ଉଜବେକିସ୍ତାନରେ କଫସିରପ ପିଇ ୬୫ ଶିଶୁଙ୍କ ମୃତ୍ୟୁ ଘଟଣା; ଟେଷ୍ଟିଂ ନକରିବାକୁ ଦିଆଯାଇଥିଲା ୩୩,ooo ଡଲାର ଲାଞ୍ଚ

1 min read

ନୂଆଦିଲ୍ଲୀ: ଉଜବେକିସ୍ତାନରେ ଭାରତୀୟ କମ୍ପାନି ଦ୍ବାରା ପ୍ରସ୍ତୁତ ସଂକ୍ରମିତ କଫ ସିରପ ପିଇ ୬୫ ଶିଶୁଙ୍କ ମୃତ୍ୟୁ ଘଟଣା। ପଦାକୁ ଆସୁଛି କଫ ସିରପ ଜନିତ ମୃତ୍ଯୁ ପଛର ସତ। ଉଜବେକିସ୍ତାନର ଡିଷ୍ଟ୍ରିବ୍ୟୁଟରମାନେ ଏହି ଡକ୍-1 ମାକ୍ସ କଫ ସିରପ ଲାଗି ଥିବା ବାଧ୍ଯତାମୂଳକ ଟେଷ୍ଟିଂ ନ କରିବା ଲାଗି ୩୩ ହଜାର ଡଲାର ଲାଞ୍ଚ ପ୍ରଦାନ କରିଥିଲେ।

ଏହି ମାମଲାରେ ୨୦ଜଣ ଉଜବେକ ନାଗରିକ ଓ ଜଣେ ଭାରତୀୟ ନାଗରିକଙ୍କୁ ଜେରା ଚାଲିଥିବା ସୂଚନା ମିଳିଛି। ଭାରତର ମାରିୟନ ବାୟୋଟେକ କମ୍ପାନୀ ଦ୍ବାରା ପ୍ରସ୍ତୁତ କଫ ସିରପକୁ ଉଜବେକିସ୍ତାନରେ କ୍ବାରାମାକ୍ସ ମେଡିକାଲ ଜରିଆରେ ବିକ୍ରି କରାଯାଉଥିଲା। ଏହି କମ୍ପାନୀର ୩ଜଣ ଏକଜିକ୍ଯୁଟିଭଙ୍କ ମଧ୍ୟରୁ ଜଣେ ଅଛନ୍ତି ଭାରତୀୟ।

ଭାରତରୁ ପଠାଯାଇଥିବା ସିରପକୁ ପରୀକ୍ଷାନିରୀକ୍ଷା ନ କରିବା ଲାଗି କ୍ବାରାମାକ୍ସ ସିଇଓ ସିଂ ରାଘବେନ୍ଦ୍ର ପ୍ରତାର ସରକାରୀ ପଦାଧିକାରୀଙ୍କୁ ୩୩ ହଜାର ଡଲାର ଲାଞ୍ଚ ଦେଇଥିଲେ। କୋର୍ଟରେ ଜେରାବେଳେ ରାଘବେନ୍ଦ୍ର ଏହାକୁ ସ୍ବୀକାର କରିଥିବା ସୂଚନା ମିଳିଛି। ଗତ ୨୦୨୨ ଡିସେମ୍ବରରେ ଭାରତୀୟ କମ୍ପାନୀ ମାରିୟନ ବାୟୋଟେକ ଦ୍ବାରା ପ୍ରସ୍ତୁତ ଡକ-1 ମାକ୍ସ କଫ ସିରପ କମ୍ପାନିର ଔଷଧ ପିଇ ଉଜବେକିସ୍ତାନରେ ୬୫ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ସିରପରେ ଏଥିଲିନ ଗ୍ଲାଇକଲ ରହିଥିଲା ବୋଲି ସେତେବେଳେ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା।