ରିସର୍ଟ ରିସେପସନିଷ୍ଟଙ୍କୁ ନଦୀକୁ ଠେଲି ହତ୍ୟା, ବିଜେପି ନେତାଙ୍କ ପୁଅ ଗିରଫ

ଡେରାଡୁନ୍‌: ଉତ୍ତରାଖଣ୍ଡ ପୌଡ଼ି ଗଢ଼ୱାଲ ଜିଲ୍ଲାର ଯମକେଶ୍ବର ଅଞ୍ଚଳରେ ଅଭାବନୀୟ ଘଟଣା । ଏକ  ରିସୋର୍ଟରେ ରିସେପସନିଷ୍ଟ ଥିବା ଜଣେ ଯୁବତୀଙ୍କୁ ନଦୀକୁ ଠେଲି ହତ୍ୟା କରାଯାଇଛି । ୧୯ ବର୍ଷୀୟ ଅଙ୍କିତା ଗତ ୧୮ ତାରିଖରୁ ନିଖୋଜ ହୋଇଯାଇଥିଲେ । ଅଙ୍କିତାଙ୍କୁ ପାହାଡ଼ ଉପରୁ ଗଙ୍ଗା ନଦୀକୁ ଠେଲି ହତ୍ୟା କରାଯାଇଛି । ଉଦ୍ଧାରକାରୀ ଦଳ ଜିଲ୍ଲା ପାୱାର ହାଉସ୍‌ ଆଖପାଖ ଅଞ୍ଚଳରେ ତଲାସି କାର୍ଯ୍ୟ ଜାରି ରଖିଛନ୍ତି ।

୧୮ ତାରିଖ ରାତିରେ ଅଙ୍କିତାକୁ ହତ୍ୟା କରାଯାଇଥିବା ପୋଲିସ୍‌ କହିଛି । ମାମଲାରେ ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟକୁ ଗିରଫ କରିଛି ପୋଲିସ । ପୁଲକିତ ଏହି ରିସୋର୍ଟର ସଂଚାଳକ ଥିଲେ । ଅଙ୍କିତା ନିଖୋଜ ହେବା ପରେ ରିସୋର୍ଟର ସଂଚାଳକ ଏବଂ ଏହାର ମ୍ୟାନେଜର ଫେରାର ହୋଇଯାଇଥିଲେ । ପରେ ସେମାନଙ୍କୁ ଗିରଫ କରାଯାଇଛି ।

ଗିରଫ ପରେ ପୁଲକିତ ପୋଲିସକୁ ମିଛ କହିଥିଲା । ଅଙ୍କିତା କିଛି ଦିନ ଧରି ମାନସିକ ଚାପରେ ରହୁଥିଲେ । ତେଣୁ ସେମାନେ ୧୮ ସେପ୍ଟେମ୍ୱରରେ ଅଙ୍କିତାକୁ ଋଷିକେଶ ବୁଲାଇ ନେଇଥିଲେ । ମଧ୍ୟ ରାତ୍ରିରେ ସେଠାରୁ ସମସ୍ତେ ଫେରିଥିଲେ । ପରେ ସମସ୍ତେ ରିସୋର୍ଟର ଅଲଗା ଅଲଗା ରୁମ୍‌ରେ ଶୋଇବାକୁ ଯାଇଥିଲେ । ହେଲେ ୧୯ ତାରିଖ ସକାଳୁ ସେମାନେ ଅଙ୍କିତା ରୁମ୍‌ରେ ନଥିବା ଦେଖିଥିଲେ ବୋଲି ପୋଲିସ୍‌କୁ କହିଥିଲା ଅଭିଯୁକ୍ତ ପୁଲକିତ । ଏହି ଘଟଣା ସମ୍ପୂର୍ଣ୍ଣ ମିଛ ବୋଲି ପଛରେ ପୋଲିସ୍‌ ଜାଣିବାକୁ ପାଇଥିଲା ।