ୟେମେନସ୍ଥିତ ହାଉଥି ଆଡ୍ଡାସ୍ଥଳୀ ଉପରେ ଆମେରିକା ଓ ବ୍ରିଟେନର ବଡ଼ଧରଣର ଏୟାରଷ୍ଟ୍ରାଇକ

1 min read

ନନ୍ଦିଘୋଷ ବ୍ୟୁରୋ: ୟେମେନସ୍ଥିତ ହାଉଥି ଆଡ୍ଡାସ୍ଥଳୀ ଉପରେ ଆମେରିକା ଓ ବ୍ରିଟେନର ବଡ଼ଧରଣର ଏୟାରଷ୍ଟ୍ରାଇକ । ଉଭୟ ଆକାଶ ମାର୍ଗ ଓ ସ୍ଥଳଭାଗରୁ ଫାଇଟର ଜେଟ ଜରିଆରେ କରାଯାଇଛି ଆକ୍ରମଣ । ୧୩ଟି ଅଞ୍ଚଳର ୩୬ଟି ସ୍ଥଳୀ ଉପରେ ଏହି ହମଲା ହୋଇଛି । ଆକ୍ରମଣରେ ଆମେରିକା ଓ ବ୍ରିଟେନକୁ ଅନ୍ୟ କେତେକ ରାଷ୍ଟ୍ର ମଧ୍ୟ ସମର୍ଥନ କରିଛନ୍ତି । ଗତ ସପ୍ତାହରେ ଆମେରିକୀୟ ବାହିନୀ ଉପରେ ହୋଇଥିବା ଆକ୍ରମଣର ଜବାବରେ ଉତ୍ତ୍ୟକ୍ତ ହୋଇଛନ୍ତି ଦୁଇ ସୁପରପାଓ୍ବାର ।

ୟେମେନର ବିଭିନ୍ନ ସ୍ଥାନରେ ପୋତାଯାଇଥିବା ଅସ୍ତ୍ରସ୍ଥଳୀ, ମିସାଇଲ ସିଷ୍ଟମ, ଲଞ୍ଚର ସିଷ୍ଟମ, ଡ୍ରୋନ, ରାଡାର, ହେଲିକପ୍ଟର ମହଜୁଦ ସ୍ଥଳୀ ଉପରେ ଏହି ହମଲା ହୋଇଛି । ଲୋହିତ ସାଗରରେ ବିଭିନ୍ନ ଜାହାଜ ଉପରେ ହାଉଥି ସଂଗଠନ ହମଲା କରୁଥିବାରୁ ପ୍ରତିବାଦରେ ଏହି ଆକ୍ରମଣ କରାଯାଇଥିବା କହିଛି ପେଣ୍ଟାଗନ । ହାଉଥି ବିରୋଧରେ ଆକ୍ରମଣରେ ଆମେରିକା ଓ ବ୍ରିଟେନକୁ ସହାୟତା କରିଛନ୍ତି ଅଷ୍ଟ୍ରେଲିଆ, ବାହାରିନ, କାନାଡା, ଡେନମାର୍କ, ନେଦରଲ୍ୟାଣ୍ଡସ ଓ ନ୍ଯୁଜିଲାଣ୍ଡ । ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ କହିଛନ୍ତି- ଯଦି ହାଉଥି ନିଜ ମନୋବୃତ୍ତିରେ ପରିବର୍ତ୍ତନ ନ ଆଣେ ତେବେ ଆଗକୁ ଅଧିକ ଆକ୍ରମଣ କରାଯିବ । ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ ଗ୍ରାଣ୍ଟ ସାପସ୍ କହିଛନ୍ତି ହାଉଥି ସଂଗଠନର ବିଭିନ୍ନ ସ୍ଥଳୀ ଉପରେ ରୟାଲ ଏୟାର ଫୋର୍ସ ପକ୍ଷରୁ ଆକ୍ରମଣ କରାଯାଇଛି ଏବଂ ଆମେରିକା ସହ ତାଙ୍କ ବାୟୁସେନା ବାହିନୀ ସାମିଲ ହୋଇଛି ।

ଗତ ଶୁକ୍ରବାର ଇରାନର ରିଭଲ୍ୟୁସନାରୀ ଗାର୍ଡ କର୍ପସର ଇରାକ ଓ ସିରିଆରେ ଥିବା ୮୫ଟି ଆଡ୍ଡାସ୍ଥଳୀ ଉପରେ ଆମେରିକା ହମଲା କରିଥିଲା । ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ ୪୦ ଜଣ । ସେପଟେ ହାଉଥି କହିଛି ଆମେରିକା ବାହିନୀ ଉପରେ ହୋଇଥିବା ଆକ୍ରମଣ ପାଲେଷ୍ଟାଇନକୁ ସମର୍ଥନ କରି କରାଯାଇଛି । ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ସହଜରେ ବରଦାସ୍ତ କରିପାରିନାହିଁ ହାଉଥି ।