ତୃତୀୟ ଲହର ନେଇ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି: ୩ରୁ ରାଜଧାନୀରେ ଆରମ୍ଭ ହେବ ୧୫ ବର୍ଷରୁ ଊର୍ଦ୍ଧ୍ୱଙ୍କ ଟିକାକରଣ

ଭୁବନେଶ୍ୱର: ତୃତୀୟ ଲହର ଓମିକ୍ରନ ପାଇଁ ସତର୍କ ଅଛନ୍ତି ରାଜ୍ୟ ସରକାର । ଫେବ୍ରୁଆରୀରେ ଏହା ପିକ୍‌କୁ ଯାଇପାରେ । ଓମିକ୍ରନ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ସର୍ଭେଲାନ୍ସ, ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଶିଶୁବିଭାଗ, ଅକ୍ସିଜେନ୍‌ ଏବଂ ଔଷଧ ମହଜୁଦ ଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ଅନ୍ୟପଟେ କିଶୋରଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତ ହୋଇଛି ଓଡ଼ିଶା ।

ଆସନ୍ତା ୩ତାରିଖରୁ ଟିକା ନେବେ କିଶୋର । ରାଜ୍ୟରେ ୨୫ ଲକ୍ଷ ୫୩ ହଜାର କିଶୋର ଭ୍ୟାକସିନ୍ ନେବେ । ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ସ୍ୱାସ୍ଥ୍ୟ ବିଭାଗ । ଭ୍ୟାକସିନ୍ ପାଇଁ ଅନଲାଇନ୍‌, ଅନ୍‌ସାଇଟରେ ହେବ ପଞ୍ଜିକରଣ । କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ୧୫ରୁ ୧୮ ବର୍ଷ କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ସହିତ ୨ ପ୍ରକାରର ବ୍ୟବସ୍ଥା ହୋଇଛି । ପ୍ରଥମ ଡୋଜର ୨୮ଦିନ ବ୍ୟବଧାନରେ ଦ୍ୱିତୀୟ ଡ଼ୋଜ ଦିଆଯିବ । ତେବେ ସମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ବୁଷ୍ଟର ଡୋଜ୍ ଓ ବରିଷ୍ଠ ନାଗରିକମାନଙ୍କୁ କେଉଁ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ ।

ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମରେ ଲୋକଙ୍କ ସହଯୋଗରେ ଇତି ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ମୋଟ ୨୭ଲକ୍ଷ ୪୦ହଜାର ୫୦୩ ଡୋଜ ଟିକା ଦିଆଯାଇଛି । ଆସନ୍ତା ୩ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଟିକାକରଣ ପାଇଁ ବିଏମ୍‌ସି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ବିଏମ୍‌ସି କମିଶନର ସଂଜୟ ସିଂ । ଏହି ବର୍ଗରେ ଅଧିକ ସଂଖ୍ୟକ ବ୍ୟକ୍ତି ଥିବା କାରଣରୁ ଆବଶ୍ୟକ ସ୍ଥଳେ ଟିକା କେନ୍ଦ୍ର ଓ ଏଥିରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । ତେବେ ପ୍ରଥମ ଓ ଦ୍ୱିତୀୟ ପାର୍ଯ୍ୟାୟ ଭଳି ଲୋକଙ୍କ ସହଯୋଗ ରହିଲେ ଏଥିରେ ମଧ୍ୟ ସଫଳତା ହାସଲ କରିବା ବୋଲି କହିଛନ୍ତି ବିଏମ୍‌ସି କମିଶନର।

Leave a Reply