ଉତ୍କଳ ବିଶ୍ଵବିଦ୍ୟାଳୟରେ ଗୋଷ୍ଠୀ ସଂଘର୍ଷ ଘଟଣା, ଜଣେ ଆଇନ ଛାତ୍ର ଗିରଫ
ଭୁବନେଶ୍ୱର: ଉତ୍କଳ ବିଶ୍ଵବିଦ୍ୟାଳୟରେ ଗୋଷ୍ଠୀ ସଂଘର୍ଷ ଘଟଣା । ଅଖିଳେସ ଯାଦବ ନାମକ ଜଣେ ଛାତ୍ରକୁ ଗିରଫ କଲା ସହୀଦ ନଗର ଥାନା ପୋଲିସ । ଅଖିଳେସ ଆଇନ ବିଭାଗର ଛାତ୍ର ବୋଲି ସୂଚନା ମିଳିଛି । ବାଣୀବିହାରରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ପୂର୍ବରୁ ପୋଲିସ କମିସନରଙ୍କୁ ଭେଟିଥିଲେ କୁଳପତି । ପ୍ରଫେସର ସବିତା ଆଚାର୍ଯ୍ୟ ପୋଲିସ କମିସନରଙ୍କୁ ଭେଟି ବାଣୀବିହାରରେ ଅଶାନ୍ତ ପରିସ୍ଥିତି ବିଷୟରେ ଜଣାଇଥିଲେ ।
ବାଣୀବିହାର କ୍ୟାମ୍ପସ୍ ଖୋଲୁ ଖୋଲୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପ୍ରତିବାଦରେ ଗୋପବନ୍ଧୁ ଛାତ୍ରାବାସ ଆଗରେ ଛାତ୍ରମାନେ ଧାରଣା ଦେଇଥିଲେ । ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଓ ବିଭିନ୍ନ ଅବ୍ୟବସ୍ଥାକୁ ନେଇ କିଛି ଛାତ୍ର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ଯାଉଥିଲେ । ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଏହାର ପ୍ରତିବାଦ କରିଥିଲେ ଏବଂ ଏହାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବିବାଦ ଉପୁଜିଥିଲା।
ଗୋଟିଏ ଛାତ୍ରଗୋଷ୍ଠୀ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପିଜି କାଉନ୍ସିଲ ଅଧ୍ୟକ୍ଷ, ପୋଲିସ ଏବଂ ଛାତ୍ରଗୋଷ୍ଠୀଙ୍କ ସହ ଭିସି ଆଲୋଚନା କରିବା ପରେ କ୍ୟାମ୍ପସରେ ଉତ୍ତମ ବାତାବରଣ ଫେରାଇଆଣିବାକୁ ଚେଷ୍ଟା କରାଯାଇଥିଲା । ଗଣ୍ଡଗୋଳ ଘଟଣାରେ ଆଜି ଜଣେ ଛାତ୍ରଙ୍କୁ ଗିରଫ କରାଯାଇଛି ।