ଲକଡାଉନ୍ ଭିତରେ ପୋଲିସକୁ ଥଟ୍ଟା.. କିଏ ଫୋନ୍ କରି ମାଗୁଛି ପାନ ତ’ କିଏ ସିଙ୍ଗଡା…କଣ କଲା ପୋଲିସ ?

ରାମପୁର: ଲକ୍‌ଡାଉନ୍‌ କାରଣରୁ ଲୋକଙ୍କୁ ଘରୁ ବାହାରିବା ପାଇଁ ବାରଣ କରାଯାଇଛି । ଲୋକ ମାନଙ୍କର ଆବଶ୍ୟକତାକୁ ପୁରଣ କରିବା ପାଇଁ  ଜିଲ୍ଲାଗୁଡ଼ିକରେ କଣ୍ଟ୍ରୋଲ ରୂମ ସବୁ ଖୋଲାଯାଇଛି । ଜିଲ୍ଲାରେ ଦିଆଯାଇଥିବା ହେଲ୍ପଲାଇନ ନମ୍ବରରେ ଲୋକମାନେ ସାହାଯ୍ୟ ପାଇଁ କଲ କରୁଛନ୍ତି । କିନ୍ତୁ ଏତେ ଆତଙ୍କ ଭିତରେ ବି କିଛି ଲୋକ ନିଜ ପ୍ରକୃତି ଛାଡୁ ନାହାନ୍ତି । ପୋଲିସକୁ ହଇରାଣ କରିବାକୁ କିଛି ବ୍ୟକ୍ତି ହେଲ୍ପ ଲାଇନକୁ କଲ କରି ଅଜବ ଗଜବ ଅନୁରୋଧ କରୁଛନ୍ତି । କିଏ ପାନ ବିଡି ମାଗିଲାଣି ତ’ କିଏ କହୁଛି ମୋ କୁକୁରକୁ ଟିକେ ବାହାରେ ବୁଲାଇ ଦିଏ । ସେହିଭଳି ଗୋଟିଏ ଘଟଣାରେ ରାମପୁର ଡିଏମ୍ ସିଙ୍ଗଡା ସହ ଚଟଣୀ ମାଗିଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ନାଳ ସଫା କରାଇଛନ୍ତି । ଆସନ୍ତୁ ଜାଣିବା ପୂରା ଘଟଣାକ୍ରମ କଣ ଥିଲା ।

ସୂଚନା ଅନୁଯାୟୀ, ରାମପୁରରେ ଜଣେ ବ୍ୟକ୍ତି କରୋନା ହେଲ୍ପଲାଇନ ନମ୍ବରକୁ ଫୋନ୍ କରି ଚାରିଟି ସିଙ୍ଗଡ଼ା ଏବଂ ତା ସହିତ ଚଟଣି ପଠାଇବାକୁ କହିଥିଲେ। ପ୍ରଥମେ ତାଙ୍କୁ ଏପରି କଲ କରିବା ପାଇଁ ମନା କରାଯାଇଥିଲା । କିନ୍ତୁ ସେ କଲ କରିବା ବନ୍ଦ କରିନଥିଲେ । ଶେଷକୁ ଖବର ଡିଏମଙ୍କ ପାଖରେ ପହଂଚିଥିଲା ।  ତାଙ୍କୁ ଧରିବା ପାଇଁ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କ ଘରକୁ ସିଙ୍ଗଡା ଓ ଚଟଣି ପଠାଇଥିଲା । ସେହି ବ୍ୟକ୍ତିଙ୍କୁ ଧରିବା ପାଇଁ ପୋଲିସ ଏହି ଜାଲ ବିଛାଇଥିଲା । ସିଙ୍ଗଡା ଲୋଭରେ ବ୍ୟକ୍ତି ଜଣକ ପୋଲିସ ହାତରେ ଧରା ପଡିଥିଲା । ପରେ ପୋଲିସ ତଙ୍କୁ ନାଳ ସଫା କରିବାକୁ କହିଥିଲା ।

ସେହିପରି ଅନ୍ୟ ଜଣେ ବ୍ୟକ୍ତି ଜିଲ୍ଲା ପ୍ରଶାସନର ହେଲ୍ପଲାଇନ ନମ୍ବରକୁ କଲକରି ପାନ ଆଣିବାକୁ କହିଥିଲେ।  ପ୍ରଥମେ ତାଙ୍କୁ ଏଭଳି କଲ କରିବାକୁ ମନା କରାଯାଇଥିଲା । କିନ୍ତୁ ବ୍ୟକ୍ତି ଜଣକ ରାଗି ଯାଇ ଉତ୍ତର ଦେଇଥିଲେ ଯେ, ତମ ପାନ ଆଣି ଦେୂବ କି ନାହିଁ ? ଯଦି ସାହାଯ୍ୟ କରି ପାରିବ ନାହିଁ ତେବେ କେଉଁଥିପାଇଁ ହେଲ୍ଫ ଲାଇନ୍ ଖୋଲିଛ ବୋଲି ସେହି ବ୍ୟକ୍ତି ପ୍ରଶ୍ନ କରିଥିଲେ । ପରେ ପୋଲିସ ସେହି ବ୍ୟକ୍ତିଙ୍କ ଘରକୁ ପାନ ପଠାଇ ତାଙ୍କୁ ଧରିଥିଲା ।

ତେବେ ରାଜ୍ୟର ସବୁଠାରୁ ଅଧିକ ପ୍ରାଙ୍କ୍  ଫୋନ୍ କଲ୍‌ ରାମପୁର ଜିଲ୍ଲାରୁ ଆସୁଛି । ଡିଏମ ଅଞ୍ଜାନୀ କୁମାର ସିଂ କହିଛନ୍ତି ଏପରି ମଜାକ ନକରିବା ପାଇଁ କହିଲେ ମଧ୍ୟ ଯେଉଁମାନେ ଶୁଣନ୍ତି ନାହିଁ ସେମାନଙ୍କୁ ଲଜ୍ଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏପରି ବ୍ୟକ୍ତିଙ୍କ ଦ୍ୱାରା ରାସ୍ତା ଓ ଡ୍ରେନ୍ ସଫା କରାଯାଉଛି  । ପୋଲିସର ଏହି ପଦକ୍ଷେପ କାରଣରୁ ପ୍ରାଙ୍କ୍ କଲ ସଂଖ୍ୟା ପ୍ରାୟ କମିଯାଇଥିବା ସେ ଦାବି କରିଛନ୍ତି । ନାଳ,ରାସ୍ତା ସଫା କରିବା ପରେ ବି ଯଦି ଲୋକ ନସୁଧୁରିବେ ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏମ୍ କହିଛନ୍ତି । ।

Leave a Reply