ମସ୍କୋରେ ଉତ୍ତର କୋରିଆ-ଋଷ ଭେଟଘାଟ, ଚିନ୍ତା ପ୍ରକଟ କଲା ଆମେରିକା

1 min read

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିପାରନ୍ତି ନର୍ଥକୋରିଆ ନେତା କିମ୍ ଜଙ୍ଗ ଉନ । କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ଆମେରିକା ଟାର୍ଗେଟରେ ନର୍ଥ କୋରିଆ ଥିବାବେଳେ କିମଙ୍କ ମସ୍କୋଗସ୍ତ ବିବାଦ ସୃଷ୍ଟି କରିବା ସମ୍ଭାବନା ସୃଷ୍ଟି ହୋଇଛି । ଆମେରିକା ପକ୍ଷରୁ କୁହାଯାଇଛି- ୟୁକ୍ରେନ ଯୁଦ୍ଧ କାରଣରୁ ନର୍ଥକୋରିଆ ଠାରୁ ଋଷ ଯୁଦ୍ଧାସ୍ତ୍ର କ୍ରୟ କରିବା ସମ୍ଭାବନା ରହିଛି । ପ୍ରତିବଦଳରେ ନର୍ଥକୋରିଆ ଋଷଠାରୁ ଖାଦ୍ୟ ଓ ଶକ୍ତି ସହାୟତା ଚାହିଁପାରେ ବୋଲି ସୂଚନା ମିଳିଛି ।

ଗତ ୨୦୨୦ରେ ନିଜର ଆକାଶ ସୀମାକୁ ବନ୍ଦ କରିବା ପରେ ସମ୍ଭବତଃ ଏହା ହେବ କିମଙ୍କ ପ୍ରଥମ ବିଦେଶ ଗସ୍ତ । ଗତ ଜୁଲାଇରେ ଋଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ ନର୍ଥକୋରିଆ ଗସ୍ତ କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ ।

ଆମେରିକା, ଜାପାନ ଓ ସାଉଥକୋରିଆ ମଧ୍ୟରେ ସାମରିକ ମେଣ୍ଟ ଶକ୍ତିଶାଳୀ ହେଉଥିବାବେଳେ ନର୍ଥକୋରିଆ ଓ ଋଷର ସହଭାଗିତାକୁ ଏହି ୩ ରାଷ୍ଟ୍ର ସହଜରେ ଗ୍ରହଣ କରିପାରୁନାହାନ୍ତି । ଗତବର୍ଷ ଋଷକୁ ନର୍ଥକୋରିଆ ଗୁଳିଗୋଳା, ରକେଟ ଆଦି ସହାୟତା କରିଥିଲା ବୋଲି ଆମେରିକା ସନ୍ଦେହ କରିଥିଲା । ସେପଟେ ଯଦି ୟୁକ୍ରେନ ବିରୋଧୀ ଯୁଦ୍ଧରେ ଋଷକୁ ନର୍ଥକୋରିଆ ଅସ୍ତ୍ରଶସ୍ତ୍ର ଯୋଗାଏ ତେବେ ନର୍ଥକୋରିଆକୁ ମୂଲ୍ୟ ଦେବାକୁ ପଡିପାରେ ବୋଲି ସତର୍କ କରାଇଛନ୍ତି ଆମେରିାକର ଜାତୀୟ ନିରାପତ୍ତା ପରାମର୍ଶଦାତା ଜେକ ସୁଲିଭାନ ।