spot_img

Latest Posts

ଲଦାଖରେ ମାନୁନି ଡ୍ରାଗନ, ଆମେରିକା ପଠାଇଲା ଘାତକ ପରମାଣୁ ବୋମାବର୍ଷକ

ଭାରତ ଓ ଚୀନ ମଧ୍ୟରେ ଲଦାଖରେ ଜାରି ଗତିରୋଧ ଉପରେ ବିରମା ଲାଗୁନାହିଁ । ଡ୍ରାଗନର ଜିଦ ଓ ବିସ୍ତାରବାଦୀ ଚିନ୍ତାଧାର ଏସିଆର ଦୁଇ ପରମାଣୁ ଶକ୍ତିଙ୍କୁ ମୁହାଁମୁହିଁ କରିଛି ।  ଦୁଇ ଦେଶର ଶୀର୍ଷ ସାମରିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ବି ଚୀନ୍ ପୈଙ୍ଗାଙ୍ଗ୍ ହ୍ରଦ ଓ ଦେପସାଙ୍ଗ୍ ଅଂଚଳରୁ ପଛକୁ ହଟୁନାହିଁ । କେବଳ ଏତିକି ନୁହେଁ ଚୀନ ଭାରତକୁ ଲାଗିଥିବା ସୀମାରେ ବିମାନ ଘାଟି ତିଆରି କଲାଣି । ଲଦାଖଠାରୁ ୫ଶହ କିଲୋମଟିର ଦୂରରେ ନିଜ ସୀମା ଭିତରେ ପିପୁଲସ ଲିବରେସନ୍ ଆର୍ମୀ ପରମାଣୁ ମିଶାଇଲ DF-26କୁ ମୁତୟନ କରିସାରିଛି । ଚୀନର ଏଭଳି ଦୁଃସାହସର ଜବାବ ଦେବାକୁ ଆମେରିକା ଆଗକୁ ଆସିଛି । ଭାରତ ପଛରେ ଆମେରିକା ଛିଡା ହୋଇଛି ଏହି ସନ୍ଦେଶ ଦେବାକୁ ୱାଂସିଂଟନ ଏମିତି କିଛି କରିଛି ଯାହା ଚୀନର ଗ୍ରେ଼ଟ୍ ୱାଲକୁ ଦୋହଲାଇ ଦେବ । ଆମେରିକା ଭାରତ ନିକଟରେ ଥିବା ନିଜ ସାମରିକ ଆଡ୍ଡା ଡିୟାଗୋ ଗାର୍ସିୟାରେ ପରମାଣୁ ବୋମା ବର୍ଷକ ବିମାନ B-2କୁ ଓହ୍ଲାଇଛି ।

୨୯ ଘଣ୍ଟା ଉଡାଣ ପରେ ପହଂଚିଲା B-2

b-2

ଆମେରିକାର ଇଣ୍ଡୋ-ପେସିଫିକ୍ କମାଣ୍ଡ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ତିନୋଟି B-2 ସ୍ପ୍ରିଟ୍ ଷ୍ଟିଲ୍ଥ ବମରକୁ ଡିୟାଗୋ ଗର୍ସିଆରେ ମୁତୟନ କରାଯାଇଛି । ଏହି ବିମାନ ପ୍ରାୟ ୨୯ ଘଣ୍ଟାର ଯାତ୍ରା କରି ଆମେରିକାର ମିସୋରି ଏୟାରଫୋର୍ସ ବେସରୁ ଡିୟାଗୋ ଗର୍ସିୟାରେ ପହଂଚିଥିଲା । ଆମେରିକା ପକ୍ଷରୁ କୁହାଯାଇଛି ଯେ, ୨୯ ଘଣ୍ଟାର ଏହି ଯାତ୍ରା ଦର୍ଶାଉଛି ଯେ,ଆମେରିକା ତାର ବନ୍ଧୁ ଓ ସହଯୋଗୀଙ୍କୁ ସହଯୋଗ କରିବା ପାଇଁ ଅତ୍ୟନ୍ତ ଘାତକ ଓ ଲମ୍ବା ଦୂରତା ପର୍ଯ୍ୟନ୍ତ ଯେକୌଣସି ସମୟ ଓ କେଉଁଠାରେ ମଧ୍ୟ ଆକ୍ରମଣ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ । ଆମେରିକା ବାୟୁସେନା କମାଣ୍ଡର କର୍ଣ୍ଣଲ ଖ୍ରିଷ୍ଟୋଫର କୋନାନ୍ତ କହିଛନ୍ତି ଯେ, ଆମେ ଡିୟାଗୋ ଗର୍ସିୟା ଭଳି ସ୍ଥାନକୁ ଆସି ଅତ୍ୟନ୍ତ ରୋମାଞ୍ଚିତ ଅନୁଭବ କରୁଛୁ ।

