spot_img

Latest Posts

ଋଷ ଟିକାକୁ ମଜାରେ ଉଡାଇଲା ଆମେରିକା,କହିଲା ଏମିତି ଟିକା ଆମେ କେବଳ ମାଙ୍କଡଙ୍କୁ ଦେଉ

ନ୍ୟୁୟର୍କ: ଋଷ କରୋନା ଟିକାକୁ ନେଇ ବିଶ୍ୱବ୍ୟାପି ଆଲୋଚନା ହେଉଛି । ଋଷ ଏହି ଟିକା ଦ୍ୱାରା ପୁଣିଥରେ ବିଶ୍ୱ ଜିଓ ପଲିଟିକ୍ସରେ ନିଜ ଦବଦବା ବଢାଇବାକୁ ଚାହୁଁଛି । ଫିଲିପାଇନସ୍,ଭିଏତନାମ ଓ କିଛି ଆରବ ରାଷ୍ଟ୍ର ଏହି ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆମେରିକା ଟିକାକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି ।

ହ୍ୱାଇଟ୍ ହାଉସ୍ ପ୍ରେସ ସଚିବ କାୟଲେ ମୈକନିଙ୍କ ଅନୁସାରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଋଷ ଭ୍ୟାକ୍ସିନ ବାବଦରେ ସୂଚୀତ କରାଯାଇଛି । ମୈକନୀ କହିଛନ୍ତି ଯେ, ଆମେରିକାରେ ଭ୍ୟାକ୍ସିନକୁ ତୃତୀୟ ପର୍ଯ୍ୟାୟ କଠିନ ପରୀକ୍ଷା ଦେଇ ଯିବାକୁ ପଡିଥାଏ । ଅର୍ଥାତ ଏମିତି କହି ମୈକନୀ ଋଷ ଟିକା ଅସୁରକ୍ଷିତ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଆମେରିକାର ଆଉ ଜଣେ ବରିଷ୍ଠ ଅଧିକାରୀ ସିଏନଏନକୁ ଦେଥିବା ସାକ୍ଷାତକାରରେ କହିଛନ୍ତି ଯେ,ଆମେରିକା ଋଷର ଅଧା ଅଧୁରା ଟିକାକୁ କେବେ ମଧ୍ୟ ଗମ୍ଭୀରତାର ସହ ନେଇନାହିଁ ।  ଋଷ ଯେଉଁଭଳି ଭ୍ୟାକ୍ସିନ୍ ତିଆରି କରିଛି ଆମେ ତାକୁ ମାଙ୍କଡଙ୍କ ଉପରେ ପ୍ରୟୋଗ କରୁ ।

sputnik

ଅନ୍ୟପକ୍ଷରେ ଋଷର କହିବା ହେଉଛି ନିଜ ଭ୍ୟାକ୍ସିନ ସଂପର୍କିତ ଡାଟା ଅନ୍ୟ ଦେଶଙ୍କ ସହ ବାଣ୍ଟିବାକୁ ମସ୍କୋ ପ୍ରସ୍ତୁତ ଅଛି । ଫଳରେ ଆମେରିକୀୟ ଔଷଧ କମ୍ପାନୀ ନିଜ ଦେଶରେ ଋଷ ଭ୍ୟାକ୍ସିନ ତିଆରି କରି ପାରିବେ । ସୂଚନାଯୋଗ୍ୟ ଯେ,ଆମେରିକାର କିଛି କମ୍ପାନୀ ଋଷ ଭ୍ୟାକ୍ସିନ ବାବଦରେ ଜାଣିବା ପାଇଁ ଉତ୍ସୁକ ଅଛନ୍ତି । ତେବେ ସେହି କମ୍ପାନୀଙ୍କ ନାମ ଋଷ ଏପର୍ଯ୍ୟନ୍ତ ସାର୍ବଜନୀନ କରିନି ।

ଋଷର କହିବା ହେଉଛି ଆମେରିକା ଆମ ଭ୍ୟାକ୍ସିନ ବାବଦରେ ଗମ୍ଭୀରତାର ସହ ବିଚାର କରିବା ଆବଶ୍ୟକ । ସ୍ପୁଟନିକ୍ ଭି ଭ୍ୟାକ୍ସିନ୍ ଅନେକ ଆମେରିକୀୟଙ୍କ ଜୀବନ ରକ୍ଷା କରିପାରିବ । ସିଏନଏନକୁ ସାକ୍ଷାତକାର ଦେଇ ଋଷର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ,ଯଦି ଆମ ଭ୍ୟାକ୍ସିନ୍ କରୋନା ବିରୋଧରେ ସବୁଠୁ ଭଲ ଟିକା ଭାବେ ଉଭା ହୁଏ ତେବେ ଆମେରିକାରେ ଏହି ପ୍ରଶ୍ନ ଉଠିବ ଯେ, କ’ଣ ପାଇଁ ଏହାକୁ  ବିଚାରକୁ ନିଆଗଲା ନାହିଁ । ଭ୍ୟାକ୍ସିନକୁ ନେଇ ରାଜନୀତି କ’ଣ ପାଇଁ ହେଉଛି ବୋଲି ଋଷ ଅଧିକାରୀ ପ୍ରଶ୍ନ କରିଛନ୍ତି ।

ଆମେରିକା ସରକାରର ଜଣେ ବରିଷ୍ଠ ଅଧିକାରୀ ସିଏନଏନକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ଆମେରିକା ଋଷକୁ କରୋନା ଭ୍ୟାକ୍ସିନର ନମୂନା ମାଗି ନାହିଁ । ଭ୍ୟାକ୍ସିନକୁ ନେଇ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ, ଋଷରେ ଯେତିକି ସଂଖ୍ୟକ ସକ୍ରିୟ ସଂକ୍ରମିତ ରହିଛନ୍ତି ସେଠାକାର ସରକାର ଚାହିଁଥିଲେ ଆରାମରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରି ପାରିଥାନ୍ତେ ।  କିନ୍ତୁ ସେମାନେ ବଡ ଧରଣର ପରୀକ୍ଷଣ କରିନାହାନ୍ତି ।

ଆମେରିକୀୟ ଅଧିକାରୀ ଜଣକ କହିଛନ୍ତି ଯେ, ‘‘ଭ୍ୟାକ୍ସିନ୍ ଉପରେ କୌଣସି ଟ୍ରାଏଲ କରାଯାଇ ନାହିଁ । ଏହି ଭ୍ୟାକ୍ସିନ ଉପରେ ସେମାନେ କୌଣସି କାମ କରି ନାହାନ୍ତି । ବହୁତ କମ ଲୋକଙ୍କ ଉପରେ ହ୍ୟୁମେନ୍ ଟ୍ରାଏଲ କରାଯାଇଛି ।  ଏଥିରୁ ଏହା ଜଣା ପଡୁନାହିଁ ଯେ, ଏହି ଭ୍ୟାକ୍ସିନ୍ ବଡ ଜନସଂଖ୍ୟାରେ  ସଫଳ ସାବ୍ୟସ୍ତ ହେବ କି ନାହିଁ ।ଯାହା ଡାଟା ରହିଛି ତାହ ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ ଓ ଅପର୍ଯ୍ୟାପ୍ତ ।

Latest Posts

Don't Miss