ହସ୍ପିଟାଲରେ ସଂକ୍ରମିତ, ବାହାର ଅକ୍ସିଜେନ୍ ସିଲିଣ୍ଡର ଲାଇନରେ ପରିଜନ

ଲକ୍ଷ୍ନୌ: କରୋନାର ଦ୍ୱିତୀୟ ପର୍ଯ୍ୟାୟ ଉତ୍ତର ପ୍ରଦେଶରେ ହାହାକାରୀ ସ୍ଥିତି ସୃଷ୍ଟି କରିଛି । କରୋନା ସଂକ୍ରମିତଙ୍କୁ ନେଇ ହସ୍ପିଟାଲ ଭର୍ତ୍ତି ହୋଇଥିବା ବେଳେ ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା । ବେଡ୍ ନାହିଁ, ଅକ୍ସିଜେନ ନାହିଁ । ଭଗବାନଙ୍କ ଭରସାରେ ରୋଗୀ ହସ୍ପିଟାଲରେ ଥିବା ବେଳେ ବାହାରେ ଅକ୍ସିଜେନ୍ ସିଲିଣ୍ଡର ଭର୍ତ୍ତିକରିବାକୁ ଲାଇନରେ ଛିଡା ହେଉଛନ୍ତି ପରିଜନ । ଅକ୍ସିଜେନ୍ ଅଭାବ କାରଣରୁ ହସ୍ପିଟାଲ କର୍ତ୍ତୁପକ୍ଷ ହାତ ଟେକି ଦେଇଛନ୍ତି । ସଂକ୍ରମିତଙ୍କ ପରିଜନଙ୍କୁ କହୁଛନ୍ତି ନିଜ ପରିବାର ସଦସ୍ୟଙ୍କ ପାଇଁ ନିଜେ ଅକ୍ସିଜେନ୍ ସିଲିଣ୍ଡର ଯୋଗାଡ କର ।

ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ତାଲକଟୋରା ସ୍ଥିତ ଏକ ଅକ୍ସିଜେନ୍ ପ୍ଲାଣ୍ଟ୍ ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ସେଠାରେ ଲାଇନ୍ ଲଗାଇଥିବା ଲୋକଙ୍କ ପରିଜନ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କିନ୍ତୁ ହସ୍ପିଟାଲରେ ଅକ୍ସିଜେନର ଅଭାବ ରହିଛି । ଫଳରେ ଡାକ୍ତରଖାନା କର୍ତ୍ତୁପକ୍ଷ କହୁଛନ୍ତି ପରିଜନଙ୍କୁ ବଂଚାଇବାକୁ ଚାହୁଁଛ ତ’ ଅକ୍ସିଜେନ୍ ସିଲିଣ୍ଡର ରିଫିଲ କରି ଆଣ । ହସ୍ପିଟାଲ ଶଯ୍ୟାରେ ଜୀବନ ମୃତ୍ୟୁ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ବାହାର ଏପ୍ରିଲ ମାସ ମୁଣ୍ଡଫଟା ଖରାରେ ପରିବାର ସଦସ୍ୟ ଅକ୍ସିଜେନ୍ ପାଇଁ ଡହଳ ବିକଳ ହେଉଛନ୍ତି । ଅକ୍ସିଜେନ୍ ପାଇଁ ନିଜ ପ୍ରିୟଜନଙ୍କ ଜୀବନ ଯେମିତି ନଯାଏ ସେଥିପାଇଁ ଏହି ଧାଁଦୌଡ଼ ।

ଲୋକଙ୍କ ଅଭିଯୋଗ ଯେ, ଲକ୍ଷ୍ନୌର ପ୍ରାୟ ସବୁ ସରକାରୀ ହସ୍ପିଟାଲ ସଫାସଫା କହୁଛନ୍ତି ଅକ୍ସିଜେନ୍ ଆଣ,ରୋଗୀକୁ ଭର୍ତ୍ତି କରାଯିବ । ଅକ୍ସିଜେନ୍ ନାହିଁ ତ’ ପ୍ରବେଶ ନାହିଁ । ଏମିତିରେ ପରିବାର ସଦସ୍ୟ ଲକ୍ଷ୍ନୌ ସହର ଭିତରେ ଅକ୍ସିଜେନ୍ ଖୋଜୁଛନ୍ତି । ଲାଇନ୍ ଲଗାଇଲା ପରେ ମଧ୍ୟ ଅକ୍ସିଜେନ୍ ମିଳିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ଲକ୍ଷ୍ନୌର ମୁଖ୍ୟ ଅକ୍ସିଜେନ୍ ରିଫିଲିଂ ସେଣ୍ଟରରେ ଏତେ ଭିଡ଼ ଯେ, ସେଠାରେ ପୋଲିସକୁ ମଧ୍ୟ ମୁତୟନ କରାଯାଇଛି । ଲକ୍ଷ୍ନୌର ନାଦରଗଂଜ୍ ଶିଳ୍ପାଞ୍ଚଳର ସବୁଠାରୁ ବଡ ଅକ୍ସିଜେନ୍ ରିଫିଲିଂ ସେଣ୍ଟରରେ ମଧ୍ୟ ଗହଳି ଲାଗି ରହିଛି । ସେଠାରେ ମଧ୍ୟ ଲୋକଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଲାଇନରେ ଛିଡା ହେବାକୁ ପଡୁଛି । ଅକ୍ସିଜେନ୍ ମିଳିଗଲେ ରୋଗୀ ବଂଚିଯିବ ଏଇ ଆଶାରେ ପରିବାରର କେହି ନା କେହି ସଦସ୍ୟ ଲାଇନରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଛିଡା ହେଉଛନ୍ତି ।

Leave a Reply