କରୋନା ପରେ ଆମେ ବନ୍ଧୁମାନଙ୍କୁ ସାହାଯ୍ୟ କରିବାକୁ ପ୍ରତିବଦ୍ଧ

bb3

କମାଣ୍ଡର ଖ୍ରୀଷ୍ଟୋଫର କହିଛନ୍ତି ଯେ, ଏହି ବୋମାବର୍ଷକ ଟାସ୍କ ଫୋର୍ସ ଆମ ଜାତୀୟ ପ୍ରତିରକ୍ଷା ରଣନୀତିର ଅଙ୍ଗ । ଆମେ (ଭାରତ ମହାସାଗରରେ) ନିଜ ବନ୍ଧୁ ଓ ସହଯୋଗୀଙ୍କ ସହ ସଂପର୍କ ମଜବୁତ କରିବା ସହ ନିଜର ଆକ୍ରମଣ କରିବାର ଧାରକୁ ଅଧିକ ଧାରଦାର ଓ ତିବ୍ର କରୁଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ସଂକଟ ପରେ ମଧ୍ୟ ବାୟୁସେନା ଇଣ୍ଡୋ-ପେସିଫିକ ଅଂଚଳରେ ସହଯୋଗ କରିବା ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ଲକ୍ଷ୍ୟକୁ ହାସଲ କରିବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ । ସୂଚନାଯୋଗ୍ୟ ଯେ, ଆମେରିକାର ରଣନୀତିକ କମାଣ୍ଡ ପ୍ରାୟ ସବୁବେଳେ ବି-୨କୁ  ବିପଦ ଓ ଆବଶ୍ୟକତା ହିସାବରେ ବିଶ୍ୱର ଭିନ୍ନଭିନ୍ନ ସ୍ଥାନରେ ମୁତୟନ କରିଥାଏ ।

