ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଋଷ-ଆମେରିକା ଆଲୋଚନା ବଢ଼ାଇଲା ୟୁରୋପରେ ଭୟ
1 min read
ନନ୍ଦିଘୋଷ ବ୍ୟୁରୋ: ସାଉଦି ଆରବରୁ ହେବ କି ୟୁକ୍ରେନ ଯୁଦ୍ଧର ଅନ୍ତ ? କାରଣ ଏବେ ସାଉଦି ଆରବ ପାଲଟିଛି କୁଟନୈତିକ କେନ୍ଦ୍ର । ଏଠାରେ ଋଷ ଓ ଆମେରିକା ମଧ୍ୟରେ ବସିବାକୁ ଯାଉଛି ଗୁରୁତ୍ବପୂର୍ଣ୍ଣ ବୈଠକ । ତେବେ ବୈଠକ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିସାରିଛନ୍ତି କି ସେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟନଙ୍କ ସହ ମିଶି ୟୁକ୍ରେନ ଯୁଦ୍ଧର ଅନ୍ତ କରିବାକୁ ଚାହୁଁଛନ୍ତି । ଆଜିର ବୈଠକରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଏକାଠି ହେବାକୁ ଯାଉଛନ୍ତି । ଯଦି ବୈଠକ ସଫଳ ହୁଏ ତେବେ, ଏହା ୟୁକ୍ରେନ ଯୁଦ୍ଧ ଶେଷ ହେବା ଦିଗରେ ଏକ ବଡ଼ ପଦକ୍ଷେପ ହେବାକୁ ଯାଉଛି । ହେଲେ ବଡ଼ କଥା ହେଲା, ବୈଠକର ଅଂଶ ହୋଇଥିଲେ ବି ୟୁରୋପୀୟ ଦେଶ ଏହାକୁ ନେଇ ଉତ୍ସାହିତ ଥିବା ପରି ମନେ ହେଉନାହାନ୍ତି । ସମସ୍ତେ ଯୁଦ୍ଧ ଶେଷ ହେବାକୁ ଚାହୁଁଥିଲେ ବି ଟ୍ରମ୍ପଙ୍କ ଶାନ୍ତି ବାର୍ତ୍ତାକୁ ନେଇ ୟୁରୋପରେ କାହିଁକି ଭୟର ବାତାବରଣ ଦେଖିବାକୁ ମିଳୁଛି ତାହା ଏବେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି ।
ଋଷରୁ ୟୁରୋପକୁ ବିପଦ
ୟୁରୋପୀୟ ଦେଶଙ୍କ ପାଇଁ ଋଷ ନା କେବଳ ଏକ ଆକ୍ରମଣକାରୀ ଶକ୍ତି, ବରଂ ଭବିଷ୍ୟତର ଚିନ୍ତା । ପୋଲାଣ୍ଡ, ବାଲଟିକ ଦେଶ ଓ ଜର୍ମାନୀ ପରି ଦେଶଙ୍କୁ ଏବେ ଗୋଟିଏ ଭୟ ଘାରିଛି ଯଦି ବିନା କୌଣସି ସର୍ତ୍ତରେ ଯୁଦ୍ଧ ଶେଷ ହୁଏ ତେବେ ଋଷ ନିଜର ବିସ୍ତାରବାଦୀ ନୀତିକୁ ପୁଣି ଆଗକୁ ବଢ଼ାଇବ । ଏହି କାରଣରୁ ୟୁରୋପୀୟ ଦେଶ ଚାହୁଁଛନ୍ତି ଋଷର ପରାଜୟ ସହ ଏହି ଯୁଦ୍ଧର ଅନ୍ତ ହେଉ । ଯାହାଦ୍ବାରା ଋଷର ସୈନ୍ୟ ଶକ୍ତି ଦୁର୍ବଳ ହୋଇଯିବ ଓ ଭବିଷ୍ୟତରେ ପୁଣି ଚ୍ୟାଲେଞ୍ଜ କରିବାର ଶକ୍ତି ରହିବନି ।
ଟ୍ରମ୍ପଙ୍କ ଆମେରିକା ଫେଷ୍ଟ ନୀତି, ୟୁରୋପ ପାଇଁ ଆହ୍ବାନ
