଥିବା ବାଲିରୁ ଆରମ୍ଭ ହୁଏ ରତ୍ନପଥର ଖୋଜା । କ୍ୟାମେରା ଆଗରେ ନିଜ ନାଁ ଗୋପନ ରଖି ୫ ବର୍ଷ ତଳେ ଜଣେ ବ୍ୟକ୍ତି ଏଠାରୁ ହୀରା ପାଇଥିବା କଥା କହିଥିଲେ । ହେଲେ ଦଲାଲ ତାଙ୍କ ଠାରୁ ମାତ୍ର ୧୦ ହଜାର ଟଙ୍କା ଦେଇ ହୀରାଟିକୁ ନେଇଯାଇ ୨କୋଟି ଟଙ୍କାରେ ବିକ୍ରି କରିଥିବା କହିଥିଲେ । ରତ୍ନପଥର ପାଇ ଲାଭବାନ ହୋଇଥିବା ଅନେକ ବ୍ୟକ୍ତି ମଜୁରି ଦେଇ ଅନ୍ୟ ଲୋକଙ୍କୁ ନଦୀରେ ପଥର ସନ୍ଧାନରେ ଲଗାଉଥିବା ବି ଜଣାପଡିଛି  ।

୧୯୮୨ ମସିହାରେ ମହାନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବା ପରେ ବୌଦ୍ଧ ମହାନଦୀ ପଠାରେ ଏଭଳି ରତ୍ନ ପଥର ଓ ହୀରାର ସନ୍ଧାନ ମିଳିଥିଲା । ସେବେଠାରୁ ଆଜି ପଯ୍ୟନ୍ତ ପ୍ରାୟ ୪୦ ବର୍ଷ ହେଲାଣି ମହାନଦୀରୁ ହୀରା ଓ ରତ୍ନପଥରର ସନ୍ଧାନ ଚାଲିଛି । ବେଆଇନ ଭାବେ ଲୋକଙ୍କୁ ରତ୍ନପଥର ସନ୍ଧାନରେ ଲଗାଇ ମାଫିଆ ମାଲେମାଲ ହେଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଲୋକଙ୍କୁ ସଚେତନ କରିବା ସହ ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇ ଚଢ଼ାଉ କରାଯିବ ବୋଲି ବୌଦ୍ଧ ଉପଜିଲ୍ଲାପାଳ କହିଛନ୍ତି  ।