ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କୁ ଝୁରୁଛି ଜନ୍ମମାଟି
1 min read
ବାରିପଦା : ମୟୂରଭଞ୍ଜ ଜିଲ୍ଲା ଲାଲବଜାରରୁ ସତ୍ୟନଗର ଶ୍ମଶାନ । କେହି କେବେ ଭାବିନଥିଲେ ୭୦ ଦଶକରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୪୮ ବର୍ଷ ଧରି ଲାଗି ରହିବ । କଲେଜ ରଙ୍ଗମଞ୍ଚରୁ ସିଲଭର ସ୍କ୍ରିନ ଯାଏ ସଫଳ ଅଭିଯାନ କିମ୍ବଦନ୍ତୀରେ ପରିଣତ ହେବ । ଓଡିଆ ସିନେମା ଇଣ୍ଡଷ୍ଟ୍ରିରେ ରାଜ କରିବେ । ହେଲେ ତାଙ୍କ ଅଭିନୟ ଆଜି ସରିଯାଇଛି । ଜୀବନର ରଙ୍ଗମଞ୍ଚରୁ ବିଦାୟ ନେଇଛନ୍ତି ଏହି ମହାନ କଳାକାର । ତାଙ୍କ ଅଭିନୟର ଶେଷଦୃଶ୍ଯ ପରେ ପଡିଛି ପରଦା । କିଛି ଦିନର ଅସୁସ୍ଥତା ପରେ ଗୁରୁବାର ରାତିରେ ଉତ୍ତମ ମହାନ୍ତି ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଅଭିମାନର ସହ ଓଡିଶା ସିନେମା ଶିଳ୍ପକୁ ଆସି ବିଦ୍ୟାରାଣ ପକାଇ ଚାଲିଗଲେ । ଆଉ ତାଙ୍କର ଦେହାନ୍ତକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ବାରିପଦାବାସୀ । ଛକବଜାର ନିସ୍ତବ୍ଧ , ବନ୍ଧୁ ଓ ସହ କଳାକାରଙ୍କ ଆଖିରୁ ଶୁଖୁନି ଲୁହ । ଉତ୍ତମ ଜଣେ ଭଲ ଅଭିନେତା ସହ ଜଣେ ଭଲ ମଣିଷ ଥିଲେ l ଉତ୍ତମ ମହାନ୍ତିଙ୍କ ପୁତୁରା, ତାଙ୍କୁ ନିଜ ବାପା ତୁଲ୍ୟ ବୋଲି ସମ୍ବୋଧନ କରନ୍ତି । ସେ ଆଜି ନାହାଁନ୍ତି ସତ, ହେଲେ ବାରିପଦା ବାସଭବନ ତାଙ୍କୁ ଝୁରୁଛି।
ବାରିପଦା ଲାଲବଜାରରେ ବାପା ଗୋପାଳ ମହାନ୍ତି, ମା କାମିନୀକୁସୁମା ମହାନ୍ତିଙ୍କ ପୁଅ ଉତ୍ତମ ପିଲା ବେଳୁ ହିଁ ମିଷ୍ଟଭାଷୀ ଓ ମେଳାପୀ । ସ୍କୁଲ ଓ କଲେଜ ସବୁକିଛି ବାରିପଦାରେ ସାରିଛନ୍ତି । ପାଠ ପଢିବା ବେଳୁ ହିଁ ତାଙ୍କର କଳା ପ୍ରତି ରୁଚି ଥିଲା । ଯେଉଁଥିପାଇଁ ଅଭିମାନ ସିନେମାରେ ଡେବ୍ୟୁ କରିବା ପରେ ସେ ପାଠପଢିବାକୁ ଚାଲିଯାଇଥିଲେ । ପାଠ ସାରି ପୁଣି ଥରେ ସେ ଫେରିଥିଲେ ଓଲିଉଡକୁ । ତାଙ୍କର ସ୍ଥାନ ସର୍ବଦା ଅପୂରଣୀୟ ହୋଇ ରହିବ ବୋଲି କହିଛନ୍ତି ଫିଲ୍ମ ନିର୍ମାତା ଅସିତ ପତି ।
ଉତ୍ତମ ମହାନ୍ତି ଜଣେ ଦରଦୀ ମଣିଷ ଥିଲେ । ଭଦ୍ର ଓ ଶାନ୍ତ ପ୍ରକୃତିର । ନିଜ ସାହି ପଡିଶାର ସବୁ ଲୋକଙ୍କ ସହ ସାମ୍ବାଦିକଙ୍କ ସହ ତାଙ୍କର ଥିଲା ବେଶ ଘନିଷ୍ଠ ସମ୍ପର୍କ । ଦେହ ଭଲ ଥିବା ପର୍ଯ୍ୟନ୍ତ ସେ ବାରିପଦାରେ ସାଙ୍ଗସାଥିଙ୍କ ସବୁ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ । ତାଙ୍କ ଦେହାନ୍ତ ଖବର ଶୁଣିବା ପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଦଉଡ଼ି ଯାଇଥିଲେ ତାଙ୍କ ସହ ଦିନେ କାମ କରୁଥିବା ସହକଳାକାର ଅନୁପ ଶାହା। ଉତ୍ତମ ସିନା ସମସ୍ତଙ୍କୁ ଛାଡ଼ି ସବୁଦିନ ଚିର ନିଦ୍ରାରେ ଶୋଇଗଲେ କିନ୍ତୁ ତାଙ୍କର ବ୍ୟକ୍ତିତ୍ଵ ପ୍ରତିଟି ବାରିପଦାବାସୀଙ୍କ ମନରେ ଅଲିଭା ଛବି ହୋଇ ରହିଯାଇଛି ।