ବିବାଦରେ ୨୦୨୧: ଭାରତର S-୪୦୦ ଆଗରେ ନାଚାର ଆମେରିକା

1 min read

ନୂଆଦିଲ୍ଲୀ: ସାରା ବିଶ୍ୱ ଜାଣିଛି, ନିଜର ସାର୍ବଭୌମତ୍ୱ ରକ୍ଷା ପାଇଁ ଯାହା ଠିକ ଭାରତ ତାହା କରିବ । ଆଗରେ ଆମେରିକା ହେଉ କି ଚୀନ ଅଥବା ଅନ୍ୟ କେହି ବିଶ୍ୱଶକ୍ତି, ନିଜ ଦେଶବାସୀଙ୍କ ସୁରକ୍ଷା ପାଇଁ ସବୁକିଛି କରି ପାରିବ ଭାରତ । ଏପରିକି ଆମେରିକା ଭଳି ନମ୍ବର ଓ୍ୱାନ୍ ବିଶ୍ୱଶକ୍ତିକୁ ବି ନାଲି ଆଖି ଦେଖାଇବାକୁ ପଛାଇବ ନାହିଁ । ଯାହା ଋଷଠାର S-400 ଡିଫେନ୍ସ ମିଜାଇଲ ସିଷ୍ଟମ କିଣିବା ସହ ଆମେରିକା ସହିତ ବିବାଦରୁ ଭାରତ ସାରା ଦୁନିଆକୁ ଦେଖାଇ ଦେଇଛି ।

୨୦୧୮ରେ ଭାରତ ଏହି ଡିଫେନ୍ସ ସିଷ୍ଟମ କିଣିବାକୁ ଚୁକ୍ତି କରିବା ପରଠାରୁ ଆମେରିକା ସହ ଲାଗି ରହିଛି ବିବାଦୀୟ ସ୍ଥିତି । ଯାହା ୨୦୨୧ରେ ଉଗ୍ର ରୂପ ନେଇଛି । S-400 ଡିଫେନ୍ସ ସିଷ୍ଟମ ଡେଲିଭରି ଘୋଷଣାଠାରୁ ଆରମ୍ଭ କରି ମିଳିବା ଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ନେଇ ଦୁଇ ବନ୍ଧୁ ଭାରତ ଓ ଆମେରିକା ମଧ୍ୟରେ ବିବାଦ ଲାଗି ରହିଛି । ବିଶ୍ୱ ମଞ୍ଚରେ ଏକାଠି ଛିଡ଼ା ହେଉଥିବା ଦୁଇ ରାଷ୍ଟ୍ର ଗୋଟିଏ ମିଜାଇଲ ସିଷ୍ଟମକୁ ନେଇ ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ଏହା ଆଗକୁ କେଉଁ ଆଡ଼କୁ ଯାଉଛି ତାହା ଉପରେ ରହିଛି ସାରା ଦୁନିଆର ନଜର ।


ଆମେରିକାର କାଟସା ପ୍ରତିବନ୍ଧକ ଚେତାବନୀ
ଭାରତ ଋଷଠାରୁ S-400 ଡିଫେନ୍ସ ସିଷ୍ଟମ କିଣି ସାରିଛି ଓ ଏହା ଭାରତକୁ ମିଳିବା ମଧ୍ୟ ଆରମ୍ଭ ହୋଇ ସାରିଛି । ଏହି ମିଜାଇଲ ମିଳିବା ପରେ ଭାରତର ଆକାଶ ମାର୍ଗ ସୁରକ୍ଷା କବଜରେ ପରିଣତ ହୋଇଛି । ଯାହା ଆମେରିକାର ବଡ଼ଭାଇ ପଣିଆ ଉପରେ ହାତୁଡି ମାରିଛି । ସମ୍ପର୍କ ବଢ଼ିବା ପରେ ବି ଭାରତ ଋଷକୁ ନଛାଡିବା ଆମେରିକା ଆଖିରେ ଷଣ୍ଢୁଆସି ମାରିଲା ଭଳି ଖେଞ୍ଚି ହେଉଛି । ବିଶେଷ କରି S-400 ଡିଫେନ୍ସ ସିଷ୍ଟମକୁ ନେଇ ଆମେରିକା କରିଥିବା କାଟସା ପ୍ରତିବନ୍ଧକ ଭାରତ ଉପରେ ଲଗାଇବାକୁ ଧମକାଉଛି । ଯାହାକୁ ନେଇ ଦୁଇ ଦେଶରେ ବିବାଦୀୟ ସ୍ଥିତି ଲାଗି ରହିଛି ଓ ୨୦୨୧ ବର୍ଷରେ ଏହା ଅଧିକ ଉଗ୍ର ହୋଇଛି ।