ଭାରତ-ଚୀନ ଉତ୍ତେଜନା,ଭାରତ ମହାସାଗରେ ବି-ଟୁ ବମର

bb5

ଆମେରିକା ବାୟୁସେନା ଅନୁସାରେ ଏହା ପୂର୍ବରୁ ଜାନୁଆରି ୨୦୧୯ ରେ ଶେଷଥର ପାଇଁ ବି-୨ ବମରକୁ ଭାରତ ମହାସାଗରର ହାୱାଇ ଦ୍ୱିପରେ ମୁତୟନ କରାଯାଇଥିଲା । ଏହା ସହିତ ପ୍ରାୟ ୨୦୦ ବାୟୁ ସୈନିକଙ୍କ ମୁତୟନ କରାଯାଇଥିଲା । ଦେଢ ବର୍ଷ ପରେ ଏହି ପରମାଣୁ ଆକ୍ରମଣ ସକ୍ଷମ ଷ୍ଟେଲ୍ଥ ବିମାନକୁ ମୁତୟନ କରି ଆମେରିକା ଚୀନ୍ ଓ ଇରାନକୁ ବଡ ସନ୍ଦେଶ ଦେବାକୁ ଚାହୁଁଛି । ଏହି ବିମାନ ସେହି ସମୟରେ ପହଂଚିଛି ଯେତେବେଳେ ହିମାଳୟ ତଳେ ଭାରତ ଓ ଚୀନ୍ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଚୀନ୍ ଭାରତକୁ ମୁହଁ ଫୁଟାଣି ଦେଖାଇବାକୁ ଚାହୁଁଛି । ନିଜ ପରମାଣୁ ମିଶାଇଲର ଡର ଦେଖାଉଛି ଡ୍ରାଗନ । ଏମିତିରେ ଡ୍ରାଗନ ମନରେ ବି ବି-ଟୁର ଛନକା ପସିବଣି ସେଥିରେ ସନ୍ଦେହ ନାହିଁ । କାରଣ ବି-ଟୁର କୌଣସି ମୁକାବିଲା କାହା ପାଖରେ ନାହିଁ । କାରଣ ବି-ଟୁ ହେଉଛି ଆକାଶର ରାଜା । କାରଣ ବି ଟୁ ହେଉଛି ଏମିତି ଅସ୍ତ୍ର ଯାହାକୁ ଶତ୍ରୁ ରଡାର ଦେଖିପାରେନା କିନ୍ତୁ ସିଏ ଶତ୍ରୁକୁ କ୍ଷଣକରେ ମାଟିରେ ମିଶାଇପାରେ ।କିଛିଦିନ ତଳେ ଆମେରକା ଏୟାରକ୍ରାଫ୍ଟ କ୍ୟାରିୟର ମଲକା ଷ୍ଟ୍ରେଟ୍ ପାର କରି ଭାରତୀୟ ନୌସେନା ସହ ଆଣ୍ଡାମାନ ନିକୋବରରେ ଯୁଦ୍ଧାଭ୍ୟାସ କରିଥିଲା ।

ଜାଣନ୍ତୁ ,କାହିଁକି ଦୁନିଆର ସବୁଠୁ ଘାତକ ବୋମା ବର୍ଷକ ହେଉଛି  B-2 ସ୍ପ୍ରିଟ୍

b-2 attack

ପ୍ରତିରକ୍ଷା ବିଶେଷଜ୍ଞ ବି-୨କୁ ଦୁନିଆର ସବୁଠାରୁ ଭୟଙ୍କର ଓ ଘାତକ ବୋମା ବର୍ଷକ ଭାବେ ବିବେଚନା କରନ୍ତି । ଏହି ବୋମାବର୍ଷକ ଏକାଥରକେ ୧୬ ବି୬୧-୭ ପରମାଣୁ ବୋମା ନେଇ ପାରିବ ।ନିକଟେର ଏଥିରେ ଆଉ ଗୋଟିଏ ନୂଆ ମଡେଲର ପରମାଣୁ ବୋମା ବି-୬୧-୧୨କୁ ସାମିଲ କରାଯାଇଛି । ଏହି ପରମାଣୁ ବୋମାକୁ ରଡାର ଧରି ପାରେନା ଓ ଏହା ଶତ୍ରୁର ଅଜାଣତରେ ଆକ୍ରମଣ କରିଥାଏ । ଏହା ମଧ୍ୟ ଶତ୍ରୁର ବାୟୁ ପ୍ରତିରକ୍ଷା ସିଷ୍ଟମକୁ ଧୋକା ଦେଇ ତା’ ଇଲାକାରେ ପ୍ରବେଶ କରିପାରେ ।  ଏହି ବିମାନରେ ପାରମ୍ପରିକ ଏକ ହଜାର କିଲୋର ପରମାଣୁ ବୋମା ମଧ୍ୟ ନିଆଯାଇପାରେ । ଶତ୍ରୁଦେଶର ମାଟି ଉପରେ ଆକ୍ରମଣ କରିବାରେ ଏହା ମାହିର ।୧୯୯୭ ମସିହାରେ ଗୋଟିଏ ବି-୨ ସ୍ପ୍ରିଟ୍ ବମରର ଦାମ୍ ଥିଲା ୨ଶହ କୋଟି ଡଲାର ।  ଏହା ୫୦ ହଜାର ଫୁଟ ଉଚ୍ଚତାର ଉଡାଣ ଭରି ୧୧ ହଜାର କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷଭେଦ କରିପାରିବ । ଥରେ ଇନ୍ଧନ ଭରିବା ପରେ ଏହା ୧୯ ହଜାର କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିପାରେ । ଇରାନ,ଆଫଗାନିସ୍ତାନ ଓ ଲିବିଆରେ ଏହା ନିଜର ସାମର୍ଥ୍ୟ ଦେଖାଇ ସାରିଛି ।

ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଡିୟାଗୋ ଗର୍ସିୟା ନୌସେନା ଘାଟି

diego garcia

ଡିୟାଗୋ ଗର୍ସିୟା କେବଳ ଭାରତ ନୁହେଁ ବଂର ସମଗ୍ର ଭାରତ ମହାସାଗର ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତ ମହାସାଗର ମଧ୍ୟଭାଗରେ ଥିବା ଚାଗୋସ ଦ୍ୱିପପୁଂଜରେ ପ୍ରାୟ ୬୦ ଦ୍ୱିପ ରହିଛି । ଏହାର ସବୁଠାରୁ ବଡ ଦ୍ୱିପ ହେଉଛି ଡିୟାଗୋ ଗର୍ସିୟା । ଯାହା ଏବେ ଇଂଲଣ୍ଡ୍ ଅଧିକାରରେ ଅଛି । ଇଂଲଣ୍ଡ ଏହାକୁ ଆମେରିକାକୁ ନୌସେନା ଘାଟି ପାଇଁ ଦେଇଛି ।  ଏହି ଦ୍ୱୀପର କ୍ଷେତ୍ରଫଳ ପ୍ରାୟ ୬୦ ବର୍ଗ କିଲୋମିଟର  । ଏହି ଦ୍ୱୀପର ପୂର୍ବରେ ସୁମାତ୍ରା ଓ ପଶ୍ଚିମରେ ସୋମାଲିଆ ରହିଛି । ଭାରତଠାରୁ ଏହା ପ୍ରାୟ ୧ ହଜାର କିଲୋମିଟର ସାମୁଦ୍ରିକ ଦୂରତାରେ ଅବସ୍ଥିତ ।

ଡିୟାଗୋ ଗର୍ସିୟାରୁ ଅନେକ ଯୁଦ୍ଧ ଲଢିଛି ଆମେରିକା

b-2 sprit bomber

ଡିୟାଗୋ ଗର୍ସିଆ ସମୁଦ୍ର ମଧ୍ୟରେ ସୁରକ୍ଷିତ । ତେଣୁ ଏହାକୁ ଆମେରିକା ତା’ର ନୌସେନା ଘାଟି ପାଇଁ ବାଛିଥିଲା । ଆମେରିକା ପାଇଁ ରଣନୈତିକ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଦ୍ୱୀପରୁ ଭାରତର ଦକ୍ଷୀଣ ଉପକୂଳ ୯୭୦ ନଟିକାଲ ମାଇଲ(ସାମୁଦ୍ରିକ ମାଇଲ)  । ଏହି ଦ୍ୱୀପରେ ଆମେରିକାର ୧୭ଶହ ନୌସୈନିକ ଓ ୧୫ଶହ ବେସାମରିକ କଣ୍ଟ୍ରାକ୍ଟର ରୁହନ୍ତି ।  ସେଠାରେ ମଧ୍ୟ ୫୦ ବ୍ରିଟିଶ ନୌସେନିକ ମୁତୟନ ଅଛନ୍ତି । ଏହି ଘାଟିକୁ ଆମେରିକାର ବାୟୁସେନା ଓ ନୌସେନା ବ୍ୟବହାର କରନ୍ତି । ୧୯୯୧ର ଉପସାଗରୀୟ ଯୁଦ୍ଧ,୧୯୯୮ର ଇରାକ ଯୁଦ୍ଧ ଓ ୨୦୦୧ର ଆଫଗାନିସ୍ତାନ ଯୁଦ୍ଧ କାଳରେ ଏହି ଘାଟି ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଆମେରିକା ଏଇଠାରୁ ଚୀନ ଗତିବିଧି ଉପରେ ନଜର ରଖୁଛି ।

Latest Posts

Don't Miss