ଉତ୍ତରାଖଣ୍ଡର ଦିନିକିଆ ମୁଖ୍ୟମନ୍ତ୍ରୀ ‘ସୃଷ୍ଟି’ କଣ ସବୁ ନିର୍ଦ୍ଦେଶ ଦେଇଛନ୍ତି ପଢ଼ନ୍ତୁ

1 min read

ଉତ୍ତରାଖଣ୍ଡ: ଗତକାଲି ଜାତୀୟ ବାଳିକା ଦିବସ ଉପଲକ୍ଷେ ଉତ୍ତରାଖଣ୍ଡରେ ଗୋଟେ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ୧୯ ବର୍ଷର ସୃଷ୍ଟି ଗୋସ୍ୱାମୀ । ମୁଖ୍ୟମନ୍ତ୍ରୀ ହୋଇ ସୃଷ୍ଟି ଗୋଟେ ଦିନ ପାଇଁ ସରକାର ସମ୍ଭାଳିଥିଲେ । ରବିବାର ଦିନ ଉତ୍ତରାଖଣ୍ଡ ବିଧାନସଭାରେ ଆୟୋଜିତ ହୋଇଥିବା ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ବୈଠକ ଗ୍ରହଣ କରିଥିବା ସୃଷ୍ଟି କେତେଗୁଡ଼ିଏ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିରେ ଝିଅ ମାନଙ୍କୁ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନିରାପଦ ପରିବେଶ ଯୋଗାଇବା ପାଇଁ  ଡିଆଇଜୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ପିଡବ୍ଲ୍ୟୁଡି ଙ୍କୁ ରାଜ୍ୟର ପୁରୁଣା ସେତୁ ଠିକ କରିବାକୁ କୁହାଯାଇଥିଲା  ।

ସୃଷ୍ଟି ଗୋସ୍ୱାମୀ ପ୍ଲାନ୍ ଇଣ୍ଡିଆ ସଂସ୍ଥା ଦ୍ଵାରା ଗଠିତ ବାଲ ବିଧାନସଭା ଓ ଶ୍ରୀ ଭୁବନେଶ୍ଵରୀ ମହିଳା ଆଶ୍ରମର ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ । ତେଣୁ ଜାତୀୟ ବାଳିକା ଦିବସ ଅବସରରେ ଉତ୍ତର ପ୍ରଦେଶ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତାଙ୍କୁ ନିଜର କ୍ୟାବିନେଟ ସଦସ୍ୟ ତଥା ବିଧାୟକଙ୍କ ସହ  ବିଧାନ ସଭାକୁ ଆସି ବିଭିନ୍ନ ବିଭାଗର ସମୀକ୍ଷା ବୈଠକ କରିବାକୁ ସୁଯୋଗ ଦେଇଥିଲେ । ଏହାପରେ ସୃଷ୍ଟି ବିଧାନସଭାରେ ୧୩ ଟି ବିଭାଗର ସମୀକ୍ଷା ବୈଠକ କରିଥିଲେ ।

ବୈଠକରେ DIG ନିଲେସ ଭରଣେ ପୋଲିସର ସମସ୍ତ କାର୍ଯ୍ୟାବଳୀର ବିବରଣୀ ରଖିଥିଲେ । ଏଥିରେ ସୃଷ୍ଟି  ଶିକ୍ଷାନୁଷ୍ଠାନ ଗୁଡିକରେ ୫୦୦ ମିଟର ଦୂରତା ମଧ୍ୟରେ ନିଶା କାରବାର ସଂପୂର୍ଣ୍ଣ ବନ୍ଦ କରିବାକୁ ଓ ବସ୍ତିରେ ନିଶା କାରବାର କରୁଥିବା ଅପରାଧୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷେ ଲୋନି ଅଧିକାରୀଙ୍କୁ ରାଜ୍ୟର ସମସ୍ତ ପୁରୁଣା ସେତୁଗୁଡ଼ିକର ସର୍ଭେ କରି ତୁରନ୍ତ ମରାମତି କରିବାକୁ କହିଥିଲେ। ତେବେ ଏହି ବୈଠକରେ ଶିଶୁ ବିଧାନ ସଭା ବିରୋଧୀ ନେତା ଆସିଫ ହୁସେନ,ଗୃହମନ୍ତ୍ରୀ କୁମକୁମ୍ ପନ୍ତ ଙ୍କ ସମେତ ବିଧାୟକମାନେ ଉପସ୍ଥିତ ଥିଲେ ।

ଏକ ସାକ୍ଷାତକାରରେ ସୃଷ୍ଟି କହିଛନ୍ତି, ଯେ  ଅନିଲ କପୁରଙ୍କ ଅଭିନୀତ ଫିଲ୍ମ ନାୟକରେ ତାଙ୍କୁ ଅଭିନୟ କରିବା ଭଳି ସେ ଅନୁଭବ କରିଛନ୍ତି । ସେ କହିଛନ୍ତି ଯଦି ସୁଯୋଗ ମିଳିବ ତେବେ ସେ ଅସଲି ରାଜନୀତି କରି ମୁଖ୍ୟମନ୍ତ୍ରୀ ଆସନରେ ବସିବେ । ସୂଚନାଯୋଗ୍ୟ, ହରିଦ୍ଵାର ଜିଲ୍ଲା ଦୌଲତ ପୂର୍ ଗାଁର ସୃଷ୍ଟି ବର୍ତମାନ ବି ଏସ ଏମ ପିଜି  କଲେଜ ରୁର୍କିରେ ବିଏସସି ଅଗ୍ରିକଲଚର ସପ୍ତମ ସେମିଷ୍ଟରରେ ପଢୁଛନ୍ତି । ତାଙ୍କ ପିତା ପ୍ରବୀଣ ହେଉଛନ୍ତି ଜଣେ ଗ୍ରସରୀ ଦୋକାନୀ ଓ ମା ସୁଦ୍ଧା ଗୋସ୍ୱାମୀ ଜଣେ ଗୃହିଣୀ ।

Leave a Reply