ଟ୍ବିଟର ବ୍ଲୁ ଟିକ୍‌ ପାଇଁ ୬୬୦ ଟଙ୍କା: ମସ୍କ କହିଲେ ଅଭିଯୋଗ କର, ପଇସା ଦେବାକୁ ହେବ

ଏଣିକି ଟ୍ବିଟରରେ ବ୍ୱୁ ଟିକ୍‌ ପାଇଁ ଗଣିବାକୁ ପଡିବ ୮ ଡଲାର । ଭାରତୀୟ ମୂଲ୍ୟରେ ଟ୍ବିଟର ପାଇଁ ଦେବାକୁ ପଡିବ ପାଖାପାଖି ୬୦୦ ଟଙ୍କା । ଟ୍ବିଟର କିଣିବାର ୫ ଦିନ ପରେ ଏଭଳି ନୂଆ ନିୟମର ଘୋଷଣା କରିଛନ୍ତି ଏଲନ ମସ୍କ । ଦୁଇ ଦିନ ପୂର୍ବରୁ ଏନେଇ ବି ସଙ୍କେତ ଦେଇଥିଲେ ମସ୍କ ।

ନୂଆ ନିୟମ ଲାଗୁ ପରେ ସମଗ୍ର ବିଶ୍ବରୁ ଅଭିଯୋଗର ସ୍ବର ଉଠିଛି । ଯାହାର ଜବାବ ଦେଇ ମସ୍କ କହିଛନ୍ତି ଯେ ‘ଅଭିଯୋଗକାରୀ ଅଭିଯୋଗ ଜାରି ରଖ । ତଥାପି ତୁମକୁ ୮ ଡଲାର ଦେବାକୁ ହେବ ’ । କେବଳ ସେତିକି ନୁହେଁ ମସ୍କ ନିଜ ବାୟୋ ବଦଳାଇ ଲେଖିଛନ୍ତି ଯେ ‘ଟ୍ବିଟର କମ୍ପଲେନ ହଟଲାଇନ ଅପରେଟର’ । କେତେକ ମିଡିଆ ରିପୋର୍ଟ ଅନୁସାରେ ମସ୍କ ୨୦ ଡଲାର (ପାଖାପାଖି ୧୬୦୦ ଟଙ୍କା) ଆଦାୟ କରିବାର ଲକ୍ଷ୍ୟ ରଖିଛନ୍ତି ।

କେମିତି ମିଳେ ବ୍ଲୁ ଟିକ୍‌ ?

ଟ୍ବିଟର ୟୁଜରଙ୍କୁ ବର୍ତ୍ତମାନ ବ୍ଲୁ ଟିକ୍‌ ପାଇଁ କୌଣସି ଫିସ୍‌ ଦେବାକୁ ପଡୁନାହିଁ । କମ୍ପାନୀର ନିର୍ଦ୍ଧାରିତ ନିୟମ ପରେ ୟୁଜରଙ୍କୁ ବ୍ଲୁ ଟିକ୍‌ ମିଳିଥାଏ । ଯେଉଁ ୟୁଜରଙ୍କ ପ୍ରୋଫାଇଲରେ ଏହି ଟିକ୍‌ ରହିଥାଏ ଏହାର ଅର୍ଥ ହେଉଛି ସେହି ଆକାଉଣ୍ଟ ଭେରିଫାଏଡ୍‌ ଅଟେ ।

ଏବେ କଣ ବଦଳିବ ?

ନୂଆ ନିୟମ ଅନୁସାରେ ବ୍ଲୁ ଟିକ ପାଇଁ ୟୁଜରଙ୍କୁ ସବସ୍କ୍ରିପ୍ସନ ନେବାକୁ ପଡିବ । ଯେଉଁଥିପାଇଁ ପ୍ରତି ମାସରେ ୬୬୦ ଟଙ୍କା ଦେବାକୁ ହେବ । ତେବେ ପେଡ୍‌ ସର୍ଭିସ କେବେ ଠାରୁ ଲାଗୁ ହେବ ସେ ନେଇ ଧାର୍ଯ୍ୟ ହୋଇନାହିଁ ।

ସବୁ ଦେଶ ପାଇଁ ମୂଲ୍ୟ ଭିନ୍ନ !

