USAID ପାଣ୍ଠିକୁ ବିବାଦ, ଚିନ୍ତା ପ୍ରକଟ କଲେ ବୈଦେଶିକ ମନ୍ତ୍ରୀ
1 min read
ନନ୍ଦିଘୋଷ ବ୍ୟୁରୋ: USAID ପାଣ୍ଠିକୁ ନେଇ ଆମେରିକାରୁ ଦିଲ୍ଲୀ ପର୍ଯ୍ୟନ୍ତ ବିବାଦ । ଏହି ବିବାଦ ମଧ୍ୟରେ, ଅର୍ଥ ମନ୍ତ୍ରଣାଳୟ ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ ପାଣ୍ଠି ସମ୍ପର୍କରେ ଅନେକ ଖୁଲାସା ହୋଇଛି । ରିପୋର୍ଟରେ ପାଣ୍ଠି ସହିତ ଜଡିତ ସମସ୍ତ ବିବରଣୀ ଦିଆଯାଇଛି, ଯେପରିକି USAID କେତେ ପାଣ୍ଠି ଯୋଗାଇଥିଲା ଏବଂ ସେହି ପାଣ୍ଠି କେଉଁଠି ବ୍ୟବହାର କରାଯାଇଥିଲା ଏବଂ କେମିତି ବ୍ୟବହାର ହୋଇଥିଲା ? ଅର୍ଥ ମନ୍ତ୍ରଣାଳୟ ରିପୋର୍ଟରେ କୁହାଯାଇଛି ଯେ USAID ୨୦୨୩-୩୪ ଆର୍ଥିକ ବର୍ଷରେ ଭାରତରେ ୭ଟି ପ୍ରକଳ୍ପ ପାଇଁ୭୫୦ ନିୟୁତ ଡଲାର ବା ପ୍ରାୟ ୬୫ ବିଲିୟନ ପାଣ୍ଠି ଯୋଗାଇଛି କିନ୍ତୁ ଭୋଟ ପ୍ରତିଶତ ବୃଦ୍ଧି ପାଇଁ କୌଣସି ପାଣ୍ଠି ଯୋଗାଇ ଦିଆଯାଇ ନାହିଁ ।
ଅର୍ଥ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, USAID ପାଣ୍ଠି କୃଷି ଏବଂ ଖାଦ୍ୟ ସୁରକ୍ଷା, ଜଳ, ପରିମଳ ଏବଂ ସ୍ୱଚ୍ଛତା, ନବୀକରଣୀୟ ଶକ୍ତି, ବିପର୍ଯ୍ୟୟ ପରିଚାଳନା ଏବଂ ସ୍ୱାସ୍ଥ୍ୟ ସହିତ ଜଡିତ ପ୍ରକଳ୍ପ ପାଇଁ ଥିଲା । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ USAID ଜଙ୍ଗଲ ଏବଂ ଜଳବାୟୁ ସ୍ଥିରତା କାର୍ଯ୍ୟକ୍ରମ ଏବଂ ଶକ୍ତି ଦକ୍ଷତା ପ୍ରଯୁକ୍ତିବିଦ୍ୟା ବାଣିଜ୍ୟକରଣୀ ଏବଂ ନବସୃଜନ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛି । ରିପୋର୍ଟରେ କୁହାଯାଇଛି ଯେ ଭାରତ ୧୯୫୧ ମସିହାରେ ଆମେରିକାରୁ ସାହାଯ୍ୟ ପାଇବା ଆରମ୍ଭ କରିଥିଲା । ଏପର୍ଯ୍ୟନ୍ତ, ଭାରତ ୫୫୫ଟି ପ୍ରକଳ୍ପ ପାଇଁ USAID ଠାରୁ ୧୭୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପାଇସାରିଛି ।
DOGEର ପ୍ରକାଶ ପରେ ବିବାଦ
ପ୍ରକୃତରେ ଚଳିତ ମାସର ପ୍ରାରମ୍ଭରେ ଆମେରିକାର ସରକାରୀ ଦକ୍ଷତା ବିଭାଗ (DOGE) ପ୍ରକାଶ କରିଥିଲା ଯେ ଭାରତରେ ଭୋଟ ପ୍ରତିଶତ ବୃଦ୍ଧି କରିବା ପାଇଁ ଯୁକ୍ତରାଷ୍ଟ୍ର ଆନ୍ତର୍ଜାତୀୟ ବିକାଶ ସଂସ୍ଥା (USAID) ୨୧ ନିୟୁତ ଡଲାରର ଅନୁଦାନ ଦେଇଛି । ଏଲନ ମସ୍କଙ୍କ ବିଭାଗ DOGE ଦ୍ୱାରା ଏହା ପ୍ରକାଶିତ ହେବା ପରେ ଭାରତ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଥିଲା ।
ଏହା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଗୋଟିଏ ପରେ ଗୋଟିଏ ବୟାନ ଦେବା ଆରମ୍ଭ କରିଥିଲେ ଯାହା ଚର୍ଚ୍ଚାକୁ ଆହୁରି ଆଗକୁ ବଢାଇଥିଲା । ସେ କହିଥିଲେ ଯେ ଆମେ ଭୋଟ ପ୍ରତିଶତ ବୃଦ୍ଧି କରିବା ପାଇଁ ଭାରତକୁ ୨୧ ନିୟୁତ ଡଲାର ସହାୟତା ଦେଉଛୁ କିନ୍ତୁ ଆମର ଲାଭ କ’ଣ ? ଆମକୁ ମଧ୍ୟ ଭୋଟ ପ୍ରତିଶତ ବୃଦ୍ଧି କରିବାକୁ ପଡିବ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତକୁ କୌଣସି ପାଣ୍ଠିର ଆବଶ୍ୟକତା ନାହିଁ ତାଙ୍କ ପାଖରେ ବହୁତ ଟଙ୍କା ଅଛି । ତେବେ ନିର୍ବାଚନରେ ସାହାଯ୍ୟ କରିବା ପାଇଁ ଆମେ କାହିଁକି ଭାରତକୁ ୨୧ ନିୟୁତ ଡଲାର ଦେବୁ ?
ଜୟଶଙ୍କର ଚିନ୍ତା ପ୍ରକାଶ କଲେ
ଏହି ମାମଲା ପ୍ରକାଶିତ ହେବା ପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର USAID ପାଣ୍ଠି ବିବାଦ ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆମେରିକା ଦେଇଥିବା ସୂଚନା ଚିନ୍ତାଜନକ । ସରକାର ଏହାର ତଦନ୍ତ କରୁଛନ୍ତି । ଯଦି ଏପରି କିଛି ଅଛି ଦେଶ ଜାଣିବା ଉଚିତ ଯେ କିଏ ଏହି କାର୍ଯ୍ୟକଳାପରେ ଜଡିତ । ଗୁରୁବାର ଦିନ ମିଆମିରେ ଏକ କାର୍ଯ୍ୟକ୍ରମ ସମୟରେ, ଟ୍ରମ୍ପ ଭାରତରେ ଭୋଟ ପ୍ରତିଶତ ବୃଦ୍ଧି ପାଇଁ USAIDର ୨୧ନିୟୁତ ଡଲାର ପାଣ୍ଠି ଉପରେ ପ୍ରଶ୍ନ ଉଠାଇଥିଲେ ।