କରୋନା ସମୟରେ ଏହି ଔଷଧର ବ୍ୟବହାର ହୋଇପାରେ କ୍ଷତିକାରକ

1 min read

ନୂଆଦିଲ୍ଲୀ: କରୋନା ଭୂତାଣୁର ଦ୍ୱିତୀୟ ପର୍ଯ୍ୟାୟ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ଅକ୍ସିଜେନ୍ ଅଭାବରୁ ଚାଲିଯାଉଛି ଅନେକ କରୋନା ରୋଗୀଙ୍କ ଜୀବନ । ଡାକ୍ତରଖାନାରେ ଆଇସିୟୁ, ଶଯ୍ୟା, ଅମ୍ଳଜାନ ଏବଂ ଔଷଧର ଅଭାବ ଯୋଗୁଁ  ମୃତ୍ୟୁର ତାଣ୍ଡବ ଥମିବାର ନାଁ ନେଉନାହିଁ । ଏଭଳି ପରିସ୍ଥିତିରେ ଡାକ୍ତରମାନେ ଲୋକଙ୍କୁ ସେଲ୍ଫ ଆଇସୋଲେସନରେ ରହି ଚିକିତ୍ସା କରିବାକୁ ପରାମର୍ଶ ଦେଉଛନ୍ତି। କିନ୍ତୁ କିଛି ଲୋକେ ଶୀଘ୍ର ସୁସ୍ଥ ହେବା ପାଇଁ ଔଷଧ କିମ୍ବା ଷ୍ଟେରଏଡର ଓଭରଡୋଜ୍ ନେଉଛନ୍ତି । ଏହା କିନ୍ତୁ ରୋଗୀଙ୍କ ପାଇଁ ହୋଇପାରେ ବିପଦଜନକ।

ଦିଲ୍ଲୀ AIIMSର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ କହିବା ଅନୁସାରେ, ସିଷ୍ଟମେଟିକ୍ ଷ୍ଟେରଏଡର ଓଭରଡୋଜ୍ ରୋଗୀମାନଙ୍କ ପାଇଁ ହୋଇପାରେ କ୍ଷତିକାରକ। ବିଶେଷକରି ଯେତେବେଳେ ଏହା ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟବହାର କରାଯାଏ ସେତେବେଳେ ଏହା ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇଥାଏ । କରୋନା ସଂକ୍ରମଣ ସମୟରେ ଔଷଧର ଅପବ୍ୟବହାର ନେଇ ଚେତାବନୀ ଦେଇଛନ୍ତି ଡାକ୍ତର ଗୁଲେରିଆ । ଔକ୍ଷଧ ବାବଦରେ ସବୁବେଳେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ବୋଲି ସେ ଜଣାଇଛନ୍ତି ।

କୋଭିଡ୍ ର ଦୁଇଟି ଷ୍ଟେଜ୍ ରହିଛି । ପ୍ରଥମେ, ଯେତେବେଳେ ଶରୀରରେ ଭୂତାଣୁ ଯୋଗୁଁ ଜ୍ୱର କିମ୍ବା ସଂକ୍ରମଣ ଜନିତ ସମସ୍ୟା ଦେଖାଯାଏ। ଅନେକ ଥର ଯେତେବେଳେ ଫୁସଫୁସରେ ଭୂତାଣୁ ବିସ୍ତାର ହେବା ଆରମ୍ଭ କରେ ଏବଂ ହଠାତ୍ ଅମ୍ଳଜାନ ସ୍ତର କମିଯାଏ, ସେତେବେଳେ ଆଣ୍ଟି-ଭାଇରାଲ୍ ଔଷଧ ଦିଆଯାଏ । ଅପରପକ୍ଷରେ ସଂକ୍ରମିତଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଥିବାରୁ ଇନଫ୍ଲାମେଟୋରି ରିଆକ୍ସନ ବଢିବାରେ ଲାଗେ ।

ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ କରୋନା ସଂକ୍ରମିତ ହେବା ପରେ ଲୋକମାନେ ତୁରନ୍ତ ସିଟି ସ୍କାନ୍ କରାଉଛନ୍ତି। ତେବେ ଏନେଇ ଡକ୍ଟର ଗୁଲେରିଆ କହିଛନ୍ତି ଯେ, କୋଭିଡ ଆରମ୍ଭରେ ସିଟି ସ୍କାନ କରିବାର କୌଣସି ଆବଶ୍ୟକତା ନାହିଁ। ଗୋଟିଏ ସିଟି ସ୍କାନରେ ୩୦୦ ଏକ୍ସ-ରେ ଭଳି ରେଡିଏସନ୍ ହୋଇଥାଏ । ଏହା ଦ୍ୱାରା କର୍କଟ ରୋଗର ଆଶଙ୍କା ବଢିଥାଏ । ବାୟୋ ମାର୍କର ତଥା ରକ୍ତ ପରୀକ୍ଷା ମଧ୍ୟ ନିଜ ମନ ମୁତାବକ କରିବା ଅନୁଚିତ୍ ।

ଅନେକ ଲୋକ ପ୍ରତି ତିନିମାସରେ ଥରେ ସିଟି ସ୍କାନ କରୁଛନ୍ତି, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଶିଶୁ ଏବଂ ୧୮ ବର୍ଷରୁ କମ୍ ବୟସର ଲୋକଙ୍କ ମଧ୍ୟରେ କରୋନାର ଦ୍ରୁତ ଗତିରେ ବଢୁଛି। ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍ ମ୍ୟାନେଜମେଣ୍ଟ ଉପରେ ମଧ୍ୟ ଗାଇଡଲାଇନ୍ ଜାରି କରିଛନ୍ତି । ଦ୍ରୁତ ଗତିରେ ବଢୁଥିବା କରୋନା ମାମଲାରେ ରୋକ୍ ଲଗାଇବା ଜରୁରୀ। ଭାଇରସର ଚେନ୍ ଭାଙ୍ଗିବା ପାଇଁ ହେଲେ କରୋନା ସତର୍କତା ଓ ସଚେତନତା ଅବଲମ୍ୱନ କରିବା ଜରୁରୀ । ଏନେଇ ଡାକ୍ତରମାନଙ୍କୁ ମଧ୍ୟ ସ୍ପେଶାଲ ଟ୍ରେନିଂ ଦିଆଯିବା ଜରୁରୀ ।

Leave a Reply