ପିଲାଙ୍କୁ କେମିତି ଦିଆଯିବ ଟିକା? ପଂଜିକରଣ ଠାରୁ ଟିକାକରଣ ପର୍ଯ୍ୟନ୍ତର ପ୍ରକ୍ରିୟା ଜାଣନ୍ତୁ

1 min read

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆତଙ୍କ ଖେଳାଇ ଚାଲିଛି । ଭାରତରେ ମଧ୍ୟ ଓମିକ୍ରନ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ପାର କରିସାରିଲାଣି । ଦ୍ରୁତ ଗତିରେ ଓମିକ୍ରନ ମାମଲା ବଢ଼ୁଥିବାର ଦେଖି ଶନିବାର ଏକ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୨୨ ମସିହା ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଟିକାକରଣ କରାଯିବା ନେଇ ଘୋଷଣା କରିଛନ୍ତି ମୋଦି । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏବେ ଅଭିଭାବକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସେମାନଙ୍କ ପିଲାଙ୍କୁ କେଉଁ ଭ୍ୟାକ୍ସନ ଦିଆଯିବ? ଟିକାକରଣ ପାଇଁ କିପରି ଭାବରେ ରେଜିଷ୍ଟ୍ରେସନ କରିବେ? ଭ୍ୟାକ୍ସିନର ଉଭୟ ଡୋଜ ମଧ୍ୟରେ ବ୍ୟବଧାନ ଯଦି ତିନି ମାସ ରହିବ ତେବେ କିପରି ଭାବରେ ସେମାନେ ପରୀକ୍ଷା ଦେବେ? ଏମିତି ଅନେକ ପ୍ରଶ୍ନ ଅଭିଭାବକଙ୍କ ମନରେ ଆସୁଛି । ତେବେ ଅଭିଭାବକଙ୍କ ମନରେ ଆସୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ଦେବୁ…

ପିଲାଙ୍କୁ କେଉଁ ଟିକା ଦିଆଯିବ?

ଆସନ୍ତା ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ପାଇଁ ଘୋଷଣା କରିଛନ୍ତି ମୋଦି । କିନ୍ତୁ ପିଲାମାନଙ୍କୁ କେଉଁ ଟିକା ଦିଆଯିବ ତାହା ପ୍ରଧାନମନ୍ତ୍ରୀ ଘୋଷଣା କରିନାହାନ୍ତି । DCGI କୋଭାକ୍ସିନକୁ ପିଲାଙ୍କୁ ଦେବା ପାଇଁ ଅନୁମତି ଦେଇଛି । ଜରୁରୀ ପରିସ୍ଥିତିରେ ୧୨ରୁ ୧୮ ବର୍ଷ ପିଲଙ୍କୁ କୋଭାକ୍ସିନ ଦିଆଯିବାକୁ ଅନୁମତି ଦେଇଛି DCGI । ସୂଚନା ଅନୁସାରେ ପିଲାଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସରକାର ଭାରତ ବାୟୋଟେକକୁ ଅର୍ଡର ଦେଇପାରନ୍ତି । ଅନ୍ୟପକ୍ଷରେ କୋଭାକ୍ସିନ ପୂର୍ବରୁ ପିଲାଙ୍କୁ ଟିକା ଦେବା ପାଇଁ ଜାୟଡସ କାଡିଲାକୁ ଅନୁମତି ଦେଇସାରିଛି DCGI । ଜାୟଡସ କାଡିଲାର ତିନୋଟି ଡୋଜ ନେବା ଜରୁରୀ । ତେବେ ବର୍ତ୍ତମାନ ପରିସ୍ଥିତିରେ କୋଭାକ୍ସିନଙ୍କୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି କେନ୍ଦ୍ର ସରକାର ।

