ପଞ୍ଚଭୂତରେ ବିଲୀନ ହେଲେ ସୁପରଷ୍ଟାର ଉତ୍ତମ ମହାନ୍ତି

ଭୁବନେଶ୍ବର : ପଞ୍ଚଭୂତରେ ଲୀନ ହେଲା ଭର୍ସାଟାଇଲ କଳାକାର ଉତ୍ତମ ମହାନ୍ତିଙ୍କ ମରଶରୀର । ଭୁବନେଶ୍ଵର ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହୋଇଛି ଶେଷକୃତ୍ୟ । ମୁଖାଗ୍ନି ଦେଲେ ପୁଅ ଅଭିନେତା ବାବୁଶାନ ମହାନ୍ତି । ଏହାସହ ବଲିଉଡରେ ଉତ୍ତମ ଯୁଗର ଅବସାନ ଘଟିଛି । ତାଙ୍କ ଦେହାନ୍ତରେ ସାରା ଓଲିଉଡ ଜଗତ ସ୍ତବ୍ଧ ହୋଇଯାଇଛି । ଗତ ୬ ତାରିଖରେ ତାଙ୍କର ସ୍ବାସ୍ଥ୍ଯବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥାରେ ଉନ୍ନତି ନ ଆସିବାରୁ ୮ ତାରିଖରେ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଲିଭର ସିରୋସିସ ସହ ନିମୋନିଆ ଯୋଗୁଁ ୨୦ ଦିନ ହସପିଟାଲରେ ମୃତ୍ଯୁ ସହ ସଂଗ୍ରାମ କରିବା ପରେ ଗତକାଲି ରାତିରେ ସେ ଶେଷ ନିଶ୍ବାସ ତ୍ଯାଗ କରିଥିଲେ । ୬୭ ବର୍ଷ ବୟସରେ ଓଲିଉଡରେ ଏହି ସୁପରଷ୍ଟାରଙ୍କ ମୃତ୍ଯୁ ସାରା ଚଳଚ୍ଚିତ୍ର ଜଗତକୁ ଶୋକ ସାଗରରେ ଭସାଇ ଦେଇଛି । ଆଜି ଦିନ ୧୧ଟା ୩୦ରେ ତାଙ୍କ ମୃତ ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଆମ୍ବୁଲନ୍ସରେ ବରମୁଣ୍ଡା ଜଗନ୍ନାଥ ବିହାର ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା । ସେଠାରେ ରାଜନେତା ଠାରୁ ଆରମ୍ଭ କରି ଓଲିଉଡ ଜଗତର କଳାକାର ଓ ଶୁଭେଚ୍ଛୁ ଶେଷ ଦର୍ଶନ କରିଥିଲେ । ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ବର ସତ୍ଯନଗର ଅଭିମୁଖେ ବାହାରିଥିଲା ମର ଶରୀର । ହଜାର ହଜାର ପ୍ରଶଂସକ ଓ ସାଧାରଣ ଜନତା ଓଲିଉଡର ଏହି ସୁପରଷ୍ଟାରଙ୍କୁ ଶେଷ ସମ୍ମାନ ଜଣାଇବାକୁ ରାସ୍ତାର ଦୁଇ ପାର୍ଶ୍ବ ଓ ସତ୍ଯନଗର ଶ୍ମଶାନରେ ଏକାଠି ହୋଇଥିଲେ । ଶେଷରେ ରାଷ୍ଟ୍ରୀୟ ମର୍ଯ୍ଯାଦା ସହ ଶ୍ମଶାନରେ ତାଙ୍କର ଶେଷକୃତ୍ଯ ସମ୍ପନ୍ନ କରାଯାଇଛି । ଉତ୍ତମ ଥିଲେ ଓଲିଉଡରେ ଜୀବନ୍ତ ପାଠଶାଳା । ତାଙ୍କର ମୃତ୍ଯୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଦିଗଦର୍ଶକଙ୍କୁ ସବୁଦିନ ପାଇଁ ହରାଇ ଦେଇଛି ବୋଲି କହିଛନ୍ତି କଳାକାର ।