SA vs AUS: ଦକ୍ଷିଣ ଆଫ୍ରିକାର ବିଶ୍ୱକପ୍ ଜିତିବା ସ୍ୱପ୍ନକୁ ପୁଣି ଭାଙ୍ଗିବ କି କଙ୍ଗାରୁ ଦଳ?

କୋଲକାତା:  ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଗୁରୁବାର ଦିନ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚ୍ ଖୁବ୍ ରୋମାଞ୍ଚକର ହେବ । କାରଣ ଆଜିର ମ୍ୟାଚ୍ ଯିଏ ଜିତିବ ସେ ଫାଇନାଲରେ ଏଣ୍ଟ୍ରି ମାରିବ। ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାର ରେକର୍ଡ ଅତ୍ୟନ୍ତ ଖରାପ ଥିବା ବେଳେ ଅଷ୍ଟ୍ରେଲିଆ ପାଇଁ ଏଭଳି ପ୍ରେସର କିଛି ନୂଆ ନୁହେଁ । ତେବେ ଖାସ୍ କଥା ହେଉଛି କଙ୍ଗାରୁ ଦଳର ଏହି ଟପ୍୫ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କଲେ ସାଉଥ୍ ଆଫ୍ରିକାର ବିଶ୍ୱକପ୍ ଜିତିବା ସ୍ୱପ୍ନକୁ ଚୁରମାର୍ କରିଦେଇପାରନ୍ତି। ଆସନ୍ତୁ ଜାଣିବା…

ଡେଭିଡ୍ ୱାର୍ନର

ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଶକ୍ତିଶାଳୀ ତଥା ଅଭିଜ୍ଞ ଓପନର୍ ହେଉଛନ୍ତି ଡେଭିଡ ୱାର୍ନର। ବିଶ୍ୱକପ ୨୦୨୩ରେ  ଭଲ ଫର୍ମରେ ଅଛନ୍ତି । ୱାର୍ନର ୯ଟି ମ୍ୟାଚରେ ହାରାହାରି ୫୫.୪୪ରେ ୪୯୯ ରନ୍ ସଂଗ୍ରହ କରିଛନ୍ତି। ଏହି ଅବଧି ମଧ୍ୟରେ ସେ ଦୁଇଟି ଶତକ ମଧ୍ୟ ଖେଳିଛନ୍ତି। ତେଣୁ ସେ ଦକ୍ଷିଣ ଆଫ୍ରିକା ପାଇଁ ଏକ ବଡ଼ ସମସ୍ୟା ବନିପାରନ୍ତି ।

ମିଚେଲ ମାର୍ଶ

ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆର ଷ୍ଟାର୍ ଅଲରାଉଣ୍ଡର ମିଚେଲ ମାର୍ଶ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ସେ ଅଷ୍ଟ୍ରେଲିଆ ପାଇଁ ଶେଷ ଲିଗ୍ ଷ୍ଟେଜ୍ ମ୍ୟାଚରେ ୧୭୭ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ପାକିସ୍ତାନ ବିପକ୍ଷରେ ଏକ ଶତକ ମଧ୍ୟ ଖେଳିଛନ୍ତି। ସେ ୮ଟି ମ୍ୟାଚରେ ମୋଟ୍ ୪୨୬ ରନ୍ ହାତେଇଛନ୍ତି।

ଗ୍ଲେନ୍ ମ୍ୟାକ୍ସୱେଲ

ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ବି କିଛି କମ୍ ନୁହେଁ । ମୁମ୍ବାଇରେ ଆଫଗାନିସ୍ତାନ ବିପକ୍ଷରେ ୨୦୧ ଅପରାଜିତ ରନ୍ ସହ ଏକ ଅବିଶ୍ୱସନୀୟ ଇନିଂସ ଖେଳି ଅଷ୍ଟ୍ରେଲିଆକୁ ବିଜୟ କରିଥିଲେ। ଚଳିତ ବିଶ୍ୱକପ୍‌ରେ ସେ ୭ଟି ମ୍ୟାଚରେ ହାରାହାରି ୪୯.୫୦ରେ ୩୯୭ ରନ୍ ସଂଗ୍ରହ କରିଛନ୍ତି।

ଏଡମ ଜାମ୍ପା

ଦକ୍ଷ ଲେଗ ସ୍ପିନର ଏଡମ ଜାମ୍ପା ବିଶ୍ୱକପ ୨୦୨୩ରେ ଅଷ୍ଟ୍ରେଲିଆର ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ୯ଟି ମ୍ୟାଚରେ ୨୨ଟି ୱିକେଟ୍ ନେଇଛନ୍ତି। ସେ କୋଲକାତାର ସ୍ପିନ୍ ଟ୍ରାକରେ ଅପରପକ୍ଷ ପାଇଁ ଆହୁରି ଘାତକ ସାଜିଥାନ୍ତି ।

ମିଚେଲ ଷ୍ଟାର୍କ

ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ରେ ଅଭିଜ୍ଞ ତଥା ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ଫୁଲ୍ ଫର୍ମରେ ରହିଛନ୍ତି।