ରୂପାନ୍ତରଣ ପଥେ ଓଡ଼ିଶା, ପାଣ୍ଡିଆନଙ୍କୁ ସବୁଠି ପ୍ରଂଶସା

1 min read

ଭୁବନେଶ୍ବର: ରୂପାନ୍ତରଣ ପଥେ ଓଡ଼ିଶା । ନୂଆ ଓଡ଼ିଶା ଓ ନବୀନ ଓଡ଼ିଶା ନିର୍ମାଣ ଚାଲିଛି । ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, ଶିଳ୍ପ, ପର୍ଯ୍ୟଟନ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କ ବିକଶିତ ଓଡ଼ିଶାର ସ୍ବପ୍ନକୁ  ସବୁକ୍ଷେତ୍ରରେ ସଫଳ ରୂପାନ୍ତରଣ କରି ପୂରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା ।  ନବୀନଙ୍କ ନିର୍ଦ୍ଦେଶରେ ରୁପାନ୍ତରିତ ଓଡ଼ିଶାର  ବିନ୍ଧାଣୀ ସାଜିଥିଲେ ଭି କେ ପାଣ୍ଡିଆନ । ଆଇଏଏସ ଚାକିରିରୁ ପାଣ୍ଡିଆନ ସ୍ବେଚ୍ଛାକୃତ ଅବସର ନେବା ଓ ତାଙ୍କୁ ନୂଆ ଦାୟିତ୍ବ ମିଳିବା ପରେ ତାଙ୍କ କାମ ଓ ପ୍ରଶାସନିକ ଦକ୍ଷତାକୁ ପ୍ରଶଂସା କରିଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳର ନେତାମାନେ ।

ଭି.କେ ପାଣ୍ଡିଆନ । ଉପଜିଲ୍ଲାପାଳରୁ ଫାଇଭ-ଟି ସଚିବ ଯାଏ । ସବୁଠି ଦକ୍ଷତା ଦେଇଛି ତାଙ୍କୁ ସ୍ବତନ୍ତ୍ର ପରିଚୟ । ନିଜ ଦାୟିତ୍ବ ଓ ଲୋକାଭିମୁଖି କାର୍ଯ୍ୟକ୍ରମ ପାଇଁ  ରାଷ୍ଟ୍ରପତିଙ୍କ ଠାରୁ କେନ୍ଦ୍ର ସରକାରଙ୍କ  ପକ୍ଷରୁ ତାଙ୍କ କାମକୁ ଅନେକ ପୁରସ୍କାର ଓ  ପ୍ରଶଂସା ମିଳିଛି । ନିଜ କର୍ତ୍ତବ୍ୟ ଓ ଦାୟିତ୍ବକୁ ବୁଝୁଥିବା ପାଣ୍ଡିଆନ ସବୁବେଳେ ଲୋକଙ୍କ ହିତରେ କାମ କରି ସଭିଁଙ୍କ ପ୍ରିୟପାତ୍ର ସାଜିଛନ୍ତି । ସୋମବାର ପ୍ରଶାସନିକ ଚାକିରିରୁ ସ୍ବେଚ୍ଛାକୃତ ଅବସର ଓ ମଙ୍ଗଳବାର ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ତାଙ୍କୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା । ୨୦୦୭ ମସିହାରେ ଗଂଜାମର ଜିଲ୍ଲାପାଳ ଭାବେ ନିଜର ପ୍ରଶାସନିକ ଦକ୍ଷତା ଦେଖାଇବା ପରେ ୨୦୧୧ରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାମ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ସାଉଁଟିଥିଲେ ।

