କୁମ୍ଭରେ ବେକାବୁ କରୋନା! ନିରଞ୍ଜନୀ ଆଖଡାର ୨୨ ସାଧୁ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ପବିତ୍ର କୁମ୍ଭ ମେଳାରେ ବେକାବୁ ହେବାରେ ଲାଗିଛି ମହାମାରୀ । ଆଖଡାରେ ସଂକ୍ରମଣ ବ୍ୟାପିବା ଯୋଗୁଁ ଗୋଟିଏ ଦିନରେ ପ୍ରାୟ ୭୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ନିରଞ୍ଜନୀ ଆଖଡାରେ ହଜାର ସାଧୁଙ୍କ ମଧ୍ୟରୁ କିଛି କରୋନା ଟେଷ୍ଟ କରାଇଥିଲା ବେଳେ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି ।

ଆଖଡାର ସଚିବ ରବିନ୍ଦ୍ର ପୁରୀ ମହାରାଜ ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି । ଯାହା ପରେ ଆଖଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର କୈଳାଶନନ୍ଦ ଗିରି ମହାରାଜ ନିଜକୁ ଆଇସୋଲେଟ୍ କରିଛନ୍ତି । ପରିଷଦର ପ୍ରମୁଖ ନରେନ୍ଦ୍ର ଗିରି ମହାରାଜ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ।

ଏହାବ୍ୟତୀତ ଆଉ କେତେକ ଆଖଡାରେ ମଧ୍ୟ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଏସକେ ଝା କହିଛନ୍ତି ଯେ ୨୪ ଘଣ୍ଟାରେ ସାରା ଜନପଦରେ ୫୯୨ ସନ୍ଥ କରୋନା ସଂକ୍ରମିତ ହୋଇଛନ୍ତି । ଯେଉଁଥିପାଇଁ ସାମ୍ପଲିଂ ଆହୁରି ବଢାଇ ଦିଆଯିବ । ଏଥିପାଇଁ ଅତିରିକ୍ତ ଟିମ୍ ବଢାଯାଉଛି ।

ଅପରପକ୍ଷେ କୁମ୍ଭ ମେଳାକୁ ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଏର କରାଯାଇଥିଲା । ଯାଚିକା ଅନୁଯାୟୀ, ହରିଦ୍ୱାର କୁମ୍ଭରେ ଏକତ୍ରିତ ଲୋକଙ୍କ ଭିଡ଼କୁ ହଟାଇବା ସହ କୁମ୍ଭରୁ ଘରକୁ ଫେରୁଥିବା ଲୋକଙ୍କ ସୁରକ୍ଷା ପ୍ରୋଟୋକଲ୍ ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ର, ଉତ୍ତରାଖଣ୍ଡ ସରକାର ଓ ନ୍ୟାସନାଲ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିକୁ ନିର୍ଦ୍ଦଶ ଦିଆଯାଉ ।

ସେହିପରି ଗତ ଶୁକ୍ରବାର ଦିିନ ମଧ୍ୟପ୍ରଦେଶର ଜବଲପୁରରେ ନରସିଂହ ମନ୍ଦିରର ପ୍ରମୁଖ ମହାମଣ୍ଡଳେଶ୍ୱର ଜଗତଗୁରୁ ଡା. ସ୍ୱାମୀ ଶ୍ୟାମ୍ ଦେବାଚାର୍ଯ୍ୟ ମହାରାଜଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା । ସେ କୁମ୍ଭ ମେଳାର ଶାହି ସ୍ନାନରେ ସାମିଲ ହେବା ପାଇଁ ହରିଦ୍ୱାର ଯାଇଥିଲେ । ସେଠାରେ ସେ କରୋନା ପଜିଟିଭ ହୋଇଥିବା ବେଳେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା ।

Leave a Reply