ହାଥରସ ଗଣଦୁଷ୍କର୍ମ ମାମଲାରେ ତଦନ୍ତ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ତଦନ୍ତ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସଏ ବୋବଡେ, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ୍ ବି ରାମସୁବ୍ରମଣ୍ୟମଙ୍କ ବେଞ୍ଚ ଶୁଣାଣି କରିବେ । ମାମଲାର ତଦନ୍ତ ସିବିଆଇ କିମ୍ବା ଏସଆଇଟି କରିବା ନେଇ ସର୍ବୋଚ୍ଚ କୋର୍ଟରେ ଜନସ୍ୱାର୍ଥ ମାମଲାରେ ଦାବି ହୋଇଛି । ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ଦାବି ହୋଇଛି । ଉତ୍ତରପ୍ରଦେଶରେ ମାମଲାର ନିରପକ୍ଷ ତଦନ୍ତ ହୋଇପାରିବ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି । ତେବେ ପୂରା ଘଟଣାରେ ୟୁପି ପୋଲିସର ଭୂମିକା ନେଇ ପ୍ରଶ୍ନ ଉଠିଛି । ବିରୋଧୀ ନେତାଙ୍କୁ ପୋଲିସର ଲାଠିଚାର୍ଜ ଓ ରାତିଅଧିଆ ପୀଡ଼ିତାଙ୍କ ଅନ୍ତିମସଂସ୍କାର ଘଟଣା ବି ଆବେଦନରେ ଦର୍ଶାଯାଇଛି ।

ଅନ୍ୟପଟେ ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ୧୯ଟି ମାମଲା ରୁଜୁ ହୋଇଛି  । ଘଟଣାକୁ ନେଇ ରାଜ୍ୟରେ ଅପପ୍ରଚାର କରାଯାଉଛି, ହିସାଂକୁ ବଢାଯାଉଛି  । ୟୁପି ମାହୋଲକୁ ବିଗାଡି ବାକୁ କିଛି ବ୍ୟକ୍ତି ଚେଷ୍ଟା କରୁଛନ୍ତି  । ଏନେଇ ପୋଲିସ ୧୯ଟି ମାମଲା ରୁଜୁ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏଡିଜି ପ୍ରଶାନ୍ତ କୁମାର  । ହାଥରସ୍ ପୀଡିତାଙ୍କ ଭାଇଙ୍କ ବୟାନ ଆଧାରରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଛି  ।

ରାଜ୍ୟ ସରକାର ମଧ୍ୟ ସିବିଆଇ ଯାଞ୍ଚ ପାଇଁ ସୁପାରିସ କରିଛନ୍ତି  । କିନ୍ତୁ କିଛି ଲୋକେ ରାଜନୈତିକ ଉଦ୍ଦେଶ୍ୟ ରଖି ଖବରକୁ ଅପପ୍ରଚାର କରୁଥିବା କହିଛନ୍ତି ଏଡିଜି । ସେପଟେ ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଭେଟିବା ପାଇଁ ଆମ ଆଦମୀ ପାର୍ଟିର ଏକ ପ୍ରତିନିଧି ଦଳ ହାଥରସ ଗସ୍ତ କରିଥିଲେ । ଏହି ଟିମ୍‌ର ନେତୃତ୍ୱ ଆପ୍‌ ସାଂସଦ ସଞ୍ଜୟ ସିଂହ ନେଇଥିଲେ। ହେଲେ ସାଂସଦ ସଞ୍ଜୟ ସିଂହଙ୍କୁ ସାମ୍ବାଦିକ ସମ୍ମିଳନୀ ବେଳେ ଗାଳି ମାଡ଼ ହୋଇଥିବା ସୂଚନା ମିଳିଛି  ।

ଉତ୍ତରପ୍ରଦେଶ ହାଥରସ ପୀଡିତାଙ୍କୁ ନ୍ୟାୟ ଦେବାକୁ ଦାବି ଜୋର ଧରିଛି । ବିଭିନ୍ନ ରାଜନୈତିକ ଦଳ ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଉଛନ୍ତି । ଅନ୍ୟପଟେ ପୀଡିତାଙ୍କ ପରିବାର ପକ୍ଷରୁ ହାଥରସ ଜିଲ୍ଲାପାଳଙ୍କୁ ତୁରନ୍ତ କାର୍ଯ୍ୟରୁ ହଟାଇବାକୁ ଦାବି କରାଯାଇଛି । ପରିବାର ଲୋକଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

Leave a Reply