ରାହୁଲ ଏବଂ ମନମୋହନଙ୍କ ଉପରେ ମନ୍ତବ୍ୟକୁ ନେଇ ଉତ୍ତେଜନା, ଓବାମାଙ୍କ ନାଁରେ FIR ପାଇଁ କୋର୍ଟରେ ଆବେଦନ
1 min read
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲା କୋର୍ଟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନାଁରେ ଅଭିଯୋଗ ଦାଖଲ କରାଯାଇଛି । ଅଲ ଇଣ୍ଡିଆ ରୁରାଲ ବାର ଆସୋସିଏସନର ରାଷ୍ଟ୍ରିୟ ଅଧ୍ୟକ୍ଷ ଜ୍ଞାନ ପ୍ରକାଶ ଶୁକ୍ଳା ଲାଲଗଞ୍ଜ ସିଭିଲ କୋର୍ଟରେ ଅଭିଯୋଗ ଦାଖଲ କରାଯାଇଛି । ଏହି ଅଭିଯୋଗ ଓବାମାଙ୍କ ପୁସ୍ତକ ସହିତ ଜଡିତ ରହିଛି । ଡିସେମ୍ବରରେ ଏହାର ଶୁଣାଣି ହେବ ।
ଜ୍ଞାନ ପ୍ରକାଶ ଶୁକ୍ଳାଙ୍କ କହିବା ଅନୁଯାୟୀ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାହୁଲ ଗାନ୍ଧି ଏବଂ ମନମୋହନ ସିଂହଙ୍କ ବିରୋଧରେ ଅବାଞ୍ଛିତ ବୟାନ ଦେଇ ଭାରତୀୟ ନିର୍ବାଚନ ପ୍ରଣାଳୀକୁ ଅବମାନନା କରିଛନ୍ତି ଏବଂ ନିର୍ବାଚନ ଆୟୋଗ ଯେମିତିକି ନିୟାମକ ସଂସ୍ଥା ସହିତ ସମ୍ବିଧାନର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଅଲ ଇଣ୍ଡିଆ ରୁରାଲ ବାର ଆସୋସିଏସନର ରାଷ୍ଟ୍ରୀୟ ସଭାପତି ଜ୍ଞାନ ପ୍ରକାଶ ଶୁକ୍ଲା କହିଛନ୍ତି ଯେ, ମନମୋହନ ସିଂ ଏବଂ ରାହୁଲ ଗାନ୍ଧୀଙ୍କ ବିଷୟରେ ବାରାକ ଓବାମା ଯାହା କହିଛନ୍ତି ତାହା ଅପମାନଜନକ ଏବଂ ଦେଶର ସାର୍ବଭମତ୍ୱ ଉପରେ ଆକ୍ରମଣ । ଏହି ନେତାମାନଙ୍କ ଲକ୍ଷ ଲକ୍ଷ ସମର୍ଥକ ଅଛନ୍ତି ଯେଉଁମାନେ କି ଏହି ବୟାନ ପରେ ଆହତ ହୋଇଛନ୍ତି । ଯଦି ଏହି ସମର୍ଥକ ମାନେ ରାଜରାସ୍ତାକୁ ଓହ୍ଲାନ୍ତି ତେବେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ, ତେଣୁ ଓବାମାଙ୍କ ବିରୋଧରେ ଅଭିଯୋଗ ଦାଖଲ ହେବା ଉଚିତ୍ ।
ଜ୍ଞାନ ପ୍ରକାଶ ଶୁକ୍ଲା ଆଉ ମଧ୍ୟ କହିଛନ୍ତି ଯେ, ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବା ଉଚିତ, ନଚେତ୍ ଗଣତାନ୍ତ୍ରିକ ପ୍ରକ୍ରିୟାର ଏକ ଅଂଶ ଭାବରେ ମୁଁ ଆମେରିକୀୟ ଦୂତାବାସ ବାହାରେ ଆମରଣ ଅନସନରେ ବସିବି । ସେ କହିଛନ୍ତି ଯେ ମୁଁ ଲାଲଗଞ୍ଜ କୋଟୱାଲିରେ ମଧ୍ୟ ଅଭିଯୋଗ କରିଛି, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
କଣ ଲେଖିଥିଲେ ବାରାକ ଓବାମା
ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ବାରାକ ଓବାମା ତାଙ୍କ ଆତ୍ମଜୀବନୀ ‘A Promised Land’ ଲେଖି ନିଜର ଅନୁଭୂତି ବାଣ୍ଟିଛନ୍ତି । ଏହି ପୁସ୍ତକ ଭାରତରେ ମଧ୍ୟ ଖୁବ ଚର୍ଚ୍ଚା ସାଉଣ୍ଟୁଛି, କାରଣ ଏହି ପୁସ୍ତକ ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଅନ୍ୟ କେତେକଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ।
ରାହୁଲ ଗାନ୍ଧୀଙ୍କ ବିଷୟରେ ବାରାକ ଓବାମା ପୁସ୍ତକରେ ଲେଖିଛନ୍ତି ଯେ, ତାଙ୍କ ଭିତରେ ଜଣେ ନର୍ଭସ ଏବଂ ଅପରିପକ୍ୱ ଛାତ୍ରର ଗୁଣ ରହିଛି, ଯିଏ ନିଜର ହୋମୱାର୍କ କରିଛନ୍ତି ଏବଂ ଶିକ୍ଷକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଗଭୀର ଭାବରେ ଦେଖିଲେ, ଦକ୍ଷତାର ଅଭାବ ଏବଂ ଏକ ବିଷୟକୁ ଆୟତ୍ତ କରିବା ପାଇଁ ତାଙ୍କ ପାଖରେ ଉତ୍ସାହର ଅଭାବ ଅଛି ।