ମାତା ବୈଷ୍ଣୋଦେବୀ ଯାତ୍ରାରେ ଭୂସ୍ଖଳନ ଘଟଣା : ମୃତ୍ୟୁ ସଂଖ୍ୟା ୩୬, ରେସକ୍ୟୁ ଅପରେସନ ଜାରି

ନନ୍ଦିଘୋଷ ବ୍ୟୁରୋ : ମାତା ବୈଷ୍ଣୋଦେବୀ ଯାତ୍ରାରେ ଭୂସ୍ଖଳନଜନିତ ଅଘଟଣରେ ମୃତ୍ୟୁ ସଂଖ୍ୟା ହୋଇଛି ୩୬। ଅଧକୁମାରୀଠାରେ ଘଟିଥିବା ଭୂସ୍ଖଳନରେ କିଛି ଭକ୍ତ ମାଟିତଳେ ଫସିଥିବା ଆଶଙ୍କା ରହିଥିବାରୁ ସେଠାରେ ଉଦ୍ଧାର କାର୍ଯ୍ଯ ଜାରି ରିହଛି। ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ଏବେ ବି ବର୍ଷା ଲାଗି ରହିଥିବାବେଳେ ଝେଲମ ନଦୀ ଫୁଲୁଥିବା ଜଣାଯାଇଛି। ୩ ହଜାର ୫୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଜାମ୍ମୁ ଓ କାଶ୍ମୀରରେ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରାଯାଇଛି ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ସାକିନା ଇଟୋ। ଗତ ୨୪ ଘଣ୍ଟା ଭିତରେ ୨୯୬ ମିଲିମିଟର ବର୍ଷା ହେବା ଯୋଗୁ ସ୍ଥିତି ବିପନ୍ନ ହେବାରେ ଲାଗିଛି। ଉଦ୍ଧମପୁରରେ ଏପରିକି ୬୨୯ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ଜାମ୍ମୁ ଓ କାଶ୍ମୀର ପୋଲିସ, ଏନଡିଆରଏଫ, ଏସଡିଆରଏଫ, ଆର୍ମି ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଝେଲମ ନଦୀର ଜଳ ପତ୍ତନ ବୃଦ୍ଧି ପାଉଥିବାରୁ ଦକ୍ଷିଣ କାଶ୍ମୀରରେ ଫ୍ଲଡ ଆଲର୍ଟ ଜାରି କରାଯାଇଛି। ସି୧୩୦ ଓ ଆଇଏଲ ୭୬ ଜରିଆରେ ହିଣ୍ଡନ ଏୟାରପୋର୍ଟରୁ ରିଲିଫ ସାମଗ୍ରୀ ପଠାଯାଇଛି। ଉଦ୍ଧାର ଲାଗି ଏମଆଇ ୧୭ ଓ ଭି୫ ମୁତୟନ କରାଯାଇଛି। ଜାମ୍ମୁ ସହର, ଆରଏସପୁରା, ଅଖନୋର, ନାଗ୍ରୋଟା, କୋଟଭାଲୱାଲ, ବିସନାହ, ବିଜୟପୁର, କାଠୁଆ, ଉଦ୍ଧମପୁର, ରାମବନ, ରାମନଗର, ହୀରାନଗର ଆଦି ଅଞ୍ଚଳରେ ଫ୍ଲାସଫ୍ଲଡ ଓ ବନ୍ୟା ଗୁରୁତର ପ୍ରଭାବ ପକାଇଛି। ଆହତମାନଙ୍କୁ ମାତା ବୈଷ୍ଣୋଦୀବ ନାରାୟଣ ହସ୍ପିଟାଲରେ ଚିକିତ୍ସା କରାଯାଉଥିବାବେଳେ ମୃତକଙ୍କ ପରିବାର ଲାଗି କ୍ଷତିପୂରଣ ଘୋଷଣା କରାଯାଇଛି।