ଉତ୍ତରକାଶୀରେ ପ୍ରକୃତିର ତାଣ୍ଡବ: ବାଦଲ ଫଟା ବର୍ଷାରେ ଧୋଇଗଲା ଗାଁ, ଉଦ୍ଧାର କାର୍ଯ୍ୟରେ ସେନା ମୁତୟନ
1 min read
ନନ୍ଦିଘୋଷ ବ୍ୟୁରୋ: ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ଧରାଲି କ୍ଷେତ୍ରର ଖିର ଗଙ୍ଗା ନଦୀରେ ବାଦଲ ଫଟା ବର୍ଷା ପରେ ତାଣ୍ଡବ । ହଠାତ ନଦୀରେ ବନ୍ୟା ଆସି ସବୁକିଛି ଭସାଇ ନେଇଛି । ଶନିବାର ସକାଳେ ଆସିଥିବା ଏହି ପ୍ରାକୃତିକ ଦୁର୍ବିପାକରେ ଧରାଲି ବଜାରକୁ ବହୁତ କ୍ଷତି ହୋଇଛି । ନଦୀର ପ୍ରଖର ସ୍ରୋତରେ, ଦୋକାନ, ଗାଡି ମୋଟର, ଲୋକଙ୍କ ଘର, ସରକାରୀ ପ୍ରତିଷ୍ଠାନ ସହ ରାସ୍ତାଘାଟ ସମ୍ପୂର୍ଣ୍ଣ ଧୋଇଯାଇଛି ।
ଲୋକଙ୍କ କହିବା ଅନୁସାରେ କେହି କିଛି ବୁଝିବା ଆଗରୁ ସବୁ କିଛି ବନ୍ୟା ପାଣିରେ ଧୋଇ ହୋଇଯାଇଥିଲା । ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, କାଦୁଅ ସାଙ୍ଗରେ ବଡ଼ ବଡ଼ ପଥର ବଜାର ଅଞ୍ଚଳକୁ ଚାଲି ଆସିଥିଲା । ଏତେ ପରିମାଣରେ ପାଣି ଓ କାଦୁଆ ସିଥିଲା ଯେ, ତା’ ରାସ୍ତାରେ ଯାହା ଆସିଥିଲା ଭାସି ଯାଇଥିଲା କିମ୍ବା ଦବି ଯାଇଥିଲା ।
ଏବେ ସେଠାରେ କେବଳ ଧ୍ବଂସ ଆଉ ଧ୍ବଂସ ଦେଖିବାକୁ ମିଳୁଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ କେତେ ଲୋକଙ୍କ ମୃତ୍ୟୁ ଘଟିଛି, କେତେ ଲୋକ ନିଖୋଜ ଅଛନ୍ତି ତାହା ସ୍ପଷ୍ଟ ହୋଇନି । ପ୍ରାୟ ୨୦ ମିଟର ଉଚ୍ଚାର ଭଗ୍ନାବଶେଷ ସେଠାରେ ଜମା ହୋଇଥିବା କୁହାଯାଉଛି । ଗୃହମନ୍ତ୍ରୀ ଅମିତ ଶାହ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ସବୁ ପ୍ରକାର ସହଯୋଗର ଆଶ୍ବାସନା ଦେଇଛନ୍ତି ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂହ ଧାମି କହିଛନ୍ତି, ଏହି ବାଦଲ ଫଟା ବର୍ଷାରେ ବହୁତ କ୍ଷତି ହୋଇଛି । ଯାହା ଅତ୍ୟନ୍ତ ଦୁଃଖଦାୟକ । ଉଦ୍ଧାର କାର୍ଯ୍ୟରେ SDRF, MDRF, ଜିଲ୍ଲା ପ୍ରଶାସନ ଓ ଅନ୍ୟ ସଂସ୍ଥାମାନେ ଲାଗିଛନ୍ତି । ବରିଷ୍ଠ ଅଧିକାରୀଙ୍କ ସମ୍ପର୍କରେ ରହିବା ସହ ସ୍ଥିତି ଉପରେ ଟିକନିକ ନଜର ରଖିଛି । ସମସ୍ତେ ଭଲରେ ଥିବା ନେଇ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ।
କିଛି ଲୋକ ଭଗ୍ନାବଶେଷ ମଧ୍ୟରେ ଦବି ରହିଥିବା ଆଶଙ୍କା କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ସରକାରୀ ସ୍ତରରେ ଏନେଇ କୌଣସି ପୁଷ୍ଟି କରାଯାଇନାହିଁ । ପ୍ରଶାସନ ପକ୍ଷରୁ କୁହାଯାଇଛି ଅତ୍ୟଧିକ ବର୍ଷା କାରଣରୁ ଜଳସ୍ତର ହଡାତ ବଢ଼ି ଯାଇଥିଲା । ଯାହାଦ୍ବାରା ଘରାଲି କ୍ଷେତ୍ରରେ ବହୁତ କ୍ଷତି ହୋଇଥିବା ସୂଚନା ମିଳିଛି ।