ନିପା ନିପାତ ଲାଗି ଖୁବଶୀଘ୍ର ଆସିପାରେ ଟିକା, ଅକ୍ସଫୋର୍ଡ ଆଣିଲା ପ୍ରଥମ ଟିକା

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଏସିଆରେ କେତେକ ଦେଶରେ ସଂକ୍ରମଣ କରୁଥିବା ନିପା ଭାଇରସର ମୁକାବିଲା ଲାଗି ଖୁବ୍ ଶୀଘ୍ର ଆସିପାରେ ଟିକା । ନିପା ନିପାତ ଲାଗି ବିକଶିତ ଟିକାକୁ ମଣିଷ କ୍ଷେତ୍ରରେ ପରୀକ୍ଷା କରାଯାଉଛି ବୋଲି କହିଛି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ । ନିପାର ମୁକାବିଲା ଲାଗି ବର୍ତ୍ତମାନ ସୁଦ୍ଧା ଟିକା ବାହାର କରାଯାଇ ନଥିବାବେଳେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ଟିକା ବାହାର କରାଯାଇଛି ।

ଏହାର ସମ୍ଭାବ୍ୟ ମୁକାବିଲା ଲାଗି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ଟିକା ବାହାର କରାଯାଇଛି । ତେବେ ମାନବ କ୍ଷେତ୍ରରେ ଏହାର ପ୍ରୟୋଗ ସଫଳ ହେବା ପରେ ନିପା ଭାଇରସର ସଫଳ ମୁକାବିଲା ସମ୍ଭବ ହେବ ବୋଲି ସୂଚନା ମିଳିଛି । ମାଲେସିଆରେ ପ୍ରଥମ ଥର ଲାଗି ପ୍ରାୟ ୨୫ ବର୍ଷ ତଳେ ନିପା ଭାଇରସର ସନ୍ଧାନ ମିଳିଥିଲା । ପରେ ଏହା ବାଂଲାଦେଶ, ଭାରତ ଓ ସିଙ୍ଗାପୁରକୁ ବ୍ୟାପିଥିଲା । ଗତ ସପ୍ତାହରେ କେତେକ ଲୋକଙ୍କୁ ଏହି ଟିକା ପ୍ରଦାନ କରାଯାଇଛି ।

ଆଷ୍ଟ୍ରାଜେନେକା ଓ ସେରମ ଇନଷ୍ଟିଚ୍ୟୁଟର ଟିକା ପରି ଏହାକୁ ପରୀକ୍ଷାମୂଳକ ଭାବେ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୮ରୁ ୫୫ ବର୍ଷ ବୟସ୍କ ୫୧ ଜଣଙ୍କୁ ଏହି ଟିକା ଦିଆଯିବ ବୋଲି କହିଛି ବିଶ୍ବବିଦ୍ଯାଳୟର ପାଣ୍ଡେମିକ ସାଇନ୍ସ ଇନଷ୍ଟିଚ୍ୟୁଟ । ଗତ ସେପ୍ଟେମ୍ବରରେ କେରଳରେ ଚତୁର୍ଥ ନିପା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା ।

ବର୍ତ୍ତମାନ ସୁଦ୍ଧା ନିପାରେ ୬ ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି । ନିପା ସଂକ୍ରମିତଙ୍କ କ୍ଷେତ୍ରରେ ପ୍ରବଳ ଜ୍ବର, ମୁଣ୍ଡବ୍ଯଥା, କଫ ସୃଷ୍ଟି ହେବା ସହ ନିଶ୍ବାସପ୍ରଶ୍ବାସରେ କଷ୍ଟ ଅନୁଭୂତ ହୋଇଥାଏ । ଏହା ସହ ମସ୍ତିଷ୍କ ବି ଫୁଲି ଯାଇଥାଏ । ସଂକ୍ରମିତଙ୍କ କ୍ଷେତ୍ରରେ ମୃତ୍ୟୁ ହାର ରହିଥାଏ ୪୦ରୁ ୭୫ ପ୍ରତିଶତ ।