ଭାଙ୍ଗିଲା ଗ୍ଲାସିୟର ଖଣ୍ଡ ! ଝୁଲା ପୋଲ-ବନ୍ଧ-ଡ୍ୟାମ୍‌ ଭାଙ୍ଗିଲା, ୧୫୦ରୁ ଅଧିକ ଲୋକ ନିଖୋଜ

Uttarakhand

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ବଡ଼ ବନ୍ୟା । ଏକାଥରେ ଭାସିଗଲେ ୧୫୦ରୁ ଅଧିକ ଲୋକ । ରବିବାର ସକାଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାସ୍ଥିତ ତାପୋଭାନ ନିକଟରେ ବରଫ ଅତଡ଼ା ଖସିଛି । ଏହାର ପ୍ରଭାବରେ ଋଷିଗଙ୍ଗା ଉପରେ ନିର୍ମିତ ବନ୍ଧ ଭାଙ୍ଗି ଯାଇଛି ଓ ବନ୍ୟା ପରିସ୍ଥିତି ଉପୁଜିଛି । ପ୍ରଶାସନ ପକ୍ଷରୁ ଉଦ୍ଧାକାର୍ଯ୍ୟ ଜାରି ରହିଛି ।

ଚାମୋଲିରେ ଗ୍ଲାସିଅର୍ ଖଣ୍ଡ ଭାଙ୍ଗିବା ପରେ ଜଳ ପ୍ରବାହ ନନ୍ଦପ୍ରାୟାଗ ପର୍ଯ୍ୟନ୍ତ ପହଞ୍ଚିସାରିଲାଣି । ହେଲେ ସବୁଠାରୁ ଆଶ୍ୱସ୍ତିର କଥା ହେଉଛି ନନ୍ଦପ୍ରାୟାଗରେ ପହଞ୍ଚିବା ବେଳକୁ ଜଳ ପ୍ରବାହ ପ୍ରାୟ ସ୍ୱାଭାବିକ ହୋଇସାରିଛି । ଗ୍ଲାସିୟର ଭାଙ୍ଗିବା ପରେ ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥରେ ଯାତାୟତ ବନ୍ଦ କରାଯାଇଛି ।

ଆଇଟିବିପିର ମୁଖପାତ୍ର କହିଛନ୍ତି, ସକାଳ ୧୦ ଟାରେ ସେମାନେ ଏହି ଘଟଣା ନେଇ ସୂଚନା ପାଇଥିଲେ । ପରେ ତୁରନ୍ତ ୨୦୦ ଯବାନଙ୍କୁ ସେଠାରେ ନିୟୋଜିତ କରାଯାଇଛି । ଏବେ ସୁଦ୍ଧା ୬୦୦ ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏବେ ସ୍ଥିତି ନୟନ୍ତ୍ରଣକୁ ଆସିଲାଣି ।

ଅନ୍ୟପଟେ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି ଯେ, ଏହି ଘଟଣା ଉପରେ ସେ ନଜର ରଖିଛନ୍ତି । ସାରା ଦେଶ ଉତ୍ତରାଖଣ୍ଡ ସହ ରହିଛି । ସବୁ ପ୍ରକାର ସାହଯ୍ୟ ସହଯୋଗ ଯୋଗାଇ ଦିଆଯିବ । ସମସ୍ତଙ୍କ ସୁରକ୍ଷା ପାଇଁ ଦେଶ ପ୍ରାର୍ଥନା କରୁଛି । ବରିଷ୍ଠ ଅଧିକାରୀଙ୍କ ସହ ଏନେଇ ଆଲୋଚନା ଚାଲିଛି । NDRF ଯବାନ ନିୟୋଜିତ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଓ ରିଲିଫ୍‌ ବଣ୍ଟନ ନେଇ ସେ ଅବଗତ ଅଛନ୍ତି ।