ଆମେରିକାର ଚେତାବନୀ ସତ୍ତ୍ୱେ ଭାରତ ନଡ଼ରି ପୁରୁଣା ବନ୍ଧୁ ଋଷ ଉପରେ ଭରସା ଦେଖାଇଛି । ଏବେ କାଟସା ପ୍ରତିବନ୍ଧକ ଖଣ୍ଡା ଭାରତ ମୁଣ୍ଡରେ ଲଟକିଛି । ଅନ୍ୟପକ୍ଷରେ ଭାରତ ମଧ୍ୟ ପ୍ରତିବନ୍ଧକ ଧମକ ଆଗରେ ମୁଣ୍ଡ ନ ନୁଆଁଇ ଋଷଠାରୁ କିଣିଛି S-400 ଡିଫେନ୍ସ ମିଜାଇଲ ସିଷ୍ଟମ ।


ସହଜ ହେବନି ପ୍ରତିବନ୍ଧକ ଲଗାଇବା
ଭାରତ ବିରୋଧରେ କାଟସା ପ୍ରତିବନ୍ଧକ ଲଗାଇବା ଆମେରିକା ପାଇଁ ଏତେ ସହଜ ହେବନାହିଁ । ଉଭୟ ମଧ୍ୟ ଏ କଥା ଭଲ ଭାବେ ଜାଣନ୍ତି । ଚୀନର ଚ୍ୟାଲେଞ୍ଜକୁ ପ୍ରତିହତ କରିବା ଓ ନିଜର ଏକ ନମ୍ବର ଆସନ ବଞ୍ଚାଇ ରଖିବାକୁ ହେଲେ ଭାରତର ସମର୍ଥନ ଆମେରିକାକୁ ନିହାତି ଆବଶ୍ୟକ । ଏମିତି ସ୍ଥିତିରେ ବିବାଦୀୟ ସ୍ଥିତି ସୃଷ୍ଟି କରି ଓ ଡରାଇ ଭାରତକୁ ଋଷଠାରୁ ଦୂରେଇବାକୁ ଆମେରିକା କେବଳ ଚେଷ୍ଟା କରୁଛି । କାରଣ ବିଶ୍ୱ ମଞ୍ଚର ଏକାଧିକ ସଂଗଠନରେ ଭାରତ ଓ ଆମେରିକା ଏକାଠି କାମ କରୁଛନ୍ତି । ଯାହା କାଟସା ପ୍ରତିବନ୍ଧକ ଦ୍ବାରା ପ୍ରଭାବିତ ହେବ ଓ ଦୁଇ ଦେଶର ସମ୍ପର୍କ ଉପରେ ପ୍ରଭାବ ପକାଇବ । ଏହା ଆମେରିକା ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ ।


