ଭବିଷ୍ୟତରେ ଆମେରିକା ଓ ତାଲିବାନ ମିଳାଇ ପାରନ୍ତି ହାତ, ଇସଲାମିକ ଷ୍ଟେଟ୍ ଉପରେ ନିର୍ଭର କରେ ସବୁକିଛି

1 min read
US-Taliban May Join Hands Against ISIS-K (1)

ନୂଆଦିଲ୍ଲୀ: ଶତ୍ରୁର ଶତ୍ରୁ ମିତ୍ର । ରାଜନୀତି ଓ ଜିଓ ପଲିଟିକ୍ସର ଏହା ହେଉଛି ବହୁ ପୁରୁଣା ନୀତି । ଯାହାକୁ ଆଫଗାନିସ୍ତାନରେ ୨୦ ବର୍ଷ ଯୁଦ୍ଧ ଲଢ଼ି ହାଲିଆ ହୋଇ ପଡ଼ିଥିବା ଆମେରିକା ଏବେ ଅନୁସରଣ କରିବାକୁ ଯାଉଛି । ଆତଙ୍କ ବିରୋଧରେ ଯୁଦ୍ଧ ନାଁରେ ଆଫଗାନିସ୍ତାନ ମୈଦାନକୁ ଆମେରିକା ୨୦ ବର୍ଷ ତଳେ ଓହ୍ଲାଇ ଥିଲା । କିନ୍ତୁ ୨୦ ବର୍ଷ ପରେ ୨ ଟ୍ରିଲିୟନ ଡଲାର ସ୍ୱାହା କରି ଆମେରିକା ଆଫଗାନିସ୍ତାନ ଛାଡ଼ିଛି । କିନ୍ତୁ ବିଶ୍ୱ ଚୌଧୁରୀ ଆମେରିକା ପାଇଁ ଇସଲାମିକ ଷ୍ଟେଟ୍ ଏବେ ମଧ୍ୟ ଗୋଟିଏ ବଡ଼ ବିପଦ ହୋଇ ରହିଛି । ପରିବର୍ତ୍ତିତ ପରିସ୍ଥିତିରେ ଆମେରିକା ପାଇଁ ତାଲିବାନ ଛୋଟ ବିପଦ, ଯାହା ସହ ସାମୟିକ ସନ୍ଧି କରାଯାଇ ପାରେ କିନ୍ତୁ ଇସଲାମିକ ଷ୍ଟେଟ୍ –ଖୁରାସାନ ହେଉଛି ବଡ଼ ବିପଦ । ଯାହାର ଜିହାଦ ମ୍ୟାପରେ ଗୋଟିଏ ଦେଶ ନୁହେଁ ପୂରା ବିଶ୍ୱ ଅଛି । ତାଲିବାନ ଆଫଗାନିସ୍ତାନରେ ନିଜ ଶାସନକୁ ନେଇ ଖୁସି ରହିପାରେ କିନ୍ତୁ ଇସଲାମିକ୍ ଷ୍ଟେଟ୍ ନୁହେଁ । ଯାହାକୁ ବୁଝି ପାରି ଆମେରିକାର ଥିଙ୍କ୍ ଟ୍ୟାଙ୍କ୍ ଏବେ ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ତାଲିବାନକୁ ଆଇଏସଆଇଏସ ବିରୋଧରେ ଅସ୍ତ୍ର କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି ।

US-Taliban May Join Hands Against ISIS-K (1)
ଆତଙ୍କୀଙ୍କ ବିରୋଧରେ ଆମେରିକାର ନୂଆ ପ୍ଲାନ । ଆଇଏସ ଖୁରାସାନ ବିରୋଧରେ ତାଲିବାନକୁ ଅସ୍ତ୍ର କରିବ ଆମେରିକା । ଗୋଟିଏ ପଟେ ଆଫଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନୀ ରାଜ । କିନ୍ତୁ ଆମେରିକା ସୈନ୍ୟ ଫେରିଯିବା ପରେ ଆଇଏସ ଖୁରାସାନ ଭାବୁଛି ଏବେ ସେମାନଙ୍କ ପାଇଁ ଆସିଛି ପ୍ରକୃଷ୍ଟ ସମୟ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ । ଆମେରିକା ଯଦିଓ ଆଫଗାନିସ୍ତାନ ଛାଡ଼ି ସାରିଛି, ପୂର୍ବଭଳି ଆତଙ୍କବାଦ ବିରୋଧରେ ନିଜର ଅଭିଯାନ ଜାରି ରଖିବ। ଏଥର ଅଧିକ ଶକ୍ତିଶାଳୀ ଆକ୍ରମଣ ପାଇଁ ତୟାର ହେଉଛି ଆମେରିକା । ଆଇଏସ-ଖୁରାସାନ ଉପରେ ଜୋରଦାର ଆକ୍ରମଣର ଟାର୍ଗେଟ କରିଛି ଆମେରିକା । କୁହାଯାଉଛି ଏଥିରେ ସହାୟତା କରିପାରେ ତାଲିବାନ । କାରଣ ଦୁହିଁଙ୍କ ଶତ୍ରୁ ଜଣେ । ଇସଲାମିକ ଷ୍ଟେଟ୍ ନଜରରେ ତାଲିବାନ ପୂରାପୂରି ଇସଲାମିକ ନୁହେଁ । ଆଉ ତାଲିବାନ କ୍ଷମତାକୁ ଆସି ସାରିଛି ସତ କିନ୍ତୁ ଜାଣିଛି ଇସଲାମିକ୍ ଷ୍ଟେଟ୍ ବ୍ରାଣ୍ଡର ଜିହାଦ ଆଡୁ ତାକୁ କେତେ ବିପଦ ରହିଛି । ତେଣୁ ତାଲିବାନ ମଧ୍ୟ ଆମେରିକାକୁ ସମର୍ଥନ କରିପାରେ । ଆଉ ଯଦି ଏମିତି ହେବ ତେବେ ଏହା ହେବ ତାଲିବାନ କାନ୍ଧରେ ବନ୍ଧୁକ ରଖି ଆମେରିକା ଇସଲାମିକ ଷ୍ଟେଟର ଶିକାର କରିବ ।

