ଗୋଟିଏ ଦିନ ବିରତି ପରେ ରାଜ୍ୟରେ ପୁଣି ଆରମ୍ଭ ହେଲା ଟିକାକରଣ 

1 min read
52 people exhibit adverse events after receiving COVID vaccine in Delhi

ଭୁବନେଶ୍ୱର: ଗୋଟିଏ ଦିନ ବିରତି ପରେ ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି କରୋନା ଟିକାକରଣ  । ଆଜି ଦ୍ୱିତୀୟ ଦିନରେ ୩୮୦ ସେସନ ସାଇଟ୍‌ରେ ୩୧ ହଜାର ୯୦୨ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ଆଜିଠୁ ୨୫ ତାରିଖ ପର୍ଯ୍ୟନ୍ତ ୧ ହଜାର ୬୯୮ଟି ସେସନରେ ୧ ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଗତ ଶନିବାର ପ୍ରଥମ ଦିନରେ ୧୩ ହଜାର ୮୯୦ ଲୋକଙ୍କୁ ଟିକା ଦିଆଯାଇଛି । କେଉଁ ଦିନ କେତେ ସେସନରେ ଟିକାକରଣ ହେବ, ତାହା ନିର୍ଦ୍ଧାରଣ କରାଯାଇଛି । ଆସନ୍ତାକାଲି ୧୯ ତାରିଖରେ ୧୯୨ଟି ସେସନ ସାଇଟ୍‌,  ୨୦ ତାରିଖରେ ୯୨, ୨୧ତାରିଖରେ ୪୩୬, ୨୨ ତାରିଖରେ ୧୪୧ଟି ସେସନ ସାଇଟ୍‌ରେ ଟିକା ଦିଆଯିବ । ୨୩ ତାରିଖରେ ୧୭୮ ଓ ୨୫ ତାରିଖରେ ୨୭୯ଟି ସେସନ ସାଇଟ୍‌ରେ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି ।

ଯେଉଁମାନେ ଯେଉଁ ଦିନ ଟିକା ନେଉଛନ୍ତି, ତା’ର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍‌ ନେବେ । ସେଥିପାଇଁ ଆବଶ୍ୟକ ପରିମାଣର ଟିକା ରହିଛି । ଟିକା ନେବା ପାଇଁ ଦୁଇ ଦିନ ପୂର୍ବରୁ SMS ଦ୍ୱାରା ଜଣାଇ ଦିଆଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।

ସେହିପରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଦ୍ୱିତୀୟ ଦିନରେ କରୋନା ଟିକାକରଣ ଚାଲିଛି । ପ୍ରଥମ ଦିନରେ ଗତ ଶନିବାର ୬ଟି ଟିକାଦାନ କେନ୍ଦ୍ରରେ ୧୬ ହଜାର ୧୦୦ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ ପାଇଁ ବ୍ୟବସ୍ଥା ହୋଇଥିଲା । ଆଜି ଦ୍ୱିତୀୟ ଦିନରେ ଟିକାଦାନ କେନ୍ଦ୍ରସଂଖ୍ୟା ୨୪କୁ ବୃଦ୍ଧି କରାଯାଇଛି । ଏହା ସହିତ ୩ ହଜାର ୫୦୦ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ପୁଣି ଉଭୟ ସଂଖ୍ୟା ବୃଦ୍ଧି ପାଇବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ସୂଚନା ଦେଇଛନ୍ତି । ଶନିବାର ପ୍ରଥମ ଦିନରେ ଭୁବନେଶ୍ୱରରେ ସମସ୍ତ ୬ଟି କେନ୍ଦ୍ରରେ ମୋଟ ୬୧୧ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଥିଲେ । ୨୫ ତାରିଖ ସୁଦ୍ଧା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୨୬ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି।

Leave a Reply