ଆବୁଧାବିରେ ଉତ୍କଳ ଦିବସ ପାଳିତ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲା ଥିଏଟର

1 min read

ଆବୁଧାବି: ଅବୁଧାବିରେ ଓଡ଼ିଆ ସମାଜ ଆବୁଧାବି (ଓସା) ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଛି  । ଉତ୍କର୍ଷ-୨୦୨୨ ଶୀର୍ଷକ ‘ଓସା’ର ଏହି ବାର୍ଷିକ ଉତ୍ସବ ଆରବ ସାଗରର ସମ୍ମୁଖ ଆବୁଧାବି ଥିଏଟର୍‍ଠାରେ ଅନୁଷ୍ଠିତ ହୋଇଥିଲା  । ଅବୁଧାବିରେ ରହୁଥିବା ଓଡିଆଙ୍କୁ ନିଜ ସଂସ୍କୃତିକୁ ମନେପକାଇବା ଓ ପରମ୍ପରାକୁ ଜୀବିତ ରଖିବା ପାଇଁ ପ୍ରତିବର୍ଷ ଏହି ଉତ୍ସବ ପାଳନ କରାଯାଏ  ।

କୋଭିଡ୍‍ କଟକଣା ଯୋଗୁଁ ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ବାସ୍ତବ ଢଙ୍ଗରେ ପ୍ରେକ୍ଷାଳୟରେ ଉତ୍କଳ ଦିବସ ପାଳନ କରାଯାଉଥିବା ଯୋଗୁଁ ସମଗ୍ର ଥିଏଟର୍‍ ପରିସର ଉତ୍ସବମୁଖର ରହିଥିଲା  । ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବରେ ପ୍ରମୁଖ ପ୍ରବାସୀ ଭାରତୀୟ, ୟୁଏଇସ୍ଥିତ ଭାରତୀୟ ଦୂତାବାସର କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ରାଷ୍ଟ୍ରର କୂଟନୀତିଜ୍ଞମାନେ ଯୋଗଦେଇଥିଲେ  ।

ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ସଭା କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା । ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରି ଓଡ଼ିଆ ସମାଜ ଆବୁଧାବିର ସଭାପତି ପ୍ରଦୀପ ରଥ କୋଭିଡ୍‍ କାଳରେ ‘ଓସା’ର ସାମାଜିକ, ଦାତବ୍ୟ ଓ ଜନହିତକର କାର୍ଯ୍ୟାବଳୀର ସୂଚନା ଦେଇଥିଲେ ।  ସଭାକୁ ସମ୍ବୋଧନ କରି ମୁଖ୍ୟ ଅତିଥି ଭାରତୀୟ ଦୂତାବାସର ଦ୍ୱିତୀୟ ସଚିବ ରିଶା ଓବରାଇ ୟୁଏଇରେ ଅବସ୍ଥାପିତ ଭାରତୀୟ ସମ୍ପ୍ରଦାୟକୁ ସଶକ୍ତ କରିବାରେ ‘ଓସା’ର ଅବଦାନ ବେଶ୍‍ ଉଲ୍ଲେଖନୀୟ ବୋଲି ବର୍ଣ୍ଣନା କରିଥିଲେ ।

ବରେଣ୍ୟ ଅତିଥି ଚିତ୍ରତାରକା କୁନା ତ୍ରିପାଠୀ ଆବୁଧାବିରେ ଓଡ଼ିଆମାନଙ୍କୁ ଏକଜୁଟ୍‍ କରିବାରେ ‘ଓସା’ର ଭୂମିକା ପ୍ରଶଂସନୀୟ ବୋଲି କହିଥିଲେ । ସମ୍ମାନିତ ଅତିଥି ୱାର୍ଲଡ୍‍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ବ୍ରାଣ୍ଡ୍‍ ଓଡ଼ିଶାକୁ ୟୁଏଇରେ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବାରେ ‘ଓସା’ର ଉଦ୍ୟମ ବନ୍ଦନୀୟ ବୋଲି ସୂଚାଇଥିଲେ । ସ୍ୱତନ୍ତ୍ର ଅତିଥି ରାରିୟନ ଗ୍ରୁପ୍‍ର ଅଧ୍ୟକ୍ଷ ବ୍ରଜକିଶୋର ମିଶ୍ରଙ୍କର ପ୍ରତିନିଧି ଟେରାସ୍‍ କମ୍ପାନୀର ସିଇଓ ଅନୀଲ ସାହୁ ଆବୁଧାବିଠାରେ ପ୍ରବାସୀ ଓଡ଼ିଆ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଶୈଳୀକୁ ସକ୍ରିୟ କରିବାରେ ‘ଓସା’ର ଅବଦାନ ବେଶ୍‍ ପ୍ରଶଂସନୀୟ ବୋଲି ଦର୍ଶାଇଥିଲେ ।

ଏହି ଅବସରରେ ‘ଓସା’ ଦ୍ୱାରା ପ୍ରକାଶିତ ସ୍ମରଣିକା ‘ପ୍ରବାସୀ ଉତ୍କର୍ଷ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହାକୁ ସତ୍ୟବ୍ରତ ପାତ୍ର ଓ ଅରୁଣୀମା ମିଶ୍ର ସମ୍ପାଦନା କରିଛନ୍ତି । ଉତ୍କଳ ଦିବସ ଉପଲକ୍ଷେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲିଉଡ୍‍ର ପ୍ରଖ୍ୟାତ କଳାକାର କୁନା ତ୍ରିପାଠୀ, ଅଭିଜିତ୍‍ ମଜୁମ୍‍ଦାର ଏବଂ ଅନୁରାଧା ପାଣିଗ୍ରାହୀ ପ୍ରମୁଖ ସେମାନଙ୍କର କଳାଚାତୁର୍ଯ୍ୟ ପ୍ରଦର୍ଶନ କରି ଦର୍ଶକମାନଙ୍କର ଢେର ମନୋରଞ୍ଜନ କରିଥିଲେ  । ସଭା ଶେଷରେ ଡକ୍ଟର ହିମାଂଶୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।