ଟିକାକରଣ ପାଇଁ କିପରି ହେବ ରେଜିଷ୍ଟ୍ରେସନ

ବର୍ତ୍ତମାନ ସୁଦ୍ଧା ଭାରତରେ ଯେଉଁ ବ୍ୟବସ୍ଥା ରହିଛି ସେହି ଅନୁସାରେ ଟିକାକରଣ ପାଇଁ କୋଓ୍ୱିନ ଆପରେ ରେଜିଷ୍ଟ୍ରେସନ କରିବାକୁ ପଡ଼େ । ରେଜିଷ୍ଟ୍ରେସନ ପରେ ଟିକା ନେବା ପାଇଁ ସ୍ଲଟ ବୁକିଂ କରିବାକୁ ପଡ଼ିଥାଏ । ତେବେ ବର୍ତ୍ତମାନ ସୁଦ୍ଧା ପିଲାଙ୍କୁ ଟିକାକରଣ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଭାରତରେ ଏପରି କିଛି ପିଲା ଅଛନ୍ତି ଯାହାଙ୍କର ଆଧାର କାର୍ଡ ନାହିଁ । ତେଣୁ ପିଲମାନଙ୍କ ପାଇଁ ଅଲଗା ଭାବରେ ଟିକାକରଣ କେନ୍ଦ୍ର କରି ଟିକା ଦିଆଯାଇପାରେ । ସ୍ୱାସ୍ଥ୍ୟକର୍ମୀ ଘର ଘର ବୁଲି ପିଲାମାନଙ୍କୁ ଟିକା ଦେଇପାରନ୍ତି ବୋଲି ମଧ୍ୟ ଆଶା କରାଯାଉଛି । ଅନ୍ୟପକ୍ଷରେ ଯେଉଁ ପିଲା ସ୍କୁଲ ଆସୁଛନ୍ତି ସେମାନଙ୍କୁ ସେମାନଙ୍କ ସ୍କୁଲରେ ଟିକାକରଣ ହୋଇପାରେ ।

୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଉଭୟ ଡୋଜ ଟିକାକରଣ ମଧ୍ୟରେ ୯୦ ଦିନର ବ୍ୟବଧାନ ରହିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ବ୍ୟବଧାନକୁ କମାଇ ଦିଆଯାଇଥିଲା । ତେବେ ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦିଆଯିବ । ତେବେ ଯଦି ଉଭୟ ଡୋଜ ମଧ୍ୟରେ ବ୍ୟବଧାନ ୯୦ ଦିନ ରୁହେ ତାହାଲେ ପିଲାମାନେ କିପରି ପରୀକ୍ଷା ଦେବେ ବୋଲି ଅଭିଭାବକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି କି ଯଦି ପିଲାମାନେ ଗୋଟିଏ ଡୋଜ ଟିକା ବି ନେଉଛନ୍ତି ତେବେ ସେମାନେ କରୋନା କ୍ଷେତ୍ରରେ କିଛି ମାତ୍ରରେ ସୁରକ୍ଷିତ ହୋଇପାରିବେ ।

କେତେ ଟଙ୍କାରେ ମିଳିବ ପିଲାଙ୍କୁ ଭ୍ୟାକ୍ସିନ?

ସାରା ଭାରତରେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମାଗଣାରେ ଭ୍ୟାକ୍ସିନ ଦିଆଯାଉଛି । ଯେଉଁମାନେ ସରକାରୀ ଡାକ୍ତରଖାନାରେ ଟିକା ନେଉଛନ୍ତି ସେମାନେ ମାଗଣାରେ ଟିକା ନେଉଛନ୍ତି । ଆଉ କିଛି ଲୋକ ଘରୋଇ ହସ୍ପିଟାଲରେ ପେମେଣ୍ଟ କରି ଭ୍ୟାକ୍ସିନ ନେଉଛନ୍ତି । ତେବେ ପିଲାମାନଙ୍କୁ ମିଳିବାକୁ ଥିବା ଟିକା ମଧ୍ୟ ଏହି ପରି ଭାବରେ ଦିଆଯିବ ବୋଲି ସୂଚନା ମିଳୁଛି ।

Leave a Reply