ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ, ପୁରୀ ଶ୍ବେତଗଙ୍ଗାରେ ଅସ୍ଥି ପକାଇ ପିଣ୍ଡଦାନ କଲେ ପୁଅ ବାବୁଶାନ

ନନ୍ଦିଘୋଷ ବ୍ୟୁରୋ: ସ୍ବର୍ଗତ ଉତ୍ତମ ମହାନ୍ତିଙ୍କର ଅସ୍ଥି ବିସର୍ଜନ ପୁରୀ ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀରେ କରାଯାଇଛି । ଉତ୍ତମ ମହାନ୍ତିଙ୍କର ପୁଅ ବାବୁଶାନ୍ ଆଜି ପରିବାର ଲୋକଙ୍କ ସହ ଉପସ୍ଥିତ ରହି ପବିତ୍ର ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ନିଜ ପିତାଙ୍କର ଅସ୍ଥି ବିସର୍ଜନ କରିଥିଲେ । ପରେ ପରମ୍ପରା ଅନୁଯାୟୀ ପିଣ୍ଡଦାନ କରିଥିଲେ । ତେବେ ବାପାଙ୍କର ମୃତ୍ୟୁ ପରେ ବାବୁଶାନ୍ ମୁଣ୍ଡନ କରିନଥିବାରୁ ଦେଖାଯାଇଥିବା ବିବାଦକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ବାବୁଶାନ୍ ଙ୍କ ମାମୁ ରବି ମିଶ୍ର । ବାବୁଶାନ୍ ଙ୍କ ମାମୁଙ୍କ କହିବା ଅନୁଯାୟୀ, ଆସନ୍ତା ରଜରେ ବାବୁଶାନ୍ ଙ୍କ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି । ଏଣୁ ଚଳଚ୍ଚିତ୍ର ପ୍ରଯୋଜକଙ୍କ ସହ ଚୁକ୍ତି ହୋଇଥିବାରୁ ଚଳଚ୍ଚିତ୍ର ସୁଟିଂ ଶେଷ ନହେବା ପର୍ଯ୍ୟନ୍ତ ବାବୁଶାନ୍ ମୁଣ୍ଡନ କରିପାରିବେ ନାହିଁ । ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ବାବୁଶାନ୍ ତ୍ରିବେଣୀ ସଙ୍ଗମ ଯାଇ ତିଥି ନକ୍ଷତ୍ର ସ୍ଥିର କରି ସେଠାରେ ବାପା ଉତ୍ତମ ମହାନ୍ତିଙ୍କ ଶ୍ରାଦ୍ଧ ଦେବା ସହ ମୁଣ୍ଡନ ହେବେ । ପ୍ରଥମେ ରାଜଧର୍ମ ପାଳନ, ପରେ ପିତୃଧର୍ମ ପାଳନ ପାଇଁ ସ୍ବର୍ଗତ ଉତ୍ତମ ମହାନ୍ତି ସବୁବେଳେ ପୁଅ ବାବୁଶାନ୍ ଙ୍କୁ କହି ଆସିଛନ୍ତି । ଏଣୁ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ତ୍ରିବେଣୀ ସଙ୍ଗମରେ ବାବୁଶାନ୍ ବାପାଙ୍କ ଉଦ୍ଦେଶ୍ୟରେ ମୁଣ୍ଡନ ହେବା ସହ ଶ୍ରାଦ୍ଧ କର୍ମ କରିବେ ବୋଲି ବାବୁଶାନ୍ ଙ୍କ ମାମୁ କହିଛନ୍ତି ।