ଅନ୍ୟ ଏକ କାରଣ ହେଉଛି ଆମେରିକା ଭାରତ ଉପରେ ଏହି ପ୍ରତିବନ୍ଧକ ନ ଲଗାଇବା ପାଇଁ ଚିନ୍ତା କରିବା ପଛରେ ରହିଛି ଭାରତ ପ୍ରତି ଆମେରିକୀୟଙ୍କ ସମର୍ଥନ । ଭାରତ ଉପରେ ପ୍ରତିବନ୍ଧକ ନ ଲଗାଇବା ପାଇଁ ବାଇଡେନ ସରକାରଙ୍କ ଉପରେ ପଡୁଛି ଆମେରିକାବାସୀଙ୍କ ଚାପ । ଏହାସହ ଆମେରିକୀୟ ରିପୋର୍ଟରେ କୁହାଯାଇଛି, ଋଷ ଅସ୍ତ୍ରଶସ୍ତ୍ର ଓ ଉପକରଣ ଉପରେ ଭାରତର ନିର୍ଭରତା ଆଗ ଅପେକ୍ଷା କମିଛି । ହେଲେ ଭାରତୀୟ ସେନା ଋଷଠାରୁ ମିଳୁଥିବା ଉପକରଣ ବିନା ପ୍ରଭାବୀ ଢଙ୍ଗରେ କାମ କରିପାରିବନି । ଆଗକୁ ମଧ୍ୟ ଭାରତକୁ ଋଷ ସେନା ଉପରେ ନିର୍ଭର କରିବାକୁ ପଡ଼ିବ ଓ ଏହା ଜାରି ରହିବ । ଦୁଇ ପଟେ ଦୁଇଟି ଶତ୍ରୁ (ପାକିସ୍ତାନ ଓ ଚୀନ)ଙ୍କ ମୁକାବିଲା କରୁଥିବା ଭାରତ ନିଜ ସେନାକୁ ସକ୍ଷମ କରିବାକୁ ଋଷକୁ କେବେ ଛାଡ଼ିବ ନାହିଁ । ଏଥିପାଇଁ ଆମେରିକା ସହ ସମ୍ପର୍କ ଯେତେ ଖରାପ କରିବାକୁ ପଡୁ ପଛେ । ଏମିତି ଭୟ ବି ଆମେରିକାକୁ ପ୍ରତିବନ୍ଧକ ନ ଲଗାଇବା ଚାପ ପକାଉଛି ।


କ’ଣ ଏହି କାଟସା ପ୍ରତିବନ୍ଧକ ?
ନିଜ ପ୍ରତିଦ୍ବନ୍ଦ୍ବିଙ୍କ ଚେକ ଦେବାକୁ ଆମେରିକା ତିଆରି କରିଛି Countering America’s Adversaries Through Sanctions Act ବା CAATSA । ୨୦୧୮ରେ ଆମେରିକା ଆଣିଥିବା ଏହି ପ୍ରତିବନ୍ଧକର ଉଦ୍ଦେଶ୍ୟ ହେଉଛି ଏହା ମାଧ୍ୟମରେ ଇରାନ, ଋଷ ଓ ଉତ୍ତର କୋରିଆର ଆକ୍ରମଣାତ୍ମକ ସ୍ଥିତିର ସାମ୍ନା କରିବା । ବିଶେଷ କରି ଋଷ ହିତରେ ଆସୁଥିବା ତେଲ, ଗ୍ୟାସ, ପ୍ରତିରକ୍ଷା ଓ ଆର୍ଥିକ ପ୍ରତିଷ୍ଠାନ ଉପରେ ଲଗାମ ଲଗାଇବା ।


କେବେ ଓ କାହା ଉପରେ ଲାଗିଛି ଏହି ପ୍ରତିବନ୍ଧକ ?
ଦୁଇ ଥର ଆମେରିକା ରାଷ୍ଟ୍ରପତି ଏହି ପ୍ରତିବନ୍ଧକ ଲଗାଇ ସାରିଛନ୍ତି । ସଂଯୋଗକୁ ଦୁଇ ଥର ଯାକ ଆମେରିକା ସହ ପ୍ରତିରକ୍ଷା ଚୁକ୍ତି କରିଥିବା ଦେଶ ଉପରେ ହିଁ ଲାଗିଛି ଏହି ପ୍ରତିବନ୍ଧକ । ୨୦୧୮ରେ S-400 ଓ ସୁଖୋଇ S-35 ରକ୍ଷା ଉପକରଣ କିଣିବାକୁ ଋଷ ସହ ଚୁକ୍ତି କରିବା ପରେ ଚୀନର Equipment Development Department ଉପରେ ଏହା ଲାଗୁ ହୋଇଥିଲା । ଚୀନକୁ ଏହାର ଡେଲିଭରୀ ମିଳିବା ପରେ ପ୍ରତିବନ୍ଧକକୁ ଆହୁରି ଶକ୍ତ କରିଦିଆଯାଇଥିଲା ।
ସେହିପରି S-400 କିଣିବା କାରଣରୁ ୨୦୧୯ରେ ତୁର୍କୀ ଉପରେ ଲାଗିଥିଲା ଏହି ପ୍ରତିବନ୍ଧକ । ଏହାସହ ତୁର୍କୀକୁ F-35 ଫାଇଟର ଜେଟ ପ୍ରୋଗ୍ରାମରୁ ବାହାର କରି ଦେଇଥିଲା ଆମେରିକା । ଋଷ ସହ ସମସ୍ତ ଚୁକ୍ତି ବାତିଲ ନକରିବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ମଧ୍ୟ ଆମେରିକା ଚେତାବନୀ ଦେଇଥିଲା ।


