ୱାଶିଂଟନ : 2020ରୁ କାହାର ଚାଲିବ ହ୍ବାଇଟ ହାଉସରେ ରାଜୁତି ? ଆମେରିକା କରୁଛି ଭାଗ୍ୟ ନିର୍ଣ୍ଣୟ । ଡୋନାଲ୍ଡ ଟ୍ରମ୍ପ ବନାମ ଜୋ ବିଡେନ ସମୟ ଗଡିବା ସହ ବଢ଼ୁଛି ଉତ୍କଣ୍ଠା । ଖାଲି ଆମେରିକା ନୁହେଁ । ସାରା ବିଶ୍ୱର ନଜର ରହିଛି ହ୍ୱାଇଟ ହାଉସ ଦୌଡ଼ ରହିଛି । ତେଣୁ କାହାକୁ ବିଜୟ ଟିକା ପିନ୍ଧାଇବେ 33 କୋଟି ଜନତା ? କିଏ ହେବ ୪୬ ତମ ମାର୍କିନ ରାଷ୍ଟ୍ରପତି ? ତାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜାରି ରହିଛି ।

ଆମ ଦେଶର ସମୟ ଅନୁସାରେ ଅପରାହ୍ନ ୩ଟା ୩୦ରୁ ଆମେରିକାରେ ଭୋଟିଂ ଆରମ୍ଭ ହୋଇଛି । ମେଲ-ଇନ୍ ବାଲଟ ମାଧ୍ୟମରେ ଆଗୁଆ ମତଦାନ କରିଛନ୍ତି ପ୍ରାୟ ୧୦ କୋଟି ଭୋଟର । ତେବେ ମତଦାନ ପୂର୍ବରୁ ଆସିଛି ଏକ୍ଜିଟ ପୋଲ ସର୍ଭେ ରିପୋର୍ଟ । ଯାହା ବିଡେନଙ୍କ ପଲ୍ଲା ଭାରି ରହିଛି ବୋଲି ଦର୍ଶାଉଛି । କିନ୍ତୁ ଶେଷ ମୂହୁର୍ତ୍ତରେ ଟ୍ରମ୍ପଙ୍କ ପ୍ରତି ସମର୍ଥନ ବଢ଼ିପାରେ ବୋଲି ମଧ୍ୟ ଆକଳନ କରାଯାଉଛି । ବିଶେଷ କରି ୮ଟି ରାଜ୍ୟର ଫଳାଫଳ ଶେଷ ମୁହୂର୍ତ୍ତରେ ବଦଳିପାରେ । ଗତ ଥର ପରି ଇଲେକ୍ଟୋରାଲ ଭୋଟର ଯେପରି ପୋଷ୍ଟାଲ ଭୋଟିଂରେ ବହୁ ଆଗୁଆ ଥିବା ଡେମୋକ୍ରାଟ ପାର୍ଥୀ ହିଲାରୁ କ୍ଲିଣ୍ଟନକୁ ଧୂଳି ଚଟାଇଥିଲେ ଏଥର ମଧ୍ୟ ସେପରି କିଛି ହୋଇପାରେ ବୋଲି ଆଶା କରାଯାଉଛି । କାରଣ ଗତଥର ପୋଷ୍ଟାଲ ଭୋଟିଂରେ ହିଲାରୁ ବହୁ ଆଗରେ ଥିବା ସତ୍ତ୍ବେ ମତଦାନ ଦିବସରେ ରିପବ୍ଲିକାନ ସମର୍ଥକ ବହୁ ପରିମାଣରେ ଭୋଟ ଅଜାଡି ଦେଇଥିଲେ । ଏଥର ମଧ୍ୟ ସେପରି କିଛି ହୋଇପାରେ ବୋଲି କୁହାଯାଉଛି ।
