୧୯୦ ରନର ଇଂନିସ ବଳରେ ବିହାରକୁ ପ୍ରଥମ ମ୍ୟାଚ ଜିତାଇବା ପରେ ବିଜୟ ହଜାରେ ଟ୍ରଫିରୁ ବୈଭବ ସୂର୍ଯ୍ୟବଂଶୀ ଆଉଟ୍
ନନ୍ଦିଘୋଷ ବ୍ୟୁରୋ: ୨୪ ତାରିଖରେ ଆରମ୍ଭ ହୋଇଥିବା ବିଜୟ ହଜାରେ ଟ୍ରଫିର ପ୍ରଥମ ମ୍ୟାଚରେ ଧୂଆଁଧାର ବାଟିଂ କରି ବିହାରକୁ ଏକ ତରଫା ଜିତାଇ ଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ଅନ୍ୟ ମ୍ୟାଚରେ ଦେଖିବାକୁ ମିଳିବନି । ବିହାର ପାଇଁ ପ୍ରଥମ ମ୍ୟାଚ୍ ଖେଳିବା ପରେ ବୈଭବ ବିଜୟ ହଜାରେ ଟ୍ରଫିରୁ ବାହାର ହୋଇଯାଇଛନ୍ତି । ଖବରଟା ଆପଣଙ୍କୁ ଝଟକା ଦେଇପାରେ, ହେଲେ ଏହା ସତ । ବିଜୟ ହଜାରେ ଟ୍ରଫିରେ ଆଗକୁ ଆସୁଥିବା ମ୍ୟାଚରେ ବୈଭବଙ୍କ ବ୍ୟାଟିଂ ଦେଖିବାକୁ ମିଳିବନି । ତେବେ ବୈଭବ କାହିଁକି ଟୁର୍ଣ୍ଣାମେଣ୍ଟରୁ ବାହାର ହେଲେ ଜାଣିଲେ ଆପଣ ବି ସାବାସୀ ଦେବେ । କଥାଟା ହେଲେ ଏହି ୧୪ ବର୍ଷିୟ ବ୍ୟାଟର ଏକ ସମ୍ମାନ ଜନକ ଆଓ୍ବାର୍ଡ ଗ୍ରହଣ କରିବାକୁ ଯାଉଛନ୍ତି । ଆଉ ଏଥିପାଇଁ ତାଙ୍କୁ ଟୁର୍ଣ୍ଣାମେଣ୍ଟ ଅଧାରୁ ଛାଡି ଦିଲ୍ଲୀ ଯିବାକୁ ପଡିଛି । ଆଉ ବଡ କଥା ହେଲା ବୈଭବଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିବାକୁ ଯାଉଛନ୍ତି ।
ବୁଧବାର ଆରମ୍ଭ ହୋଇଥିବା ବିଜୟ ହଜାରେ ଟ୍ରଫିରେ ବିହାରର ପ୍ରଥମ ମୁକାବିଲାରେ ବୈଭବ ଦମଦାର ଶତକ ଲଗାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏହି ବାମ ହାତୀ ଷ୍ଟାର ବ୍ୟାଟର ମାତ୍ର ୮୪ ବଲ ଖେଳି ୧୯୦ ରନର ରେକର୍ଡତୋଡ ଇଂନିସ ଖେଳିଛନ୍ତି । ମାତ୍ର ୫୯ ବଲରେ ୧୫୦ ରନ୍ କରି ସେ ଏବି ଡିଭିଲିୟର୍ସଙ୍କ ଧ୍ରୁତ ୧୫୦ ରନର ବିଶ୍ବ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ବୈଭବଙ୍କ ଏହି ଇଂନିସ ବଳରେ ବିହାର ୫୭୪ ରନର ବିଶାଳ ବିଜୟ ଲକ୍ଷ୍ୟ ଛିଡ଼ା କରିଥିଲା । ଫଳରେ ମ୍ୟାଚକୁ ସହଜରେ ବିହାର ଜିତି ନେଇଥିଲା । ଏବେ ବିହାରକୁ ବୈଭବଙ୍କ ବିନା ପଡ଼ିଆକୁ ଓହ୍ଲାଇବାକୁ ପଡିବ ।
ପ୍ରକୃତ କଥା ହେଲା ବୈଭବ ସୂର୍ଯ୍ୟବଂଶୀଙ୍କୁ ଚଳିତବର୍ଷ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯିବ । ଶୁକ୍ରବାର ଡିସେମ୍ବର ୨୬ରେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ । ଏହି ବଡ଼ଦିନର ଅଂଶ ହେବାକୁ ବୈଭବ ଟୁର୍ଣ୍ଣାମେଣ୍ଟ ଅଧାରୁ ଦିଲ୍ଲୀ ଗସ୍ତ କରିଛନ୍ତି ।
ସେପଟେ ବିହାରର ପରବର୍ତ୍ତି ମ୍ୟାଚ୍ ୨୬ ତାରିଖରେ ରହିଛି । ତେଣୁ ସେ ଏହି ମ୍ୟାଚରେ ଖେଳିପାରିବେନି । ହେଲେ ସେ ଏହା ପରେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଖେଳିବେନି । କାରଣ ଏହାପରେ ଅଣ୍ଡର-୧୯ ଟିମ ସହ ୩୦ ତାରିଖରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ । ସେଠାରେ ଭାରତ ଜାନୁଆରୀ ୯ରୁ ତିନି ଟିକିଆ ଦିନିକିଆ ସିରିଜ୍ ଖେଳିବ । ଏହି ସିରିଜ ଅଣ୍ଡର-୧୯ ବିଶ୍ବକପ୍ ପୂର୍ବରୁ ଏକ ପ୍ରକାର ଅଭ୍ୟାସ ମ୍ୟାଚ୍ ଭଳି ବିବେଚନା କରାଯାଉଛି ।

