ନୂଆରୂପ ପାଇଛି ଉତ୍କଳମଣିଙ୍କ ଜନ୍ମମାଟି, ୨୩ରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ନୂଆରୂପ ପାଇଛି ଉତ୍କଳମଣୀଙ୍କ ଜନ୍ମମାଟି । ଐତିହାସିକ ଗ୍ରାମରେ ହୋଇଛି ରୂପାନ୍ତର । ଗୋପବନ୍ଧୁଙ୍କ ଜନ୍ମସ୍ଥାନକୁ ମିଳିଛି ସ୍ବତନ୍ତ୍ର ପରିଚୟ । ୨୩ ତାରିଖରେ ପୂନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ମଧ୍ୟରେ ଗୋପବନ୍ଧୁଙ୍କ ଜନ୍ମ ପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୁତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ, ଉତ୍କଳମଣୀଙ୍କ ପ୍ରାୟ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି, ଷଠିଘର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଯାହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ଗ୍ରାମବାସୀ ବେଶ ଉତ୍ସାହିତ ଥିବାବେଳେ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।
ଘରେ ଥିବା ସେହି ଢିଙ୍କି, ଲଣ୍ଠନ, ଲୋଟା, ଖଟ, ସବୁକିଛି ଉତ୍କଳମଣୀଙ୍କ ସ୍ମୃତିକୁ ତାଜା କରୁଛି । ଘରକର ସବୁ ବସ୍ତୁକୁ ଅତି ସୁନ୍ଦରଭାବେ ସଜାଇ ରଖାଯାଇଛି । ଜନ୍ମମାଟିର ପରିବେଶକୁ ଉନ୍ନତି କରାଯାଇଥିବା ବେଳେ ଗ୍ରାମରେ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ସବୁ ସ୍ଥାନ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ସୁଆଣ୍ଡୋ ବିକାଶ ଗୋପବନ୍ଧୁଙ୍କ ଜନ୍ମମାଟିକୁ ଏକ ସ୍ବତନ୍ତ୍ର ପରିଚୟ ଦେବ ବୋଲି ଆଶା କରିଛନ୍ତି ସ୍ଥାନୀୟ ଲୋକେ । ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ବିକାଶମୂଳକ କାର୍ଯ୍ୟ ମଧ୍ୟରୁ ଉତ୍କଳମଣୀ ଗୋପବନ୍ଧୁଙ୍କ ପୀଠ ସୁଆଣ୍ଡୋର ବିକାଶ ଓଡ଼ିଶାର ବରପୁତ୍ରଙ୍କ ପାଇଁ ଏକ ପ୍ରମୁଖ ଅବଦାନ ।