ଭିନ୍ନ ଭିନ୍ନ ଦେଶରେ ପ୍ରୋସେସିଂ ଫି ଅଲଗା ରହିବା ନେଇ କହିଛନ୍ତି ଏଲନ ମସ୍କ । ଦେଶର ପର୍ଚ୍ଚେଜିଂ ପାୱାର ଓ କାପାସିଟି ଉପରେ ଏହା ନିର୍ଭର କରେ । କିନ୍ତୁ ଭାରତରେ ମୂଲ୍ୟ କେତେ ରହିବ ତାହା ଏଯାଏଁ ସ୍ଥିର ହୋଇନାହିଁ ।

ୟୁଜର୍ସଙ୍କୁ କଣ ମିଳିବ ଫାଇଦା

ପେଡ୍‌ ସବସ୍କ୍ରିପ୍ସନ ନେଉଥିବା ୟୁଜରଙ୍କୁ ୫ ପ୍ରକାରର ମିଳିବ ସୁବିଧା । ସର୍ଚ୍ଚ ଅପସନ୍‌ରେ ଦିଆଯିବ ପ୍ରାଥମିକତା । ଲମ୍ବା ଭିଡିଓ ଓ ଅଡିଓ ବି କରିପାରିବେ ସେମାନେ ପୋଷ୍ଟ । ନର୍ମାଲ ୟୁଜର୍ସଙ୍କ ମୁକାବିଲାରେ ଅଧା ବିଜ୍ଞାପନ ଦେଖିବାକୁ ମିଳିବ । ଏହି ଫିଚର ଯୋଗୁଁ ସ୍ପାମରେ ବି ଲାଗିବ ଲଗାମ । ଯଦି ପବ୍ଲିଶର ଟ୍ବିଟର ସହ କଣ୍ଟ୍ରାକ୍ଟ କରିବେ ତେବେ ବ୍ଲୁ ଟିକ ସବସ୍କ୍ରାଇବର ପେଡ୍‌ ଆର୍ଟିକଲ ବି ମାଗଣାରେ ପଢି ପାରିବେ ।

ଚର୍ଚ୍ଚିତ ତେହେରାଙ୍କ ପ୍ରଫାଇଲରେ ଲାଗିବ ଖାସ ସେକେଣ୍ଡରୀ ଟ୍ୟାଗ

ନେତା ଓ ଅଭିନେତା କି ଚର୍ଚ୍ଚିତ ତେହେରାଙ୍କ ପ୍ରଫାଇଲ ପାଇଁ ସେକେଣ୍ଡାରୀ ଟ୍ୟାଗ ମିଳିବ । ସେକେଣ୍ଡାରୀ ଟ୍ୟାଗ୍‌ ବର୍ତ୍ତମାନ କିଛି ଦେଶରେ ଲାଗୁ ହୋଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଟ୍ବିଟର ଆକାଉଣ୍ଟରେ ଏହି ଟ୍ୟାଗ୍‌ ଆପଣ ଦେଖିପାରିବେ । ତାଙ୍କ ପ୍ରଫାଇଲର ନାଁ ତଳେ ୟୁନାଇଟେଡ ଷ୍ଟେଟସ ଗଭର୍ଣ୍ଣମେଣ୍ଟ ଅଫିସିଆଲ ଲେଖା ରହିଛି । ଭାରତରେ ଏହି ଟ୍ୟାଗ୍‌ ସୁବିଧା ଏବେ ଉପଲବ୍ଧ ହୋଇନାହିଁ ।

ଗତବର୍ଷ ଜୁନରେ ଟ୍ବିଟର ବ୍ଲୁ ସର୍ଭିସ ନିଜର ପ୍ରଥମ ସବସ୍କ୍ରିପ୍ସନ ସେବା ଲଞ୍ଚ କରିଥିଲା । ଆମେରିକା, କାନାଡା, ଅଷ୍ଟ୍ରେଲିଆ, ଓ ନ୍ୟୁଜିଲାଣ୍ଡରେ ପ୍ରଥମେ ଏହା ଲଞ୍ଚ୍‌ ହୋଇଥିଲା । ବ୍ଲୁ ଟିକ୍‌ ସେବା ପାଇଁ ଏହି ଦେଶ ମାନଙ୍କୁ ମାସିକ ୪.୯୯ ଡଲାର ବା ଭାରତୀୟ ମୂଲ୍ୟରେ ୪୪୦ ଟଙ୍କା ଦେବାକୁ ପଡିଥାଏ । ସବସ୍କ୍ରିପ୍ସନ ସେବାରେ ଭେରିଫିକେସନ ସୁବିଧା ମିଳେ ନାହିଁ । କିନ୍ତୁ ଏବେ ୟୁଜରଙ୍କୁ ଏହା ସହ ବ୍ଲୁ ଟିକ୍‌ ବି ମିଳିବ ।