ଧସି ଧସି ଯାଉଛି ଯୋଶୀମଠ; ବିସ୍ଥାପିତଙ୍କ ପୁର୍ନବସତି ପାଇଁ ଚାଲିଛି ଜମି ଚିହ୍ନଟ
1 min read
ଚୋମୋଲି: ବଡ଼ ବଡ଼ ନିର୍ମାଣ ପାଇଁ ବିପଦରେ ୬୦୦ରୁ ଅଧିକ ପରିବାର। ଧସି ଧସି ଯାଉଛି ଯୋଶୀମଠ। ଉତ୍ତରାଖଣ୍ଡର ଚୋମୋଲି ପ୍ରଶାସନର ବ୍ୟାପକ ବ୍ୟବସ୍ଥା। ଏନଡିଆରଏଫ ଟିମ୍ ସହ ମିଶି ଅସୁରକ୍ଷିତ ଘର କରୁଛନ୍ତି ଚିହ୍ନଟ । ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଘରେ ଏବେ ଚିହ୍ନ ଲଗାଯାଉଛି। ଏପର୍ଯ୍ୟନ୍ତ ୬୦୩ଟି ଘରେ ବଡ଼ ବଡ଼ ଫାଟ ଦେଖାଗଲାଣି।
ସୂଚନା ଅନୁଯାୟୀ, ୧୦୦ଟି ଘର ଏମିତି ଅଛି ଯେକୌଣସି ସମୟରେ ଧଶିଯିବ । ୬୫ ପରିବାରକୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିବା ବେଳେ ପ୍ରକ୍ରିୟା ଜାରି ରହିଛି। ଶଙ୍କରାଚାର୍ଯ୍ୟଙ୍କ ମଠରେ ମଧ୍ୟ ଫାଟ ଦେଖିବାକୁ ମିଳିଛି। ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଯୋଶୀମଠ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ପ୍ରଭାବିତ ପରିବାର ସହ ସାକ୍ଷାତ କରିଥିଲେ। ସମସ୍ତ ବିସ୍ଥାପିତଙ୍କ ପୁର୍ନବସତି ପାଇଁ ଜମି ଚିହ୍ନଟ ହେବ ବୋଲି କହିଥିଲେ । ତେବେ ଜମି ଚିହ୍ନଟ ବେଳେ ଭୂସ୍ଖଳନ ନେଇ ଯାଞ୍ଚ କରାଯିବ । ସେଥିପାଇଁ ଭାରତୀୟ ଭୂ-ବିଜ୍ଞାନ ସର୍ବେକ୍ଷଣକୁ ଦାୟିତ୍ୱ ଦିଆଯାଇଛି ।
ଏଥିସହ ପ୍ରଭାବିତଙ୍କୁ ଆବଶ୍ୟକୀୟ ସାମଗ୍ରୀ ଓ ସୁରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହିତ ଫୋନରେ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ତଥା ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।