spot_img

Latest Posts

ଜଗତସିଂହପୁରରେ ବଡ ଅଧିକାରୀଙ୍କ ଚୌକି ଫାଙ୍କା, ସାତରୁ ଆଠ ମାସ ହେଲା ସୁଧୁରୁନି ସ୍ଥିତି

 

ଜଗତସିଂହପୁର  : ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ବିଭାଗରେ ଖାଲି ପଡିଛି ପଦବୀ । ସାତରୁ ଆଠ ମାସ ହେଲା ଅଧିକାରୀମାନଙ୍କ ଚୌକି ଖାଲି ପଡିଛି । ଜିଲ୍ଲା ପ୍ରଶାସନ ବିଭାଗ କଥା କୁହନ୍ତୁ ବା ପୋଲିସ ପ୍ରଶାସନ ବିଭାଗ କଥା କୁହନ୍ତୁ। ସବୁଠି ଖାଲି ପଡିଛି ପଦବୀ । ସାଧାରଣ ଲୋକଙ୍କ କାମ ଏକ ପ୍ରକାର ଠପ ହୋଇପଡିଛି । ଏଥିପ୍ରତି କାହାରି ଦୃଷ୍ଟି ନାହିଁ । ଯାହାଫଳରେ ସାଧାରଣରେ ପ୍ରବଳ ଅସନ୍ତୋଷ ଦେଖାଦେଲାଣି । ନଜର ପକାନ୍ତୁ କିଛି ତଥ୍ଯ ଉପରେ ଜଗତସିଂହପୁର ଆର ଆଣ୍ଡ ବିର ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ଦାସ ମେ ୩୧ରୁ ଅବସର ନେଲେ । ଆଜକୁ ସାତ ମାସ ବିତିଥିଲେ ମଧ୍ଯ ତାଙ୍କ ପଦବୀ ଫାଙ୍କା ପଡିଛି । ସେହିପରି ଆରଡି ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଅବସର ପରେ ସାତ ମାସ ହେଲା ତାଙ୍କ ଚୌକି ଫାଙ୍କା ପଡିଛି । ଜିଲ୍ଲା କୃଷି ଅଧିକାରୀ ପୂର୍ଣ୍ଣଦା ଶେଖର ଆଚାର୍ଯ୍ୟ ଅଗଷ୍ଟ ୩୧ରେ ଅବସର ନେଇଥିଲେ ମଧ୍ୟ ତାଙ୍କ ସ୍ଥାନ ଏବେବି ଫାଙ୍କା ପଡ଼ିଛି। ସବୁଠାରୁ ବଡ଼କଥା ହେଲା ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ଜୁଲାଇ ୨୦ ତାରିଖରୁ ପୁରୀ ଜିଲ୍ଲାକୁ ବଦଳି କରାଯାଇଥିଲେ ମଧ୍ୟ ତାଙ୍କ ସ୍ଥାନରେ ଏବେବି ଫାଙ୍କା ରହିଛି। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପ୍ରାଣୀ ଚିକିତ୍ସା ବିଭାଗରେ ବହୁ ଅଧିକାରୀଙ୍କ  ଚୌକି ଫାଙ୍କା ରହିଛି। ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ଚୌକି ଦୀର୍ଘ ବର୍ଷ ଧରି ଫାଙ୍କା ରହିଛି। ଜଗତସିଂହପୁର ଥାନା, ନାଉଗାଁ ଥାନା ଏବଂ ତିର୍ତ୍ତୋଲ ଥାନା ଅଧିକାରୀଙ୍କ ଚୌକିରେ ଦୀର୍ଘ ଦିନ ହେଲାଣି କାହାରି ବସିବା ଦେଖିବାକୁ ମିଳୁନାହିଁ। ବିଭିନ୍ନ କେଶର ୱାରେଣ୍ଟ ଆସାମୀ ମାନେ ପଦାରେ ବୁଲୁଥିବା ଅଭିଯୋଗ ହେଉଛି। ଶିକ୍ଷା ବିଭାଗ କଥା କହିଲେ ଆଶ୍ଚର୍ଯ୍ୟ ଲାଗିବ। ଜିଲ୍ଲାର ସର୍ବପୁରାତନ ଏସ ଭି ଏମ କଲେଜର ଅଧ୍ୟକ୍ଷ ବିଜୟ କୁମାର ପାତ୍ର ଜୁନ ୬ ତାରିଖ ଠାରୁ ଚୌକି ଛାଡିଲା ପରଠାରୁ ଅଧ୍ଯକ୍ଷ କେହି ନାହାନ୍ତି। ଏହିପରି ଅନେକ ବିଭାଗରେ ଖାଲି ପଡିଛି ପଦବୀ । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବଢି ବଢି ଚାଲିଛି । ଗଲା ବିଧାନସଭା ନିର୍ବାଚନ ପର ଠାରୁ ଜିଲ୍ଲାରେ ବିଭିନ୍ନ ବିଭାଗରେ ଅଧିକାରୀଙ୍କ ମରୁଡିକୁ ନେଇ ସାଧାରଣରେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ସାଧାରଣ ଲୋକେ।

ସେପଟେ ସରକାରୀ ଅଧିକାରୀଙ୍କ ଚୌକି ଫାଙ୍କା ପଡିଥିବାରୁ ଜିଲ୍ଲାରେ କୌଣସି ଉନ୍ନୟନ ମୂଳକ କାର୍ଯ୍ଯ ହୋଇପାରୁନାହିଁ । ସବୁ କାମ ଠପ ହୋଇ ପଡିଛି। ଫଳରେ ଲୋକଙ୍କ ସମସ୍ଯା ଦିନକୁ ଦିନ ବଢିବାରେ ଲାଗିଛି । ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲଙ୍କୁ ପଚାରିବାରୁ ସେ ମଧ୍ଯ ଏହାକୁ ସ୍ଵୀକାର କରିଛନ୍ତି । ଜଗତସିଂହପୁର ଜିଲ୍ଲାରେ ପୋଲିସ ପ୍ରଶାସନର ବିଭାଗ ଗୁଡିକରେ ସମ୍ପୂର୍ଣ୍ଣ ଅଚଳାବସ୍ଥା ଦେଖା ଦେଲାଣି। ଯାହାଫଳରେ ବୃଦ୍ଧିଜୀବୀ, ସମାଜସେବୀ,ସାଧାରଣ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଲେଣି ।

Latest Posts

Don't Miss