ପରେ ୨୦୧୯ରେ ଫାଇଭ-ଟି ସଚିବ ଭାବେ ନିଜର ଦାୟିତ୍ବ ତୁଲାଇଥିଲେ। ତାଙ୍କ କାମ ହିଁ ତାଙ୍କର ପରିଚୟ ହୋଇଥିବାରୁ ବିକଶିତ ଓଡିଶା ଗଠନ ପ୍ରକ୍ରିୟା ଅଧିକ ତ୍ବରାନ୍ବିତ ହୋଇଥିଲା । ଲୋକସେବାକୁ ନିଜ କାମର ମୂଳମନ୍ତ୍ର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେ ପ୍ରିୟପାତ୍ର ହୋଇପାରିଥିଲେ । କଳାହାଣ୍ଡି, ଗଂଜମ, ମୟୁରଭଞ୍ଜ ଠାରୁ ଆରମ୍ଭ କରି ପୂରା ଓଡ଼ିଶା ପାଣ୍ଡିଆନଙ୍କ ଦକ୍ଷତାକୁ ଗ୍ରହଣ କରିଛି ବୋଲି ଶାସକ ଦଳ କହିଛି । ଏବେ ସେ ରାଜନୀତିକୁ ଆସିନାହାନ୍ତି ଯଦି ଆସିବେ ଲୋକେ ତାଙ୍କୁ ସମ୍ମାନ ଭଲ ପାଇବା ଦେବେ ବୋଲି ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ।

୨୦୧୯ରେ ପଞ୍ଚମ ପାଳିରେ ଶାସନ ବ୍ୟବସ୍ଥାରେ ନବୀନ ୫ଟି ଓ ମୋ ସରକାରଙ୍କ ସାମିଲ କଲେ । ଯାହାର ଗୁରୁଦାୟିତ୍ବ ଭି କେ ପାଣ୍ଡିଆନଙ୍କ ଉପରେ ନ୍ୟସ୍ତ କଲେ । ବିକାଶକୁ ଦ୍ରୁତ ଗତିରେ ଆଗେଇନେବାକୁ ଫାଇଭ-ଟି ଓ ମୋ ସରକାରକୁ  ପ୍ରାଥମିକତା ଦେଇ ମିଶନ ମୋଡରେ କାମ କଲେ । ରୂପାନ୍ତରଣ ମାଧ୍ୟମରେ ରାଜ୍ୟ ସବୁ କ୍ଷେତ୍ରରେ ଦେଶରେ ଅଗ୍ରଣୀ ରାଜ୍ୟରେ ପରିଣତ ହେଲା  । ନବୀନଙ୍କ ବିକଶିତ ଓଡ଼ିଶା ଗଠନ  କିଛି ଅସୁବିଧା ଯେମିତି ନରହିବ ସେ ନେଇ ୬ମାସ ଧରି ୩୦ଟି ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ସହ ସିଧାସଳଖ ଆଲୋଚନା କଲେ । ଲୋକେ ଅଭିଯୋଗ ଆଣିଲେ ଓ ତାହାର ସମାଧାନର ବାଟ ବାହର କଲେ ପାଣ୍ଡିଆନ । ଯାହା ଘରେ ଘରେ ଓ ଲୋକଙ୍କ ହୃଦୟେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କଲା । ପାଣ୍ଡିଆନଙ୍କ ଏପରି କାର୍ଯ୍ୟଦକ୍ଷତାକୁ କେବଳ ଶାସକ ଦଳର  ବରିଷ୍ଠ ବିଧାୟକମାନେ ନୁହନ୍ତି ଓ ବିରୋଧୀ ଦଳର ଫାୟାରବ୍ରାଣ୍ଡ ବିଧାୟକଙ୍କ ବି ରାଜନୀତିର ଉର୍ଦ୍ଧ୍ବରେ ରହି ପ୍ରଶଂସା କରିଛନ୍ତି ।

ପାଣ୍ଡିଆନଙ୍କ ଦକ୍ଷତାସଂପନ୍ନ କାର୍ଯ୍ୟଧାରା ଓ ଜନସେବା ମନୋବୃତ୍ତିକୁ ରାଜ୍ୟବାସୀ ଗ୍ରହଣ କରିଛନ୍ତି । ଆଗକୁ ବିକଶିତ ଓଡ଼ିଶା ଗଠନ ସହ  ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି । ଯାହାକୁ ନେଇ ପୂରା ଓଡ଼ିଶାରେ ଉତ୍ସାହ ଓ ଚର୍ଚ୍ଚା ।