ଉତ୍ତରାଖଣ୍ଡରେ ରେସ୍‌କ୍ୟୁ: ବଢ଼ୁଛି ମୃତ୍ୟୁ ସଂଖ୍ୟା, ଓଡ଼ିଆ କ୍ରେନ୍‌ ଅପରେଟର ନିଖୋଜ

1 min read
Utarakhand Glacier Lake Outburst Rescue Operation Goes On Tunnels Near Tapovan

ଜାରି ରହିଛି ରେସ୍‌କ୍ୟୁ ଅପରେସନ୍ । ମିଳୁନି ନିଖୋଜଙ୍କ ପତ୍ତା । ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ ବଢ଼ିଥିବାବେଳେ ଏବେ ବି ପ୍ରାୟ ୨୦୦ ଲୋକ ନିଖୋଜ ଅଛନ୍ତି । ସୁଡ଼ଙ୍ଗରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି । ହିମସ୍ଖଳନ ଯୋଗୁ ରୁଷିଗଙ୍ଗା ପାଓ୍ୱାର ପ୍ରକଳ୍ପରେ କାମ କରୁଥିବା ଜଣେ ଓଡ଼ିଆ ଯୁବକଙ୍କ ମଧ୍ୟ ପତ୍ତା ମିଳୁନି । ଏହି ଖବର ପାଇବା ପରେ ତାଙ୍କ ପରିବାର ଭାଙ୍ଗିପଡିଛନ୍ତି ।

ଏବେ ବି ଉତ୍ତରାଖଣ୍ଡର ସେହି ଟନେଲ୍ ଭିତରେ ଖୋଜା ଚାଲିଛି ଜୀବନ । ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି । ଲମ୍ବା ସମୟ ଧରି ଚାଲିଛି ରେସ୍‌କ୍ୟୁ ଅପରେସନ୍ । NDRF, SDRF ଓ ଉତ୍ତରାଖଣ୍ଡ ପୋଲିସର ମିଳିତ ଟିମ୍ ଖୋଜାଖୋଜି କରୁଛନ୍ତି । ଜେସିବି, ଅକ୍ସିଜେନ୍ ସିଲିଣ୍ଡର ଓ ଡଗ୍ ସ୍କ୍ବାଡ୍‌ ସହ ରେସ୍କ୍ୟୁ ଟିମ୍ କାମ ଜାରି ରଖିଛନ୍ତି ଖୋଜାଖୋଜି । ତପୋବନରୁ ଅଧିକ ଲୋକ ନିଖୋଜ ଅଛନ୍ତି । ସମ୍ଭାଇ, ରେଣୀ, ଭୁଙ୍ଗଲେ ଗାଁର ପ୍ରାୟ ୩୦ଜଣଙ୍କ ପତ୍ତା ମିଳୁନି । ସେପଟେ ଶବ ଚିହ୍ନଟ ପ୍ରକ୍ରିୟା ଜାରି ରହଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଅଞ୍ଚଳ ।

ଉତ୍ତରାଖଣ୍ଡର ଏହି ବିପର୍ଯ୍ୟୟରେ ନିଖୋଜ ହୋଇଯାଇନ୍ତି ଓଡ଼ିଆ ପୁଅ ନାଗାର୍ଜୁନ ଦାସ । ନାଗାର୍ଜୁନଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତ କୁଦକାନ୍ଥି ଗାଁ । ସେ ରୁଷିଗଙ୍ଗା ପାଓ୍ୱାର ପ୍ରକଳ୍ପରେ କ୍ରେନ୍ ଅପରେଟର ଥିଲେ । ହିମସ୍ଖଳନ ଖବର ପାଇବା ପରେ ନାଗାର୍ଜୁନଙ୍କ ପତ୍ନୀ ଲିପୁସ୍ମିତା ଫୋନ ଯୋଗେ ତପୋବନ ବ୍ୟାରେଜ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ହେଲେ କୌଣସି ସୂଚନା ପାଇନଥିଲେ । ତେବେ ଏନେଇ ଚାମୋଲି ପ୍ରଶାସନ ସହ ଯୋଗାଯୋଗ କରାଯାଇଥିବା ଭଦ୍ରକ ଜିଲ୍ଲାପାଳ କହିଛନ୍ତି ।

ଟନେଲ୍‌ରୁ ଉଦ୍ଧାର ହୋଇ ଚିକିତ୍ସାଧୀନ ଲୋକମାନଙ୍କୁ ହସ୍ପିଟାଲରେ ଭେଟିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ । ବାସହରା ହୋଇଥିବା ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ସେ କହିଛନ୍ତି ।

Leave a Reply