spot_img

Latest Posts

ପୁଣି ଅଧାରେ ଅଟକିଲା ରେସ୍କ୍ୟୁ ଅପରେସନ୍, ଉଦ୍ଧାର ପାଇଁ ନୂଆ ରଣନୀତି

ଉତ୍ତରକାଶୀ: ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାରରେ ବାଧା। ଚାଲିଥିବା ଡ୍ରିଲିଂରେ ଧାତୁ ଆସିବାରୁ ଖନନରେ ବ୍ୟାପକ ସମସ୍ୟା ଦେଖାଦେଇଛି। ଅଗର ମେସିନ୍ ଖରାପ ହେବାରୁ ଏବେ ବନ୍ଦ ରହିଛି ଖନନ କାମ। ହରିଜଣ୍ଟାଲ ଖନନ ପାଖାପାଖି ୪୮ ମିଟର ସରିଥିବାବେଳେ ଆଉ ମାତ୍ର ୧୦ ମିଟର ରହିଥିଲା।

ତେବେ ରାସ୍ତାରେ ମେଟାଲ ଆସିବାରୁ ଅଗର ମେସିନକୁ ଖୋଳିବାରେ ସମସ୍ୟା ଦେଖାଦେଇଛି। ବର୍ତ୍ତମାନ ଡ୍ରିଲିଂକୁ ବନ୍ଦ ରଖାଯାଇଛି। ଶ୍ରମିକଙ୍କୁ ଉଦ୍ଧାର ଲାଗି ବିକଳ୍ପ ବ୍ୟବସ୍ଥା ଉପରେ ଆଲୋଚନା କରାଯାଉଛି। ଅଗର ମେସିନ ବଦଳରେ ମାନୁଆଲ ଡ୍ରିଲିଂ ଲାଗି ନିଷ୍ପତ୍ତି ନିଆଯାଇଛି। ମେସିନ ବଦଳରେ ଶ୍ରମିକ ଏହି ଖନନ କାର୍ଯ୍ୟ କରିବେ। ସେପଟେ ଉପରୁ ଭର୍ଟିକାଲ ଡ୍ରିଲିଂ ପାଇଁ ମଧ୍ୟ କାମ ଆରମ୍ଭ ହୋଇଗଲାଣି । ଉପରକୁ ସମସ୍ତ ମେସିନ ନିଆଯାଉଛି । ଉପରୁ ମଧ୍ୟ ଭର୍ଟିକାଲ ଡ୍ରିଲିଂ କରି ଶ୍ରମିକଙ୍କୁ ଉଦ୍ଧାର ଲାଗି ପ୍ରୟାସ ଚାଲିଛି।

ସେପଟେ ଶ୍ରମିକଙ୍କୁ ପାଇପ ଯୋଗେ କିପରି ବାହାର କରାଯିବ ଏ ନେଇ ଅଭ୍ୟାସ କରିଛନ୍ତି ଏନଡିଆରଏଫ ଟିମ। ଉଦ୍ଧାର ପାଇଁ ପ୍ରାୟ ୯୦୦ ମିଲିମିଟରର ଯେଉଁ ପାଇପ ଖଞ୍ଜା ଯାଇଛି, ତା ମଧ୍ୟଦେଇ ଷ୍ଟ୍ରେଚରରେ ଶ୍ରମିକଙ୍କୁ ଦଉଡି ସାହାଯ୍ୟରେ ଟଣାଯିବ। ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ । ବାହାର ପଟରୁ ଏକ ଶକ୍ତ ଦଉଡି ଏହି ଷ୍ଟ୍ରେଚରରେ ବନ୍ଧା ହୋଇଥିବ। ସେପଟୁ ଜଣେ ଶ୍ରମିକ ଷ୍ଟ୍ରେଚର ଉପରେ ଶୋଇ ରହିବେ ଓ ଏପଟୁ ଉଦ୍ଧାରକାରୀ ଟିମ୍ ଦଉଡି ମାଧ୍ୟମରେ ଷ୍ଟ୍ରେଚର ସହ ଶ୍ରମିକଙ୍କୁ ଟାଣି ଆଣିବେ। ଏହି ପରି ଜଣଙ୍କ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରତିଥର ଷ୍ଟ୍ରେଚରକୁ ଭିତରକୁ ପଠାଯିବ । ଶ୍ରମିକଙ୍କ ପାଖରେ ପହଂଚିବାକୁ ୬ ମିଟର ଲେଖାଏଁ ଆଉ ୨ଟି ପାଇପ ଖଞ୍ଜିବାକୁ ପଡିବ। ପାଇବ ପହଞ୍ଚିବା ପରେ ଶ୍ରମିକଙ୍କୁ ଉଦ୍ଧାର କରାଯିବ।

Latest Posts

Don't Miss