spot_img

Latest Posts

ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣା; ଖୁବଶୀଘ୍ର ଉଦ୍ଧାର ହେବେ ଫସିରହିଥିବା ଶ୍ରମିକ…

ଉତ୍ତରକାଶୀ: ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣାରେ ଜୋରସୋରରେ ଚାଲିଛି ଭର୍ଟିକାଲ ଡ୍ରିଲିଂ। ଆଜିଠାରୁ ପୁଣି ଚାଲିବ ହରିଜଣ୍ଟାଲ ଡ୍ରିଲି। ମାନୁଆଲ ଭାବେ ମଣିଷ ଦ୍ବାରା କରାଯିବ ଏହି ଖନନ କାର୍ଯ୍ୟ। ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛି ସେନା। ମାନୁଆଲ୍ ଡ୍ରିଲିଂ କାମ ସେନାର ତତ୍ତ୍ବାବଧାନରେ ଚାଲିଛି। ସେନାର ଚେନ୍ନାଇ ସାପର୍ସ ଇଂଜନିୟରିଂ ଟିମ ଏହି କାମରେ ଲାଗିଛନ୍ତି।

ଗର୍ତ୍ତ ମଧ୍ୟରେ ଫଶି ରହିଥିବା ଅଗର ମେସିନର ଭଗ୍ନ ଅଂଶବିଶେଷକୁ ବାହାର କରାଯାଇଛି। ଉପରୁ ଚାଲିଥିବା ଖନନ କାର୍ଯ୍ୟରେ ବର୍ତ୍ତମାନ ସୁଦ୍ଧା ୩୦ ମିଟର ଖୋଳା ସରିଲାଣି। ମୋଟ ୮୬ ମିଟର ଖୋଳିବା ପରେ ଉପରୁ ଶ୍ରମିକଙ୍କ ନିକଟରେ ପହଞ୍ଚିବେ ଉଦ୍ଧାରକାରୀ ଟିମ୍। ଯଦି କୌଣସି ବାଧା ନ ଆସେ ଆସନ୍ତା ଗୁରୁବାର ସୁଦ୍ଧା ଶ୍ରମିକଙ୍କ ନିକଟରେ ପହଞ୍ଚିବେ ଉଦ୍ଧାରକାରୀ ଟିମ୍ । ୭ଶହ ମିଲିମିଟର ଓସାର ବିଶିଷ୍ଟ ପାଇପ ଉପରୁ ଭିତରକୁ ପଠାଯାଉଛି। ଶ୍ରମିକଙ୍କୁ ଉଦ୍ଧାର ଲାଗି ୬ଟି ପ୍ଲାନକୁ ନେଇ ଚାଲିଛି ଅପରେସନ। ଏହାସହ ବଡ଼କୋଟ ପଟୁ ବ୍ଲାଷ୍ଟିଂ ପ୍ରକ୍ରିୟା ଯୋଗେ ୪୮୩ ମିଟର ରାସ୍ତା ଖୋଳିବାକୁ ମଧ୍ୟ ଯୋଜନା କରାଯାଇଛି।

ବର୍ତ୍ତମାନ ସୁଦ୍ଧା ୫ଟି ବିସ୍ଫୋରଣ କରି ୧୦ରୁ ୧୨ ଫୁଟ୍ ରାସ୍ତା କରାଯାଇଛି। ଦିନକୁ ଅତିକମରେ ୩ଟି ବ୍ଲାଷ୍ଟ କରାଯାଇ ରାସ୍ତା ଖୋଳା କାମ ଚାଲିଛି। ସେପଟେ ଉତ୍ତରକାଶୀ ଅଂଚଳରେ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ହେଲେ ଉଦ୍ଧାରକାର୍ଯ୍ୟରେ ସାମାନ୍ୟ ବାଧା ସୃଷ୍ଟି ହୋଇପାରେ। ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ନିକଟରେ ଲାଇଟ, ଅକ୍ସିଜେନ, ଖାଦ୍ୟ, ପାଣି ଏବଂ ଔଷଧ ପଠାଯାଇଛି। ସେମାନଙ୍କୁ ମୋବାଇଲ ଫୋନ ଦିଆଯାଇଛି। ମୋବାଇଲ ଫୋନରେ ଗେମ୍ ଖେଳିବା ସୁବିଧା ରହିଛି। ଏହି ଗେମ ଖେଳିବା ଦ୍ବାରା ଶ୍ରମିକମାନେ ମାନସିକ ଚାପରୁ ସାମାନ୍ୟ ଦୂରରେ ରହିପାରିବେ।

Latest Posts

Don't Miss