spot_img

Latest Posts

ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ବିରଳ ସମ୍ମାନରେ ସମ୍ମାନିତ କଲା ଆମେରିକା

ସିଆଟେଲ: ବିଶ୍ୱବ୍ୟାପୀ ମାନବ ଜୀବନର କଲ୍ୟାଣ ସାଧନା ତଥା ପ୍ରସିଦ୍ଧ କାବ୍ୟକୃତି ଶ୍ରୀଗୁରୁ ଭାଗବତ ନିମନ୍ତେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ପକ୍ଷରୁ ଏକ ବିରଳ ସମ୍ମାନରେ ସମ୍ମାନିତ କରାଯାଇଛି । ଏକକାଳୀନ ଆମେରିକାର ତିନୋଟି ସ୍ଥାନୀୟ ସରକାରଙ୍କ ପକ୍ଷରୁ ଗୁରୁଜୀଙ୍କୁ ପୃଥକ ପୃଥକ ଭାବେ ସମ୍ମାନିତ କରାଯିବା ସହିତ ଜୁଲାଇ ୧୩ ତାରିଖକୁ ‘ଡଃ ଚନ୍ଦ୍ରଭାନୁ ଶତପଥୀ ଦିବସ’ ଏବଂ ‘ଶ୍ରୀଗୁରୁ ଭାଗବତ ଦିବସ’ ରୂପେ ଘୋଷଣା କରାଯାଇଛି ।

କୌଣସି ଭାରତୀୟ ନାଗରିକ କିମ୍ବା ତାଙ୍କର କୃତି ନିମନ୍ତେ ଏହିପରି ଏକ ଦିବସ ଘୋଷଣା କରାଯିବା ଏହା ପ୍ରଥମ ଏବଂ ଐତିହାସିକ ଘଟଣା ।
ଗୁରୁଜୀ ଏବଂ ତାଙ୍କର ସର୍ବଜନାଦୃତ କାବ୍ୟଗ୍ରନ୍ଥ ‘ଶ୍ରୀଗୁରୁ ଭାଗବତ’ ପ୍ରତି ଉଲ୍ଲେଖନୀୟ ସ୍ୱୀକୃତି ସ୍ୱରୂପ ଏଠାରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇ କିଙ୍ଗ କାଉଣ୍ଟି ପକ୍ଷରୁ ଜୁଲାଇ ୧୩ ତାରିଖକୁ ‘ଶ୍ରୀଗୁରୁ ଭାଗବତ ଦିବସ’ ରୂପେ ଘୋଷଣା କରାଯାଇଛି । ସିଆଟେଲ ସହର ପକ୍ଷରୁ ଏହି ଦିନଟିକୁ ‘ଡଃ ଚନ୍ଦ୍ରଭାନୁ ଶତପଥୀ ଦିବସ’ ରୂପେ ଘୋଷଣା କରାଯାଇଛି । ସିଆଟେଲ ସହର ମେୟର ବ୍ରୁସ ଏ. ହାରେଲ ଗୁରୁଜୀଙ୍କ ହସ୍ତରେ ବିଧିବଦ୍ଧ ଘୋଷଣାପତ୍ର (ପ୍ରୋକ୍ଲେମେସନ୍‍) ଅର୍ପଣ କରି ଏହି ସମ୍ମାନ ପ୍ରଦାନ କରିଥିଲେ ।

