ଆମେରିକା ଇତିହାସରେ ପ୍ରଥମ ଥର ଲାଗି ବିଦା ହେଲେ ବାଚସ୍ପତି

ନନ୍ଦିଘୋଷ ବ୍ୟୁରୋ: ଆମେରିକା ଇତିହାସରେ ପ୍ରଥମ ଥର ଲାଗି ଜଣେ ବାଚସ୍ପତି ବିଦା । ପ୍ରତିନିଧି ସଭାରେ ହୋଇଥିବା ଭୋଟରେ ବିଦା ହୋଇଛନ୍ତି ବାଚସ୍ପତି କେଭିନ ମାକାର୍ଥି । ଡେମୋକ୍ରାଟଙ୍କ ସହ ଅଧିକ ସମ୍ପର୍କ ରଖିବା ଅଭିଯୋଗ ଦର୍ଶାଇ କେଭିନଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ରିପବ୍ଲିକାନ ସାଂସଦ । ଆସନ୍ତା ବର୍ଷ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବାବେଳେ କେଭିନଙ୍କ ଭୂମିକାକୁ ନେଇ ସେମାନ କ୍ଷୁବ୍ଧ ହୋଇଥିଲେ । ସମ୍ଭବତଃ ଡୋନାଲଡ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଯାଉଥିବାବେଳେ କେଭିନଙ୍କ ଭୂମିକା ରିପବ୍ଲିକାନ ସାଂସଦଙ୍କୁ ସନ୍ଦେହ ଘେରକୁ ନେଇଥିଲା ।

ଆମେରିକାର ୨୩୪ ବର୍ଷର ସଂସଦୀୟ ଇତିହାସରେ ଏଭଳି ଘଟଣା ପ୍ରଥମ । ସରକାର ପରିଚାଳନା କରିବା ଲାଗି ଆବଶ୍ୟକ ପାଣ୍ଠି ଯୋଗାଣ ସମ୍ପର୍କିତ ପ୍ରସ୍ତାବକୁ ଗୃହୀତ ହେବା ଦିଗରେ କାର୍ଯ୍ୟ କରିବାକୁ ନେଇ ଦଳ ଭିତରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ ୫୮ ବର୍ଷ ବୟସ୍କ କେଭିନ । କେଭିନଙ୍କ ବିରୋଧରେ କେବଳ ରିପବ୍ଲିକାନ ସାଂସଦ ନୁହନ୍ତି କେତେକ ଡେମୋକ୍ରାଟ ବି ସହାୟତା କରିଥିଲେ । କେଭିନ ଅନେକ ବିବାଦୀୟ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ବାହାର କରାଗଲା ବୋଲି ଦଳରେ ନେତାମାନେ ସୂଚନା ଦେଇଛନ୍ତି । ସରକାରଙ୍କ ଖର୍ଚ୍ଚ ସୀମା ନେଇ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା କାରଣରୁ ବି ପୂର୍ବରୁ କେଭିନଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଡେମୋକ୍ରାଟ ସାଂସଦ । ସରକାର ପରିଚାଳନା ଲାଗି ଖର୍ଚ୍ଚ ପ୍ରସ୍ତାବ ପାସ୍ ସଂକ୍ରାନ୍ତରେ ପ୍ରତିନିଧି ସଭା ଓ ସିନେଟ ମଧ୍ଯରେ ବିବାଦ ହୋଇଥିଲା ।