ଓଡ଼ିଶାବାସୀଙ୍କ ପାଇଁ ଦୀପ ଜାଳିଲେ ଉତ୍ତରକାଶୀବାସୀ

ଉତ୍ତରକାଶୀ: ଉତ୍ତରକାଶୀ ଜଗନ୍ନାଥ ମନ୍ଦିରରୁ ଆସିଲା ଭାବବିହ୍ୱଳ ଦୃଶ୍ୟ । ଓଡ଼ିଶାବାସୀ ଓ ବିଶ୍ବର ଶ୍ରୀଜଗନ୍ନାଥ ଭକ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରି ଦୀପ ଜାଳିଲେ ଉତ୍ତରାକାଶୀର ଗୁପ୍ତ ଶ୍ରୀକ୍ଷେତ୍ରବାସୀ । ଉତ୍ତରାଖଣ୍ଡ ଉତ୍ତରକାଶୀର ଜଗନ୍ନାଥ ମନ୍ଦିରକୁ ନେଇ କିଛିଦିନ ଭକ୍ତଙ୍କ ମଧ୍ୟରେ ଯେଉଁଭଳି ଚର୍ଚ୍ଚା ଓ ଆଲୋଚନା ଚାଲିଛି ତାହା ମନ୍ଦିର ପାଇଁ ଅନେକ ଶୁଭ ଖବର ଆଣିଦେଇଛି । ଯାହା ସ୍ଥାନୀୟ ଗ୍ରାମବାସୀଙ୍କ ମନରେ ଅନେକ ଆନନ୍ଦ ଓ ଉତ୍ସାହ ଆଣିଛି । ଖୁସିରେ ଆଜି ଗ୍ରାମବାସୀ ଏକାଠି ହୋଇ ଜଗନ୍ନାଥ ଭକ୍ତଙ୍କୁ ତାଙ୍କ ଶୁଭକାମନା ପାଇଁ ଧନ୍ୟବାଦ ଦେବାସହ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ସବ୍ୟସାଚୀ, ଅର୍ଚ୍ଚିତା ଓ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କଠାରୁ ମନ୍ଦିର ବିଷୟରେ ଜାଣିବା ପରେ ଏହାର ଉନ୍ନତି ପାଇଁ ଘୋଷଣା କରିଛନ୍ତି । ଏଥିପାଇଁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଦେବାସହ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଗ୍ରାମର ବୟସ୍କ ବ୍ୟକ୍ତିମାନେ ଏହି ଭଳି ଏକ ଦିନକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ । ମନ୍ଦିରରେ ମହାପ୍ରଭୁଙ୍କ ପୂଜା ପାଇଁ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଚେଷ୍ଟା ପ୍ରଭୁଙ୍କ ଆଶୀର୍ବାଦ ବୋଲି କହିଛନ୍ତି । ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ଗ୍ରାମର ଝିଅ ଓ ଜ୍ବାଇଁର ଆଖ୍ୟା ଦେବା ସହ ଅନେକ ଆଶୀର୍ବାଦ ଦେଇଛନ୍ତି ଗ୍ରାମବାସୀ ।