ସେହିପରି ସିଟି ଅଫ ବେଲେଭ୍ୟୁ ପକ୍ଷରୁ ଜୁଲାଇ ୧୩ ତାରିଖକୁ ‘ଡଃ ଚନ୍ଦ୍ରଭାନୁ ଶତପଥୀ ଦିବସ’ ରୂପେ ଘୋଷଣା କରାଯାଇଥିବାବେଳେ ୱାଶିଂଟନର ସିନେଟର ମାରିଆ କାଣ୍ଟୱେଲ ୱାଶିଂଟନରେ ଏହି ଦିନଟିକୁ ‘ଶ୍ରୀଗୁରୁ ଭାଗବତ ଦିବସ’ ରୂପେ ପାଳନ କରିବା ନିମନ୍ତେ ଆନୁଷ୍ଠାନିକ ପତ୍ର ପ୍ରଦାନ କରିଥିଲେ ।
ସୂଚନାଯୋଗ୍ୟ ଯେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ମୂଳ ଓଡ଼ିଆ ଭାଷାରେ ନବାକ୍ଷରୀ ଛନ୍ଦରେ ରଚିତ ଶ୍ରୀଗୁରୁ ଭାଗବତ ଭାରତର ଷୋହଳଟି ପ୍ରାନ୍ତୀୟ ଭାଷାରେ ଅନୁବାଦିତ ହୋଇଥିବାବେଳେ ଓଡ଼ିଆ ସମେତ ଭୋଜପୁରୀ, ମୈଥିଳୀ, ଆସାମୀ, ତେଲୁଗୁ, ପଞ୍ଜାବୀ, ରାଜସ୍ଥାନୀ ଓ ହିନ୍ଦୀ ଭାଷାରେ ସଂଗୀତରେ ରୂପାୟିତ ହୋଇଛି । ଦୈନନ୍ଦିନ ଜୀବନ ଯାତ୍ରା ପଥରେ ସାଧାରଣ ପାଠକ, ଆଧ୍ୟାତ୍ମିକ ଜିଜ୍ଞାସୁ, ବୃଦ୍ଧିଜୀବୀ ଏବଂ ଗୃହିଣୀମାନଙ୍କ ପାଇଁ ଏହାର ଉପାଦେୟତା ଦୃଷ୍ଟିରୁ ଏହି ଗ୍ରନ୍ଥ ସମଗ୍ର ଦେଶ ଓ ବିଦେଶରେ ଲୋକପ୍ରିୟତା ହାସଲ କରିଛି ।

ଏହି ଉପଲକ୍ଷେ ଆୟୋଜିତ ଭବ୍ୟ ଉତ୍ସବରେ ଲେଫଟ୍‍ନାଣ୍ଟ ଗଭର୍ଣ୍ଣର ବ୍ରାଡ଼ ଓୱେନ, ସିନେଟର ବବ ହାସେଗାୱା, ପୂର୍ବତନ କଂଗ୍ରେସ ସଦସ୍ୟ ଜିମ୍‍ ମ୍ୟାକଡର୍ମଟ, ଜାରେଡ଼ ନିଉୱେନହୁଇସ, ବେଲେଭ୍ୟୁ ସିଟି ଡେପୁଟି ମେୟର ଲିସା ମାନିଅନ, କିଙ୍ଗ କାଉଣ୍ଟି ଆଇନୀଜବୀ ଜିମି ମାଟା, ବୁରିଏନ ସିଟି କାଉନସିଲ ସଦସ୍ୟ ବ୍ରାଡ଼ ମିୟାକେ, ବେଲେଭ୍ୟୁ ସିଟି ମେନେଜର ଜେମ୍ସ ବୁଶ, କିଙ୍ଗ କାଉଣ୍ଟି ଆଉଟରିଚ ହିସାଓ ଇନାଗାକି, ଜାପାନର କନସଲ ଜେନେରାଲ ଅନ୍‍ସୁନ୍ତା ଏନଜି ପ୍ରମୁଖ ବହୁ ତୁଙ୍ଗ ପଦାଧିକାରୀ ଯୋଗଦେଇଥିଲେ ।

ଗୁରୁଜୀ ଡଃ ଶତପଥୀ ଏହି ସମ୍ମାନ ନିମନ୍ତେ ଧନ୍ୟବାଦ ପ୍ରଦାନକରି ଧର୍ମମତ ନିର୍ବିଶେଷରେ ଗୁରୁତତ୍ତ୍ୱର ମହତ୍ତ୍ୱ ତଥା ଜୀବନରେ ସମସ୍ତଙ୍କ ପାଇଁ ଗୁରୁଙ୍କର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଅନ୍ଧ ବିଶ୍ୱାସକୁ ପରିହାର କରି ପରିବର୍ତ୍ତିତ ପରିସ୍ଥିତିକୁ ଆଦରିନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

Latest Posts

Don't Miss