US-Taliban May Join Hands Against ISIS-K (1)

ପେଣ୍ଟାଗନର କିଛି ଅଧିକାରୀଙ୍କ କହିବା କଥା, ଆମେରିକା ଆଫଗାନିସ୍ତାନ ରେ ଆଇଆଇଏସ-କେ ଉପରେ ଆକ୍ରମଣ ନେଇ ତାଲିବାନର ସହଯୋଗ ନେଇ ବିଚାର ଚାଲିଛି । ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫର ଅଧ୍ୟକ୍ଷ ଆର୍ମି ଜେନେରାଲ ମାର୍କ ମିଲି କହିଛନ୍ତି, ଇସଲାମିକ୍ ଷ୍ଟେଟର ଆତଙ୍କବାଦୀଙ୍କ ବିରୋଧରେ ବର୍ତ୍ତମାନ ହେଉ ଅବା ଭବିଷ୍ୟତରେ ଯଦି ଆଫଗାନିସ୍ତାନରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ଏଥିପାଇଁ ତାଲିବାନ ସହିତ ସମନ୍ୱୟ ରଖିବାକୁ ପଡ଼ିବ । ଏହା ସହିତ ଅବଶ୍ୟ ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ତାଲିବାନ ଏକ କ୍ରୁର ସଂଗଠନ, ଉଚ୍ଚାରଣ ଓ ଆଚରଣରେ କି ପ୍ରକାର ପରିବର୍ତ୍ତନ ଆଣୁଛି ତାହା ଉପରେ ସବୁକିଛି ନିର୍ଭର କରେ । ହେଲେ ସେନେଇ ଏବେଠାରୁ ଭବିଷ୍ୟବାଣୀ କରିବା କଷ୍ଟକର । ଆମେରିକୀୟ ଅଧିକାରୀଙ୍କ ଆକଳନ ଅନୁସାରେ, ଆଗାନିସ୍ତାନରେ ତାଲିବାନ ଏବଂ ଆଇଏସଆଇଏସ-କେ ମଧ୍ୟରେ ଶତ୍ରୁତା ନହେଲେ ବି ପ୍ରତିଦ୍ୱନ୍ଦ୍ୱୀତା ନିଶ୍ଚୟ ରହିବ । ତେଣୁ ଆଇଏସଆଇଏସ-କେ ବିରୋଧରେ ଆକ୍ରମଣ କରିବା ନେଇ ପୂରା ଫାଇଦା ଉଠାଇବାକୁ ଚେଷ୍ଟା କରିବ ଆମେରିକା ।

US-Taliban May Join Hands Against ISIS-K (1)

ବିଗତ ଦିନର ଚିତ୍ରକୁ ନେଇ ୟୁଏସ ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ କହିଛନ୍ତି, ପ୍ରବାସୀଙ୍କୁ ଫେରାଇଆଣିବା ପ୍ରକ୍ରିୟାରେ ହେଉ କିମ୍ବା କାବୁଲ ଏୟାରପୋର୍ଟକୁ ସୁରକ୍ଷିତ ରଖିବା ହେଉ ଏସବୁରେ ଆମେରିକାକୁ ସହଯୋଗ କରିଛି ତାଲିବାନ । ତେବେ କିଛିଦିନ ପୂର୍ବରୁ ଆମେରିକା ପକ୍ଷରୁ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ସମୟରେ କାବୁଲ ଏୟାରପୋର୍ଟ ନିକଟରେ ଆଇଏସ ଖୁରାସାନ ପକ୍ଷରୁ ହୋଇଥିଲା ଆତଙ୍କବାଦୀ ହମଲା । ଏହାର ୪୮ଘଣ୍ଟା ଭିତରେ ଏୟାରଷ୍ଟ୍ରାଇକ କରି ପ୍ରତିଶୋଧ ନେଇଥିଲା ଆମେରିକା । ସେପଟେ ଅଗଷ୍ଟ ୩୧ରେ ଆମେରିକା ନିଜର ସମସ୍ତ ସେନା, କର୍ମଚାରୀଙ୍କୁ ଫେରାଇ ନେଇଛି ନିଜ ଦେଶକୁ । ଏବେ ଆଫଗାନିସ୍ତାନକୁ ତାଲିବାନ ସମ୍ପୂର୍ଣ୍ଣ କବଜା କରିବା ସହ ଘୋଷଣା ହୋଇଛି ଆଫଗାନିସ୍ତାନର ‘ସୁପ୍ରିମ’ ଲିଡରଙ୍କ ନାଁ । ତାଙ୍କ ନେତୃତ୍ୱରେ ଖୁବଶୀଘ୍ର ସରକାର ଗଠନ ହେବ । ସେପଟେ ଦେଶରେ ତାଲିବାନୀ ଶାସନ ଦିନକୁ ଦିନ ଆହୁରି କଡ଼ା ହେଉଛି ।

Leave a Reply