ଗଣତନ୍ତ୍ରକୁ ବିଲୋପ କରିବା ଲାଗି ପୁଟିନ ଓ ହମାସ ଉଦ୍ୟମ କରୁଛନ୍ତି କହିଲେ ବାଇଡେନ

1 min read

ତେଲ୍‌ ଆଭିଭ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ବିରୋଧରେ ଗର୍ଜନ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଗଣତନ୍ତ୍ରକୁ ବିଲୋପ କରିବା ଲାଗି ପୁଟିନ ଓ ହମାସ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି । ରାଷ୍ଟ୍ର ଉଦ୍ଦେଶ୍ୟରେ ଭାଷଣ ଦେଇ ବାଇଡେନ କହିଛନ୍ତି ୟୁକ୍ରେନ ଓ ଇସ୍ରାଏଲକୁ ସହାୟତା ଆମେରିକାର ସ୍ବାର୍ଥ ଦୃଷ୍ଟିରୁ କରାଯାଉଛି ।

ଉଭୟ ପୁଟିନ ଓ ହମାସ ପଡୋଶୀ ଗଣତନ୍ତ୍ରକୁ ସମ୍ପୂର୍ଣ୍ଣ ଧ୍ବଂସ କରିବା ଲାଗି ଉଦ୍ୟମ କରୁଛନ୍ତି ।ଉଭୟ ପୁଟିନ ଓ ହମାସର ଏହି କାର୍ଯ୍ୟକୁ ସାକାର କରିବାକୁ ଦିଆଯିବ ନାହିଁ । ୟୁକ୍ରେନ ଓ ଇସ୍ରାଏଲକୁ ପର୍ଯ୍ୟାପ୍ତ ସହାୟତା ଲାଗି କଂଗ୍ରେସ ସକାରାତ୍ମକ ଦୃଷ୍ଟିଭଙ୍ଗୀ ପୋଷଣ କରୁ । ନିଜର ଟେଲିଭିଜନ ଅଭିଭାଷଣରେ ବାଇଡେନ କହିଛନ୍ତି ବିଶ୍ବକୁ ଏକାଠି କରିବା ଲାଗି ଆମେରିକା ନେତୃତ୍ବ ଚାହିଁଥାନ୍ତି ।

ଆମେରିକୀୟ ମୂଲ୍ୟବୋଧକୁ ବଜାୟ ରଖିବାକୁ ସେ ଦେଇଛନ୍ତି ଆହ୍ବାନ । ସେପଟେ ଏକ ବିରଳ ଘଟଣା କ୍ରମେ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ରହୁଥିବା ଆମେରିକୀୟ ନାଗରିକଙ୍କ ଲାଗି ସତର୍କ ସୂଚନା ଜାରି କରିଛି ଆମେରିକା । ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ବେଳେ ବିଭିନ୍ନ ଦୂତାବାସ ସମେତ ଆମେରିକୀୟଙ୍କ ଉପରେ ଆକ୍ରମଣ ସମ୍ଭାବନା ଥିବାରୁ ଏହି ସୂଚନା ଜାରି କରାଯାଇଛି ।