ଭାରତ ଉପରେ ଏହାର ପ୍ରଭାବ
ଆମେରିକା ଏହି ପ୍ରତିବନ୍ଧକ ଆଣିବା ଦିନରୁ ଋଷ ଓ ଭାରତ ସମ୍ପର୍କକୁ ନେଇ ନେଇ ଚର୍ଚ୍ଚା ଲାଗି ରହିଛି । ଏହାସହ ଭାରତ-ଆମେରିକା ବିବାଦ ମଧ୍ୟ ଚର୍ଚ୍ଚାରେ ରହିଛି । ବିଶେଷ କରି s-400 କିଣାକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ବିବାଦ ଲାଗି ରହିଛି । ବିଶେଷଜ୍ଞଙ୍କ ମତରେ ଏଥିରେ ଥିବା ୧୨ଟି ପଏଣ୍ଟରୁ ୧୦ଟି ଋଷ କିମ୍ବା ଆମେରିକା ସହ ଭଲ ସମ୍ପର୍କରେ କୌଣସି ପ୍ରଭାବ ପକାଇବ ନାହିଁ । କେବଳ ୨ଟି ପ୍ରତିବନ୍ଧକ ଏମିତି ରହିଛି ଯାହା ଦୁଇ ଦେଶ ସହ ଭାରତର ସମ୍ପର୍କକୁ ଖରାପ କରିପାରେ । ଏଥିରୁ ପ୍ରଥମ ପ୍ରତିବନ୍ଧକ ବ୍ୟାଙ୍କ ସେବା ଉପରେ ପ୍ରଭାବ ପକାଇବ ।

ଯଦି ଆମେରିକା ଭାରତ ଉପରେ ଏହାକୁ ଲୁଗୁ କରୁଛି ତେବେ ଆମ ଦେଶକୁ ଆମେରିକା ଡଲାରରେ ନେଣଦେଣ କରିବାରେ ସମସ୍ୟା ଦେଖାଦେବ । ଦ୍ୱିତୀୟଟିରେ ରପ୍ତାନୀ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ । ନିଜ ଦ୍ବାରା ନିୟନ୍ତ୍ରିତ କୌଣସି ବସ୍ତୁ ପାଇଁ ଲାଇସେନ୍ସ ପ୍ରଦାନ କରିବାକୁ କିମ୍ବା ଏହାକୁ ଭାରତକୁ ରପ୍ତାନୀ କରିବାକୁ ଆମେରିକା ମନା କରିଦେଇପାରେ । ସେ ଯାହା ବି ହେଉ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ଭାରତ ଓ ଆମେରିକା ମଧ୍ୟରେ ଲମ୍ବି ଥିବା ଏହି କାଟାସ ବିବାଦ ଆଗକୁ ମଧ୍ୟ ଲାଗି ରହିବା ପରି ମନେ ହେଉଛି । କଟକଣା ଲଗିବ କି ନାହିଁ ସେ ନେଇ ଆମେରିକା ତରଫରୁ ସ୍ପଷ୍ଟ ଚିତ୍ର ନ ଆସିବା ପର୍ଯ୍ୟନ୍ତ ବିବାଦ ଚାଲିବ ଓ ଭାରତ-ଋଷ ସମ୍ପର୍କ ସେମିତି ଆଗକୁ ବଢୁଥିବ ।

Leave a Reply