ଉତ୍ତମ ମହାନ୍ତି ଯୁଗର ଅବସାନ : ପଞ୍ଚଭୂତରେ ବିଲୀନ ଓଲିଉଡ୍ ସୁପରଷ୍ଟାର

ଭୁବନେଶ୍ବର : ସ୍ତବ୍ଧ ହୋଇଯାଇଛି ସମୟ । ହତବାକ ହୋଇଯାଇଛି ଆକାଶ। ବିଶ୍ବାସ କରିପାରୁନି ବସନ୍ତର ବାଆ । ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି ସମସ୍ତଙ୍କ ମନର ମଉଡମଣି, ହୃଦୟର ସ୍ପନ୍ଦନ, ଓଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତି । ନିଜ ସନ୍ତାନକୁ ହରାଇ ସମସ୍ତେ ଆଜି ହତବାକ । ଆଉ ଦୁଷ୍ଟାମି କରିବେନି ସମସ୍ତଙ୍କ ପ୍ରିୟ ଦଣ୍ଡା ବାଳୁଙ୍ଗା । ଶୁଭିବନି ସହରୀ ବାଘର ସଂଳାପ । ଆଖିର ଲୁହ, ମନର କୋହକୁ ଚାପି ସମସ୍ତେ ଆଜି ମାନି ନେଇଛନ୍ତି ବିଧିର ବିଧାନ । ତାଙ୍କୁ ବିଦାୟ ଜଣାଇଛନ୍ତି କୋଟି କୋଟି ସିନେ ପ୍ରେମୀ । ଗୁରଗାଁଓରୁ ଆଜି ତାଙ୍କ ପ୍ରାର୍ଥିବ ଶରୀର  ଭୁବନେଶ୍ବରରେ ପହଞ୍ଚିବା ପରେ ଜଗନ୍ନାଥ ବିହାର ସ୍ଥିତ ବାସଭବନକୁ ନିଆଯାଇଥିଲା । ସେଠାରେ ପରିବାରବର୍ଗ, ପ୍ରିୟଜନ, ବନ୍ଧୁବାନ୍ଧବ, ପ୍ରଶଂସକମାନେ ଶେଷ ଦର୍ଶନ କରିଥିଲେ । ପରେ ସେଠାରୁ ସତ୍ୟ ନଗର ଶ୍ମଶାନ ଅଭିମୁଖେ ବାହାରିଥିଲା ଶେଷ ଯାତ୍ରା। ଉତ୍ତମ ମହାନ୍ତି ଅମର ରହେ ଧ୍ବିନି କମ୍ପି ଉଠିଥିଲା ପୂରା ଭୁବନେଶ୍ବର । ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯାଇଥିଲା ଅନ୍ତିମ ବିଦାୟ । ମୁଖାଗ୍ନି ଦେଇଥିଲେ ପୁଅ ବାବୁସାନ ।

ଆଜି ଉତ୍ତମଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିନେ ଜଗତର ବହୁ ରଥୀ ମହାରଥୀ ମଧ୍ୟ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରିବାର ବର୍ଗଙ୍କୁ ସାନ୍ତ୍ବନା ଜଣାଇଥିଲେ ସମସ୍ତେ । ଉତ୍ତମଙ୍କ ସହ ଅଭୁଲା ସ୍ମୃତିକୁ ପୁଣି ସାଉଁଟି ଥିଲେ ସାଥୀ କଳାକାର । ତାଙ୍କ ଜୀବନ୍ତ ଅଭିନୟ କେବଳ ୮୦ ଦଶକରେ ନୁହଁ ଆଜିର ପିଢିଙ୍କୁ କରିଆସିଛି ମନ୍ତ୍ରମୁଗ୍ଧ। ଶେଷକୃତ୍ୟ ପରେ ଲୋତକ ଭରା ଚକ୍ଷୁରେ ସମସ୍ତେ କହି ଉଠିଥିଲେ,  ଡାହା ବାଳୁଙ୍ଗାଙ୍କୁ ଛାଡି ଚାଲିଗଲେ ଦଣ୍ଡା ବାଳୁଙ୍ଗା । ଅଧା ରହିଗଲା ଅକୁହା କଥା। ସ୍ବାମୀଙ୍କୁ ହରାଇ କାନ୍ଦୁଛି ଉଦଣ୍ଡୀ ସୀତା ।