କାହିଁକି ବିଳମ୍ବ ହେଉଛି ଉତ୍ତରକାଶୀ ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ?

ଉତ୍ତରକାଶୀ: ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକ ମାନେ ଆଜି ଉଦ୍ଧାର ହୋଇପାରନ୍ତି। ଉଦ୍ଧାର ପାଇଁ ପ୍ରାୟ ୯୦୦ ମିଲିମିଟରର ଯେଉଁ ପାଇପ ଖଞ୍ଜା ଯାଇଛି, ତା ମଧ୍ୟଦେଇ ଷ୍ଟ୍ରେଚରରେ ଶ୍ରମିକଙ୍କୁ ଦଉଡି ସାହାଯ୍ୟରେ ଟଣାଯିବ। ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ । ବାହାର ପଟରୁ ଏକ ଶକ୍ତ ଦଉଡି ଏହି ଷ୍ଟ୍ରେଚରରେ ବନ୍ଧା ହୋଇଥିବ। ସେପଟୁ ଜଣେ ଶ୍ରମିକ ଷ୍ଟ୍ରେଚର ଉପରେ ଶୋଇ ରହିବେ ଓ ଏପଟୁ ଉଦ୍ଧାରକାରୀ ଟିମ୍ ଦଉଡି ମାଧ୍ୟମରେ ଷ୍ଟ୍ରେଚର ସହ ଶ୍ରମିକଙ୍କୁ ଟାଣି ଆଣିବେ।
ଏହି ପରି ଜଣଙ୍କ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରତିଥର ଷ୍ଟ୍ରେଚରକୁ ଭିତରକୁ ପଠାଯିବ । ଆଉ କେମିତି ଏହି ଷ୍ଟ୍ରେଚର ମାଧ୍ୟମରେ ଉଦ୍ଧାର ହେବେ ଶ୍ରମିକ, ତାର ଏକ ପରୀକ୍ଷା ଏନଡିଆରଏଫ୍ ତରଫରୁ କରାଯାଇଛି। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଶ୍ରମିକଙ୍କ ପରିବାର ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ମଝିରେ ମଝିରେ ଉଦ୍ଧାରକାରୀ ଦଳର ନେତୃତ୍ୱ ନେଉଥିବା ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ଅପରେସନ୍ ବାବଦରେ ତାଜା ତଥ୍ୟ ମଧ୍ୟ ରଖୁଛନ୍ତି।
ଉଦ୍ଧାରସ୍ଥଳରେ ନିୟୋଜିତ ଅଧିକାରୀମାନେ କହିଛନ୍ତି, ଡ୍ରିଲିଂ ବେଳେ ବାରମ୍ବାର ବାଧା ଆସୁଥିବାରୁ ଅଟକୁଛି କାମ। ଯେଉଁଥିପାଇଁ ଉଦ୍ଧାରକାର୍ଯ୍ୟ ବିଳମ୍ବିତ ହେଉଛି। ଶୁକ୍ରବାର ଡ୍ରିଲିଂ କରି ପାଇପ ଖଞ୍ଜିବାବେଳେ ହଠାତ୍ ପଥର ଆସିଯିବାରୁ ପାଇପ୍ ମୋଡି ହୋଇଯାଇଥିଲା। ଫଳରେ ୧.୨ ମିଟରର ପାଇପକୁ କାଟିବାକୁ ପଡିଥିଲା। ଅନୁମାନ କରାଯାଉଛି ଆଗାମୀ ସାଢେ ୫ ମିଟର ଯାଏଁ କୌଣସି ବାଧା ଆସିବ ନାହିଁ। କୁହାଯାଉଛି ଶ୍ରମିକଙ୍କ ପାଖରେ ପହଂଚିବାକୁ ୬ ମିଟର ଲେଖାଏଁ ଆଉ ୨ଟି ପାଇପ ଖଞ୍ଜିବାକୁ ପଡିବ। ଯଦି ଆଉ କୌଣସି ବାଧା ନଆସେ ତେବେ ଆଜି ଶ୍ରମିକଙ୍କୁ ଉଦ୍ଧାର କରାଯିବ।