ଡୋନାଲ୍ଡ ଟ୍ରମ୍ପ ସବୁ ବେଳେ ଆମେରିକା ଫାଷ୍ଟ ନୀତିକୁ ଗୁରୁତ୍ବ ଦେଇ ଆସିଛନ୍ତି । ତାଙ୍କ ପାଇଁ ଆମେରିକୀୟଙ୍କ ଟ୍ୟାକ୍ସ ୟୁରୋପୀୟ ଯୁଦ୍ଧରେ ଖର୍ଚ୍ଚ କରାଯିବା ଅନୁଚିତ । ଟ୍ରମ୍ପଙ୍କ ଅନୁସାରେ ୟୁକ୍ରେନ ଯୁଦ୍ଧ ଆମେରିକାର ଅର୍ଥ ବ୍ୟବସ୍ଥା ଓ ପ୍ରତିରକ୍ଷା ନୀତି ଉପରେ ଅନାବଶ୍ୟକ ବୋଝ ବଢ଼ାଉଛି । ସେ ଏହାକୁ ୟୁରୋପର ସମସ୍ୟା ଭାବୁଥିବା ବେଳେ ନିଜେ ୟୁରୋପ ଏହାର ସମାଧାନ କରୁ ବୋଲି ଚାହୁଁଛନ୍ତି । ହେଲେ ୟୁରୋପ ପାଇଁ ଏହା କେବଳ ୟୁରୋପୀୟ ସମସ୍ୟା ନୁହେଁ, ସେମାନଙ୍କ ସୁରକ୍ଷା ପ୍ରସଙ୍ଗ ବନି ଚାଲିଛି । ଯଦି ଟ୍ରମ୍ପ ଋଷ ସହ ଶାନ୍ତି ବୁଝାମଣା କରି ଦେଉଛନ୍ତି ତେବେ ୟୁରୋପକୁ ଲାଗିବ ସେମାନଙ୍କୁ ପଛରେ ଛାଡି ଦିଆଯାଇଛି ଓ ସେମାନେ ବିପଦରେ ଅଛନ୍ତି ।
ଆର୍ଥିକ ଓ ରଣନୈତିକ ସଙ୍କଟ
ଯୁଦ୍ଧ କାରଣରୁ ୟୁରୋପ ଶକ୍ତି ସଙ୍କଟ ସହ ଦରଦାମ ବୃଦ୍ଧି, ପ୍ରତିରକ୍ଷା ଖର୍ଚ୍ଚ ପରି ସଙ୍କଟର ସାମ୍ନା କରୁଛି । ସେପଟେ ଆମେରିକା ଶସ୍ତା ପ୍ରାକୃତିକ ଗ୍ୟାସ ବିକ୍ରି କରି ଲାଭ ନେଉଛି । ୟୁରୋପ ଉପରେ ସୈନ୍ୟ ଶକ୍ତି ବଢ଼ାଇବାକୁ ଚାପ ରହୁଛି, ଯାହା ତାହାର ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରୁଛି । ଏବେ ୟୁରୋପକୁ ଗୋଟିଏ ଚିନ୍ତା ଘାରୁଛି, ତାହା ହେଲା ହଠାତ ଯୁଦ୍ଧ ବନ୍ଦ ହୋଇଗଲେ ଆମେରିକା ଚାପରେ ସେମାନଙ୍କୁ ଏହି ଆର୍ଥିକ କ୍ଷତି ସହିବାକୁ ପଡ଼ିବ । ହେଲେ ଯୁଦ୍ଧରୁ ଆମେରିକା ଲାଭରେ ରହିଛି ଓ ରହିବ । ସେମାନଙ୍କୁ ଆଉ ଏକ ଭୟ ବି ଘାରିଛି । ଯଦି ଏହି ସମୟରେ ଆମେରିକା ପଛକୁ ହଟି ବୁଝାମଣା କରି ଦେଉଛି ତେବେ ପୂରା ୟୁରୋପ ଉପରେ ଋଷ ନାମକ ସଙ୍କଟ ମାଡ଼ି ଆସିବ ।
ଟ୍ରମ୍ପଙ୍କ ରଣନୀତିକୁ ବିଶ୍ବାସକୁ ନେଇ ପାରୁନି ୟୁରୋପ
ୟୁରୋପ, ଟ୍ରମ୍ପଙ୍କ ବିଦେଶ ନୀତିକୁ ନେଇ ସନ୍ଦେହ ଜନକ ସ୍ଥିତିରେ ରହିଛି । ତାଙ୍କ କାର୍ଯ୍ୟକାଳରେ ଏକାଧିକ ଅପ୍ରୀତିକର ନିଷତ୍ତି ଓ ଅନିଶ୍ଚିତତା ଦେଖିବାକୁ ମିଳିଛି । ୨୦୧୮ରେ ପୁଟିନଙ୍କ ସହ ତାଙ୍କର ସାକ୍ଷାତ ବିବାଦରେ ରହିଥିଲା । ଏବେ ଯଦି ଟ୍ରମ୍ପ ଏକତରଫା ଶାନ୍ତିବାର୍ତ୍ତା କରିବାକୁ ଚେଷ୍ଟା କରନ୍ତି ତେବେ ଏହାକୁ ପୂରା ୟୁରୋପ ବିରୋଧରେ ଆଉ ଏକ ରଣନୈତିକ ପଦକ୍ଷେପ ବୋଲି ବିବେଚନା କରାଯିବ । ଯାହା ୟୁରୋପର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ।
ଏହା ସ୍ପଷ୍ଟ ଯେ, ୟୁରୋପ ଏବେ ଦୁଇଟି ଚିନ୍ତାରେ ଘାଣ୍ଟି ହେଉଛି । ପ୍ରଥମଟି ଋଷ ତରଫରୁ ବଢ଼ୁଥିବା ସଙ୍କଟ । ଦ୍ବିତୀୟଟି ହେଲା ଆମେରିକା ସହ ସହଭାଗିତାକୁ ନେଇ ତୁତୁ ମେଁମେଁ । ଟ୍ରମ୍ପ-ପୁଟିନଙ୍କ ଶାନ୍ତିବାର୍ତ୍ତାର ଚେଷ୍ଟା ୟୁରୋପ ପାଇଁ ବିଶ୍ବାସ ଘତକତା ହୋଇପାରେ ।