ଓମିକ୍ରନ ବିରୋଧରେ ଟିକା ପ୍ରଭାବୀ: ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଓମିକ୍ରନ୍‌ରୁ ସୁରକ୍ଷା ଦେବ ଟିକା । ଏଣୁ ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଶତ ପ୍ରତିଶତ ନହେଲେ ବି କ୍ରସ ପ୍ରୋଟେକ୍ସନ ଦେବ ଟିକା । ଟିକା ନେଲେ ଗୁରୁତର ହେବା, ହସ୍ପିଟାଲାଇଜ ହେବା ଏବଂ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା କମ ରହିବ । ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତି ଗାଁରେ ଥିବା ଜନ ପ୍ରତିନିଧି ଓ ସାମାଜିକ କର୍ମୀଙ୍କୁ ଅନୁରୋଧ କଲା ସ୍ୱାସ୍ଥ୍ୟ ବିଭାଗ । ଅନ୍ୟ ରାଜ୍ୟରେ ଓମିକ୍ରନ ଚିହ୍ନଟ ହେବା ସହ ସଂକ୍ରମଣ ବଢୁଛି । ତେଣୁ ଯଥାଶୀଘ୍ର ଟୀକା ନେବାକୁ ପଡ଼ିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସମସ୍ତ ଜିଲ୍ଲାରେ ଟାସ୍କ ଫୋର୍ସ ଅଛି । ସେମାନେ ଅନୁଧ୍ୟାନ କରୁଛନ୍ତି କେଉଁ ବ୍ଲକରେ ଲୋକ ଟିକା ନେଇନାହାନ୍ତି । ସିଡିଏମଓ ମାନଙ୍କୁ ମଧ୍ୟ ଗାଁ ଗୁଡ଼ିକରେ ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଗାଁରେ କିଛି ଲୋକ ଟିକା ନେଇ ନାହାନ୍ତି । ତାହେଲେ ସେମାନେ ସଂକ୍ରମିତ ହେବେ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସଂକ୍ରମିତ କରିବେ । ୪ କୋଟି ୬୨ ଲକ୍ଷ ଡୋଜ୍ ଦିଆ ସାରିଲାଣି । ୮୭.୪ ପ୍ରଥମ ଡୋଜ୍ ସରିଛି । ପ୍ରାୟ ୪୦ ଲକ୍ଷ ଲୋକ ନେଇନାହାନ୍ତି ।

ସୂଚନା ଯୋଗ୍ୟ ଯେ, ଦେଶରେ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତ ସଂଖ୍ୟା । ସୁରତରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ କିଛିଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ୪୨ ବର୍ଷର ବ୍ୟକ୍ତି ଓମିକ୍ରନ ସଂକ୍ରମିତ ଥିବା ଜଣାପଡ଼ିଛି । ଜିନମ ସିକ୍ବେନ୍ସିଂ ପରେ ଏହା ସ୍ପଷ୍ଟ ହୋଇଥିଲା । ବ୍ୟକ୍ତି ଜଣକ ନିଜ ବ୍ୟବସାୟ ପାଇଁ ଦକ୍ଷିଣ ଆଫ୍ରିକାରେ ରହିଥିଲେ । ଦକ୍ଷିଣ ଆଫ୍ରିକାରୁ ଭାୟା କେନିଆ ଓ ଆବୁ ଧାବି ହୋଇ ଦିଲ୍ଲୀରେ ପହଞ୍ଚିଥିଲେ ।

ଗତ ୩ ତାରିଖରେ ପହଞ୍ଚିବା ପରେ ସେ କରୋନା ପରୀକ୍ଷା କରାଇଥିଲା । ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ୮ ତାରିଖରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ତେବେ ଏହାକୁ ମିଶାଇ ଗୁଜୁରାଟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରୁ ଆଉ ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ୍ ଓମିକ୍ରନ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି ।

Leave a Reply