ଗାଜା ଯୁଦ୍ଧ: ଅସ୍ତ୍ରବିରତି ପ୍ରସ୍ତାବ ଉପରେ ଆମେରିକାର ଭିଟୋ

ନୂଆଦିଲ୍ଲୀ: ଘମାଘୋଟ ହେବାରେ ଲାଗିଛି ଇସ୍ରାଏଲ ଓ ହମାସ ଯୁଦ୍ଧ । ଇସ୍ରାଏଲର ଘନ ଘନ ଆକ୍ରମରେ ଛାରଖାର ହେଉଛି ଗାଜା । ଧ୍ବଂସ ହେଉଛି ବିରାଟ ବିରାଟ ଅଟ୍ଟାଳିକା ଓ ଯାଉଛି ସାଧାରଣ ଲୋକଙ୍କ ଜୀବନ । ଏହାରି ଭିତରେ ଅସ୍ତ୍ର ବିରତି ପାଇଁ ଜାତିସଙ୍ଘ ପ୍ରସ୍ତାବକୁ ଲାଗିଛି ଝଟକା । ପ୍ରସ୍ତାବ ଉପରେ ଆମେରିକା ଲଗାଇଛି ଭିଟୋ ।

ତୁରନ୍ତ ଅସ୍ତ୍ରବିରତି ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଜାତିସଂଘ ଘୋଷଣାନାମାର ଧାରା ୯୯ ଅନୁସାରେ ନିରାପତ୍ତା ପରିଷଦର ଜରୁରୀ ବୈଠକ ଡାକିଥିଲେ । ଏହା ସହ ପଣବନ୍ଦୀ ସମସ୍ୟାର ତୁରନ୍ତ ସମାଧାନ ଲାଗି ସଦସ୍ୟ ରାଷ୍ଟ୍ରଙ୍କୁ ଆହ୍ବାନ ଜଣାଇଥିଲେ । ଜାତିସଂଘର ପ୍ରସ୍ତାବ ସପକ୍ଷରେ ୧୩ ସଦସ୍ୟ ଭୋଟ ଦେଇଥିବାବେଳେ ଭୋଟଦାନରୁ ବିରତ ରହିଥିଲା ବ୍ରିଟେନ । ତେବେ ଇସ୍ରାଏଲକୁ ବିଲିୟନ ବିଲିୟନ ଡଲାରର ସାମରିକ ସହାୟତା ଯୋଗାଇ ଆସୁଥିବା ଆମେରିକା ଏହି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଥିଲା ।

ସେପଟେ ଗାଜାର ବିଭିନ୍ନ ସ୍ଥାନ ଉପରେ ଜୋରଦାର ହାମଲା ଜାରି ରଖିଛି ଇସ୍ରାଏଲ ।  ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୧୭ ହଜାର ୪ ଶହରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଗତ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରଠାରୁ ରକ୍ତମୁଖା ହୋଇଛି ଇସ୍ରାଏଲ । ବର୍ତ୍ତମାନ ସୁଦ୍ଧା ଗାଜାରେ ୧୯ ଲକ୍ଷ ଲୋକ ବାସଚ୍ୟୁତ ହୋଇଥିବାବେଳେ ଅଧିକରୁ ଅଧିକ ଲୋକ ଜୀବନ ବିକଳରେ ଭିଟାମାଟି ଛାଡୁଥିବା ଦେଖାଯାଇଛି ।