ଟ୍ରମ୍ପ–ପୁଟିନ ଆଲୋଚନାକୁ ଭାରତର ସ୍ଵାଗତ, ବୈଦେଶିକ ମନ୍ତ୍ରାଳୟର ବିବୃତ୍ତି
1 min read
ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ଅଗଷ୍ଟ ୧୫ରେ ଟ୍ରମ୍ପ-ପୁଟିନ ଆଲୋଚନା । ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ହେବ ବଡ଼ ଆଲୋଚନା। ଯୁକ୍ରେନ ଯୁଦ୍ଧ ସମାପ୍ତ କରିବା ନେଇ ଏହି ବୈଠକ ହେବ। ଭାରତ ଏହାକୁ ସ୍ଵାଗତ କରିଛି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଆମେରିକା ଏବଂ ରୁଷ ମଧ୍ୟରେ ବୈଠକକୁ ସ୍ବାଗତ କରୁଛି ଭାରତ। ବିବୃତ୍ତିରେ କୁହାଯାଇଛି, “ଏହି ବୈଠକ ୟୁକ୍ରେନରେ ଚାଲିଥିବା ସଂଘର୍ଷର ଅନ୍ତ ଆଣିବା ଏବଂ ଶାନ୍ତିର ସମ୍ଭାବନା ଖୋଲିବାର ପ୍ରତିଶୃତି ରଖୁଛି ।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର କହିଛନ୍ତି ଯେ, “ଏହା ଯୁଦ୍ଧର ଯୁଗ ନୁହେଁ” । ୨୦୧୫ ମସିହାରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଭେଟିବା ପରେ ପୁଟିନଙ୍କର ଏହା ପ୍ରଥମ ଆମେରିକା ଯାତ୍ରା ହେବ। ଆଗରୁ ସୋସିଆଲ ମିଡିଆରେ ଟ୍ରମ୍ପ ପୋଷ୍ଟ କରିଥିଲେ ଯେ, ଆଲାସ୍କାର ଗ୍ରେଟ୍ ଷ୍ଟେଟରେ ବହୁ ପ୍ରତୀକ୍ଷିତ ବୈଠକ ହେବ। ପୁଟିନଙ୍କ ସହିତ ମୋର ଆଲୋଚନା ହେବ। ଆହୁରି ବିସ୍ତୃତ ସୂଚନା ପରେ ଆସିବ। କ୍ରେମଲିନ୍ ସୂଚନା ଦେଇଛି ଯେ ଦୁଇ ନେତା ୟୁକ୍ରେନ ସଙ୍କଟର ଏକ ଦୀର୍ଘକାଳୀନ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଲୋଚନା କରିବେ। ୟୁକ୍ରେନକୁ ନେଇ ଟ୍ରମ୍ପ-ପୁଟିନ ଆଲୋଚନା ଖବର ପରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ୟୁକ୍ରେନକୁ ନେଇ କୌଣସି ଆଲୋଚନା ବିନା ୟୁକ୍ରେନର ଅଂଶଗ୍ରହଣରେ ସଂପୂର୍ଣ୍ଣ ହେବ ନାହିଁ।
ରୁଷକୁ ଟାର୍ଗେଟ କରି ସେ କହିଛନ୍ତି, କୌଣସି ପରିସ୍ଥିତିରେ ଜବରଦଖଲକାରୀକୁ ୟୁକ୍ରେନ ନିଜ ଅଞ୍ଚଳ ସମର୍ପି ଦେବ ନାହିଁ। ଏଥିରୁ ଜଣାପଡୁଛି ଜେଲେନସ୍କି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୨୦୨୨ ଫେବୃଆରୀରେ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିଥିଲା। ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା ସହିତ ଧ୍ଵଂସସ୍ତୁପରେ ପରିଣତ ହୋଇଛି ୟୁକ୍ରେନର ବହୁ ଅଞ୍ଚଳ। ରୁଷିଆ କେତେକ ଡୋନବାସ ପରି କେତେକ ଏରିଆକୁ ଦଖଲ କରି ନେଇଛି। ଏହି ଯୁଦ୍ଧରେ କେବଳ ଯେ, ୟୁକ୍ରେନର କ୍ଷତି ହୋଇଛି, ତାହା ନୁହେଁ। ରୁଷିଆ ମଧ୍ୟ ପ୍ରଭୁତ କ୍ଷତି ସହିଲାଣି। ତାର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏପରିକି ଉତ୍ତର କୋରିଆରୁ ଭଡ଼ାରେ ସୈନ୍ୟ ଆଣିଛି ମସ୍କୋ। ଅନ୍ୟଦେଶର ନାଗରିକଙ୍କୁ ମଧ୍ୟ ଟଙ୍କା ଦେଇ ଲଢେ଼ଇରେ ସାମିଲ କରିଛି ରୁଷିଆ। ୟୁକ୍ରେନ ଯୁଦ୍ଧର ପ୍ରଭାବ ବିଶ୍ଵ ଅର୍ଥନୀତିରେ ବି ପଡ଼ିଛି।