ଏହି ଘଟଣାରେ ରାହୁଲ ଗାନ୍ଧୀ ମଧ୍ୟ ଦୁଃଖ ପ୍ରକାଶ କରିଚନ୍ତି । ରାଜ୍ୟ ସରକାର ଏହି ଘଟଣାକୁ ଗରୁତ୍ୱ ଦେବା ସହ ପୀଡ଼ିତଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦିଅନ୍ତୁ ବୋଲି ନିବେଦନ କରିଛନ୍ତି । ଏହାସହ କଂଗ୍ରେସ କର୍ମୀମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବା ସହ ଲୋକଙ୍କୁ ସାହାଯ୍ୟ କରନ୍ତୁ ବୋଲି ରାହୁଲ କହିଛନ୍ତି । ଉତ୍ତରାଖଣ୍ଡବାସୀଙ୍କ ପ୍ରତି ତାଙ୍କର ଗଭୀର ସମବେଦନା ଥିବା ସେ କହିଛନ୍ତି ।

ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଯେ, ପୀଡ଼ିତ ଲାେକଙ୍କୁ ସାହାଯ୍ୟ ସହଯୋଗ ପ୍ରଦାନ କରନ୍ତୁ । ଗୁଜୁରାଟରୁ ଯାଇଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ସେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ, ମଲି ଜୋଶିମଠ ଠାରୁ ୨୪ କିଲୋମିଟର ଦୂରରେ ଥିବା ପାଙ୍ଗ ଗ୍ରାମ ଉପରେ ଏହି ବିରାଟ ହିମ ଖଣ୍ଡ ପଡ଼ିଛି । ଫଳରେ ଧୌଲିଗଙ୍ଗା ନଦୀରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଯୋଗୁଁ ଋଷି ଗଙ୍ଗା ବିଦ୍ୟୁତ୍ ପ୍ରକଳ୍ପର ବହୁ କ୍ଷତି ହୋଇଛି । ଏହା ସହିତ କିଛି ଝୁଲା ପୋଲ ମଧ୍ୟ ଭାଙ୍ଗିଯାଇଛି । ନିର୍ମାଣାଧୀନ ତପୋଭାନ୍ ବିଷ୍ଣୁଗଡ଼ ଜଳ ବିଦ୍ୟୁତ୍ ପ୍ରକଳ୍ପର ଡ୍ୟାମ୍ ପାର୍ଶ୍ୱ ବ୍ୟାରେଜ୍ ସ୍ଥାନ ମଧ୍ୟ ନଷ୍ଟ ହୋଇଛି।

ପ୍ରସାଶନ ଆଲାକାନ୍ଦା ନଦୀ ଏବଂ ଧୋଲି ନଦୀ କୂଳରେ ରହୁଥିବା ଲୋକଙ୍କୁ ସତର୍କ କରିବା ସହ ସେମାନଙ୍କୁ ଶୀଘ୍ର ସେ ସ୍ଥାନ ଛାଡ଼ିବାକୁ କହିଛି ।  SDRGର ୧୦ ଟି ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହରିଦ୍ୱାର, ଋିଷିକେଶ ଏବଂ ଶ୍ରୀନଗରରେ ସତର୍କ ସୂଚନା ଜାରି କରାଯାଇଛି ।

ଅନ୍ୟପଟେ ଗ୍ଲେସିୟର ଭାଙ୍ଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । କୌଣସି ପ୍ରକାରର ଗୁଜବ ପ୍ରତି ଧ୍ୟାନ ନଦେବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି । ଏଥିସହ ଘଟଣାର ସୂଚନା ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ତଥା ଡିଏମ ଚାମୋଲିଙ୍କଠାରୁ ନିଆଯାଇଛି । ଚାମୋଲି ଜିଲ୍ଲା ପ୍ରଶାସନ, ଏସଡିଆରଏଫର ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଗଙ୍ଗା ନଦୀ କୂଳକୁ ନ ଯିବାକୁ ଲୋକଙ୍କୁ ନିବେଦନ କରାଯାଇଛି ।

Leave a Reply