ସେହିପରି ପୂର୍ବରୁ ଟ୍ରମ୍ପ ଡେମୋକ୍ରାଟିକ ପାର୍ଟି ବିରୋଧରେ ବାରମ୍ବାର ଜାଲିଆତି ଅଭିଯୋଗ ଆଣିଛନ୍ତି । କିନ୍ତୁ ଏନେଇ ଟ୍ରମ୍ପ କୌଣସି ପ୍ରମାଣ ଉପସ୍ଥାପନା କରିପାରିନାହାନ୍ତି । ଏମିତିରେ ନିର୍ବାଚନ ଜିତିବା ହିଁ ଏହା ପଛରେ ଟ୍ରମ୍ପଙ୍କର ମୂଳ ଅଭିସନ୍ଧି ବୋଲି ସ୍ପଷ୍ଟ ହୋଇଯାଇଛି । ବିଜୟ ପାଇଁ ଜାତିଆଣ ପ୍ରସଙ୍ଗକୁ ମଧ୍ୟ ହତିଆର କରିଛନ୍ତି ଟ୍ରମ୍ପ । ବିଡେନ ଜାତିଆଣ ମନୋଭାବ ରଖୁଥିବା ଦର୍ଶାଇ ତାଙ୍କୁ ଭୋଟ ନ ଦେବାକୁ ଆଫ୍ରିକୀୟ ଆମେରିକୀୟଙ୍କୁ ନିବେଦନ କରିଛନ୍ତି ଟ୍ରମ୍ପ ।ଅପରପକ୍ଷରେ ତଥାପି ହ୍ବାଇଟହାଉସରେ ଏଥର ରାଷ୍ଟ୍ରପତି ବଦଳିବେ ବୋଲି ଅନୁମାନ କରାଯାଉଛି । ବିଶେଷ କରି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବୈଦେଶିକ ନୀତି ପ୍ରଭାବିତ ହୋଇଥିବା ବେଳେ ଚୀନ ଓ ଋଷ ଭଳି ରାଷ୍ଟ୍ର ଟ୍ରମ୍ପଙ୍କ ଉପରେ କ୍ଷୁବ୍ଧ ଅଛନ୍ତି । ଜୋ ବିଡେନ ରାଷ୍ଟ୍ରପତି ହେଲେ ସେମାନଙ୍କ ପାଇଁ କିଛି ଟା ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି । ତେବେ ଭାରତ ଓ ଆମେରିକା ଭିତରେ ବନ୍ଧୁତା ବା ସମ୍ପର୍କ ଭଲ ରହିଛି । ତେଣୁ ଯିଏ ବି ରାଷ୍ଟ୍ରପତି ହେଲେ ବିଶେଷ କିଛି ସଂପର୍କ ସମୀକରଣ ଭାରତ ପାଇଁ ବଦଳିନପାରେ ବୋଲି ଆଶା କରାଯାଉଛି ।ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ନିର୍ବାଚନଗୁଡିକରେ ମତଦାନ ଶେଷ ହେବା ପରେ ସେହି ରାତିରେ ହିଁ ଫଳାଫଳ ଘୋଷଣା କରାଯାଉଥିଲା । ମାତ୍ର ଏଥର କିଛି ରାଜ୍ୟରେ ବାଲଟ୍ ଖୋଲାଯାଇ ନ ଥିବାରୁ ଭୋଟ ଗଣନାରେ ବିଳମ୍ବ ହେବ । ତେବେ ନିର୍ବାଚନରେ ଏହି ଦୁଇ ନେତାଙ୍କ ଭିତରୁ ଯିଏ ମଧ୍ୟ ଜିତନ୍ତୁ । ଏଥର କିନ୍ତୁ ଏହି ହାର-ଜିତରୁ ରେକର୍ଡ ସୃଷ୍ଟି ହେବ । ଟ୍ରମ୍ପ ଯଦି ହାରନ୍ତି ତା’ହେଲେ ଜର୍ଜ ବୁଶ୍ ସିନିୟରଙ୍କ ପରେ ସେ ହେବେ ଦ୍ବିତୀୟ ଥର କ୍ଷମତାରୁ ବଞ୍ଚିତ ହୋଇଥିବା ଦ୍ବିତୀୟ ଆମେରିକୀୟ ନେତା । ସେହିଭଳି ବିଡେନ ଜିତିଲେ ସେ ହେବେ ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ।
